ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଟିକା ନେଇ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ହାତଖୋଲି ଓଡ଼ିଶାକୁ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

‘‘କରୋନା କାଳରେ ଓଡ଼ିଶାକୁ ୨୨ ହଜାର କୋଟି ଟଙ୍କା ମିଳିଛି। ତା’ଭିତରୁ ବାଲେଶ୍ୱରୁ ୯୨୨ କୋଟି ଟଙ୍କା ମିଳିଛି। ଏତେ ଟଙ୍କା ଆସିବା ସତ୍ତ୍ୱେ ରାଜ୍ୟରେ କୋଭିଡ ପରିଚାଳନାରେ ତ୍ରୁଟି ରହୁଛି’’, କହିଛନ୍ତି ବିଷ୍ଣୁ ସେଠୀ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ମୋଦୀ ସରକାର ଦେଶବାସୀଙ୍କ ଟିକାକରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ମୋଦୀଙ୍କ ଯୋଜନାରେ ଓଡ଼ିଶାବାସୀ ସେମାନଙ୍କ ଭାଗ ନିଶ୍ଚୟ ପାଇବେ’’।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକଙ୍କ ମୃତ୍ୟୁ ସଯୋଗ ଆଣିଛି ମନ୍ତବ୍ୟ ଦେଇ ନିନ୍ଦିତ ହୋଇଛନ୍ତି। ନିଜର ମନ୍ତବ୍ୟରୁ ନଜର ହଟାଇବା ପାଇଁ ସେ ଏଭଳି କହୁଛନ୍ତି ବୋଲି କହିଛନ୍ତି ବିଷ୍ଣୁ ସେଠୀ।

‘‘ଯଦି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରି ଟିକାକରଣ ସଂସ୍ଥା ସହ ଚୁକ୍ତି କରିଛନ୍ତି ତେବେ ଏମଓୟୁକୁ ସାର୍ବଜନୀନ କରନ୍ତୁ। ଏହା ପ୍ରକାଶ କଲେ ରାଜ୍ୟବାସୀ ଖୁସି ହେବେ”, କହିଛନ୍ତି ବିଷ୍ଣୁ ସେଠୀ।

ମାଗଣା କରୋନା ଟିକା ପ୍ରସଙ୍ଗ ଉଠାଇ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଖୁବ୍‌ ବର୍ଷିଥିଲେ ରଣେନ୍ଦ୍ର ପ୍ରତାପ। ଯଦି ବିହାରରେ ମାଗଣା ଟିକା ନେଇ ବିଜେପି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶା ଲୋକଙ୍କ ମାଗଣା ଟିକା ଦେବାକୁ ପଛଘୁଞ୍ଚା କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ରଣେନ୍ଦ୍ରଙ୍କ ଏହି ପଶ୍ନର ଜବାବ ଦେଇଛନ୍ତି ବିଷ୍ଣୁ।

Comment