ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜନୀତିରେ ଜଣେ ନେତାଙ୍କ ମୃତ୍ୟୁ କାହା ପାଇଁ ସୁଯୋଗ ହୋଇପାରେ କି ? ଏଭଳି ପ୍ରଶ୍ନ ଏବେ ବାଲେଶ୍ୱର ନିର୍ବାଚନୀ ରାଜନୀତିକୁ ଉଷ୍ମ କରିଛି। ରଣେନ୍ଦ୍ରଙ୍କ ବୟାନ ପରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ବିଜେପିର ୩ ହେଭିୱେଟ୍ ନେତା।

ବାଲେଶ୍ୱରର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ପରେ ସେହି ଆସନରେ ଏବେ ଉପନିର୍ବାଚନ ହେଉଛି। ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ମଦନ ମୋହନଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏବେ ପ୍ରଚାର ମଇଦାନରେ ସବୁ ପ୍ରାର୍ଥୀ। ଗତ ୨୧ ତାରିଖ ବିଜେଡିର ପ୍ରଚାର ଅଭିଯାନରେ ସାମିଲ ହୋଇଥିବା ଆଠଗଡ଼ର ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ବାଚନୀ ସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।

‘ମଦନମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି’ ବୋଲି ରଣେନ୍ଦ୍ର ନିର୍ବାଚନୀ ସଭାରେ କହିଥିବା ନେଇ ବିଜେପି ଏହାର ତୀବ୍ର ସମାଲୋଚନା କରିଛି। ଏପରିକି ମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଉଠାଇଛି ବିଜେପି।

ବିଜେଡିକୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର, ପ୍ରତାପ, ପ୍ରଦୀପ୍ତ

ରଣେନ୍ଦ୍ରଙ୍କ ବୟାନ ପ୍ରସଙ୍ଗରେ ବାଲେଶ୍ୱରର ରୁପ୍‌ସା ସଭାକୁ ସମ୍ବୋଧିତ କଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିଜେଡି ପାଖରେ ପ୍ରସଙ୍ଗ କିଛି ନାହିଁ। ଯେଉଁ ପ୍ରକଳ୍ପକୁ ସେମାନେ ୧୫ ବର୍ଷ ତଳେ ଶୁଭ ଦେଇଥିଲେ, ତାହା ଆଜି ବି ଆଗେଇନାହିଁ। ଲୋକେ ପ୍ରଶ୍ନ କଲେଣି। ଏହାସହ ଚିଟ୍‌ ଫଣ୍ଡ ଦୁର୍ନୀତି ବି ରହିଛି। ଏସବୁ କଥା ତାଙ୍କୁ ଘାରିଲାଣି। ନିଜ ମିଛ ଲୁଚେଇବା ପାଇଁ ତାଙ୍କ ଦଳର ନେତା ଏଭଳି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଜେଡିକୁ ଟାର୍ଗେଟ୍‌ କରି କହିଛନ୍ତି, ‘ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କେତେ ନିଚସ୍ତରକୁ ଯାଇପାରେ, କିପରି ବର୍ବରତାର ସୀମା ଲଂଘନ କରିପାରେ, କିଭଳି ହୃଦୟହୀନତାର ପ୍ରଦର୍ଶନ କରାଯାଇପାରେ, ତାହା ବିଜେଡି ଦଳ ଦେଖାଇଛି। ରଣେନ୍ଦ୍ର ପ୍ରତାପ ଜଣେ ମନ୍ତ୍ରୀ। ସେ ନୂଆ କିମ୍ବା ଅନଭିଜ୍ଞ ନୁହନ୍ତି। ବିଜେପିର ଜଣେ ନେତା ଚାଲିଗଲେ ବିଜେଡି ଆନନ୍ଦ ମନେଇବ, ତାଙ୍କ ଦଳର ଜଣେ ଦାୟିତ୍ୱବାନ ନେତା ଏଭଳି ମନ୍ତବ୍ୟ ଦେଉଛନ୍ତି। ଏଭଳି ଦାୟିତ୍ୱହୀନତାର କ’ଣ ଅର୍ଥ ଅଛି।’

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ରଣେନ୍ଦ୍ରଙ୍କ ଏଭଳି ବୟାନ ତାଙ୍କ ରୁଚିହୀନତା, ସମ୍ବେଦନହୀନତାର କେବଳ ପରିଚୟ ଦେଇନାହିଁ, ବରଂ ବାଲେଶ୍ୱରବାସୀଙ୍କ ପ୍ରତି ଏହା ଅପମାନ।

ସଭାରେ ଭାବବିହ୍ୱଳ ହେଲେ ମାନସ ଦତ୍ତ

ଶନିବାର ଏକ ସାଧାରଣ ସଭା ବେଳେ ରଣେନ୍ଦ୍ରଙ୍କ ବୟାନକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ପରଲୋକଗତ ମଦନମୋହନ ଦତ୍ତଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ମାନସ ଦତ୍ତ। ବାପାଙ୍କ ପ୍ରତି ଏଭଳି ବୟାନ ତାଙ୍କୁ ମର୍ମାହତ କରିଛି। ସେ କହିଛନ୍ତି ଯେ ତାଙ୍କ ବାପାଙ୍କ ମୃତ୍ୟୁ ଏକ ସୁଯୋଗ ବୋଲି ବିଜେଡିର ଜଣେ ମନ୍ତ୍ରୀ କହିବା ପରେ ରାଜନୀତି ଏତେ ତଳକୁ ଯିବ ମୁଁ ଭାବି ନ ଥଲି। ବିଜେଡି ଯେ ତାଙ୍କ ବାପାଙ୍କ ମୃତ୍ୟୁକୁ ପ୍ରସଙ୍ଗ କରିବ ଏହା ତାଙ୍କୁ ବାଧିଛି।

ବିବାଦ ପରେ ଏପରି କୈଫିୟତ ରଖିଲେ ରଣେନ୍ଦ୍ର

ବାଲେଶ୍ୱର ସଭାରେ ରଣେନ୍ଦ୍ରଙ୍କ ବୟାନକୁ ନେଇ ବିବାଦ ଉପୁଜିବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ବୟାନ ନେଇ ଯାହା ଚିତ୍ରଣ କରାଯାଉଛି ତାହା ଅସତ୍ୟ। ଯେକୌଣସି ଲୋକର ମୃତ୍ୟୁରେ ଆମେ ମର୍ମାହତ।

ଟୁଇଟ୍‌ରେ ସେ ଉଲ୍ଳେଖ କରିଛନ୍ତି, ‘ମଦନ ମୋହନ ଦତ୍ତଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଥିଲା। ଆମର ବନ୍ଧୁତ୍ୱ ରାଜନୈତିକ ସୀମାରେଖାର ଊର୍ଦ୍ଧ୍ୱରେ ରହିଛି। ନିଜର ବକ୍ତବ୍ୟରେ ମୁଁ କାହାର ସମ୍ବେଦନକୁ ଆଘାତ ଦେବା, ବିଶେଷ କରି ମଦନ ମୋହନ ଦତ୍ତଙ୍କୁ ଅସମ୍ମାନ କରିବାର ଉଦ୍ଦେଶ୍ୟ କେବେ ନ ଥିଲା।’

‘ମୋର ବୟାନକୁ ଅନ୍ୟ ରୂପ ଦିଆଯାଉଥିବା ଦେଖି ମୁଁ ଗଭୀର ମର୍ମାହତ। ମଦନ ମୋହନ ଦତ୍ତଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମାନସ ହେଉଛି ମୋ’ ପୁଅ ଭଳି। ସେ ଯଦି ଆଘାତ ପାଇଥାଏ, ତେବେ ମୁଁ ଦୁଃଖୀତ।’

Comment