ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସର ଦୁର୍ଗ ଥିଲା ତିର୍ତ୍ତୋଲ ବିଧାନସଭା ଆସନ। ହେଲେ ଏହି ଦୁର୍ଗ ୨୦୦୦ ମସିହାରୁ ଭାଙ୍ଗି ଯାଇଛି। ବିଜୁ ଜନତା ଦଳ ଏହି ଆସନରେ ଲଗାତର ୧୫ ବର୍ଷ ହେଲା ରାଜୁତି କରୁଛି। ତେବେ ଚଳିତ ଉପ-ନିର୍ବାଚନରେ ତିର୍ତ୍ତୋଲ ଆସନ କାହା ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତିର୍ତ୍ତୋଲରେ ଏଥର ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଗତ ୧୮ ମାସ ତଳେ ହୋଇଥିବା ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ଆସନ ବିଜେଡି ଖାତାକୁ ଆସିଥିଲା। ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ୯୩ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ୫୩ ହଜାରରୁ ଅଧିକ ଭୋଟ ପାଇ ଦ୍ୱିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ୨୩ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।୧୮ ମାସ ପରେ ତିର୍ତ୍ତୋଲବାସୀ ଆଉ ଏକ ଉପନିର୍ବାଚନକୁ ସାମ୍ନା କରୁଛନ୍ତି। ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ହୋଇଯିବାରୁ ଏହି ଉପନିର୍ବାଚନ ହେଉଛି। ହେଲେ ଗତ ଥର ଅପେକ୍ଷା ଏଥର ସମୀକରଣ ବଦଳି ଯାଇଛି। ନିର୍ବାଚନ ପୂର୍ବରୁ ଅନେକ ନେତା ଦଳ ବଦଳ କରିଥିବା ବେଳେ ବିଜେଡି ନୂଆ ମୁହଁକୁ ପ୍ରାର୍ଥୀ କରିଛି।ବିଜେଡି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ ଦେଇଛି। କଂଗ୍ରେସ ଛାଡ଼ି ବିଜେପି ଆସିଥିବା ରାଜ କିଶୋର ବେହେରା ପଦ୍ମ ଦଳର ଟିକେଟ ପାଇଥିବା ବେଳେ ଗତ ଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ନିକଟରେ ବିଜେଡିରେ ସାମିଲ ହୋଇଛନ୍ତି। ଏପଟେ କଂଗ୍ରେସ ନବାଗତ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଏହି ତିନି ପ୍ରାର୍ଥୀ କେହି କାହାକୁ କମ୍‌ ନୁହନ୍ତି। ବିଜୟ ଶଙ୍କର ଯୁବକ ହୋଇଥିବାରୁ ଏବଂ ବିଷ୍ଣୁଙ୍କ ପୁଅ ହୋଇଥିବାରୁ ଅନୁକମ୍ପା ଭୋଟ ଆସିବ ବୋଲି କୁହାଯାଉଛି। ତା’ଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟ କାର୍ଯ୍ୟକ୍ରମ ମଧ୍ୟ ବିଜୟ ଶଙ୍କରଙ୍କ ପାଇଁ ବରଦାନ ପାଲଟିପାରେ ବୋଲି କୁହାଯାଉଛି। ହେଲେ ବିରୋଧୀ ବିଜେପି ଏବଂ କଂଗ୍ରେସ ଏହାକୁ ଫେଲ୍ କରିବାକୁ ଗୋଟି ଚାଳନା କରୁଛନ୍ତି। ପ୍ରଥମ ଥର ପାଇଁ ବିଜେପି ତିର୍ତ୍ତୋଲରେ ପଦ୍ମ ଫୁଟାଇବାକୁ ରଣନୀତି କରିଥିବା ବେଳେ କଂଗ୍ରେସ ତାର ଗଡ଼ ସୁରକ୍ଷା ପାଇଁ ଉଦ୍ୟମ ଚଳାଇଛି।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଇତିହାସ ପୁଷ୍ଠାକୁ ଯଦି ଆମେ ଲେଉଟାଇବା ତାହାଲେ କଂଗ୍ରେସ ହାତରେ ଦୀର୍ଘ ସମୟ ଧରି ଶାସନ ଡୋର ରହିଥିବା ଦେଖିବାକୁ ପାଇବା। ୧୯୫୧, ୧୯୬୧, ୧୯୮୦, ୧୯୮୫, ୧୯୯୦, ୧୯୯୫ ନିର୍ବାଚନରେ କଂଗ୍ରେସ ଏଠାରେ ବିପୁଳ ଭୋଟ ପାଇଥିଲା। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଜେଡି କଂଗ୍ରେସ ଗଡ଼ ଭାଙ୍ଗିଥିଲା। ଦେବାଶିଷ ସାମନ୍ତରାୟ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୪ ନିର୍ବାଚନ ବେଳେ ପୁଣି କଂଗ୍ରେସ ହାତକୁ କ୍ଷମତା ଦେଇଥିଲେ ତିର୍ତ୍ତୋଲବାସୀ। ଚିରଞ୍ଜିବ ବିଶ୍ୱାଳ ଏଠାରେ ପ୍ରାର୍ଥୀ ହୋଇଥିବାରୁ କଂଗ୍ରେସ ପୁଣି ନିର୍ବାଚନ ଜିତିଥିଲା। ପୁଣି ୨୦୦୯ରେ ବିଜେଡି କଂଗ୍ରେସ ଦୁର୍ଗ ଭାଙ୍ଗିଥିଲା। ୨୦୦୯ରେ ରମାକାନ୍ତ ଭୋଇ, ୨୦୧୪ରେ ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ ୨୦୧୯ରେ ବିଷ୍ଣୁ ଦାସ ବିଜେଡି ପାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ।

ବିଷ୍ଣୁଙ୍କ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ନଥିଲା। ସେ ଜଗତସିଂହପୁର ଆସନରୁ ନିର୍ବାଚିତ ହେଉଥିଲେ। କିନ୍ତୁ ୨୦୧୯ରେ ରଜନୀତିକ ସମୀକରଣ ବଦଳିବାରୁ ବିଷ୍ଣୁ ଜଗତସିଂହପୁର ଛାଡ଼ି ତିର୍ତ୍ତୋଲ ଆସିଥିଲେ। ଏଠାରେ ରାଜଶ୍ରୀଙ୍କ ସମର୍ଥକମାନେ ବିଷ୍ଣୁଙ୍କୁ ବିରୋଧ କରିଥିଲେ। ଏହା ସତ୍ତ୍ୱେ ବିଷ୍ଣୁ ନିର୍ବାଚନ ବୈତରଣୀ ପାର୍‌ ହୋଇଥିଲେ।ବିଷ୍ଣୁଙ୍କ ଦେହାନ୍ତ ପରେ ଉପନିର୍ବାଚନ ବିଗୁଲ ବାଜିଥିଲା। ତିର୍ତ୍ତୋଲ ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀ ଆଗକୁ ଆସିଥିଲେ। ରାଜଶ୍ରୀଙ୍କ କ୍ୟାମ୍ପରୁ କେହି ଜଣେ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଥିଲା। ଏହାସହ ମହିଳା କମିସନ ଅଧ୍ୟକ୍ଷା ଥିବା ମୀନତି ବେହେରାଙ୍କ ନାଁ ବି ଚର୍ଚ୍ଚାରେ ରହିଥିଲା। ହେଲେ ଦଳର ସୁପ୍ରିମୋ ବିଜୟଶଙ୍କରଙ୍କୁ ଟିକେଟ ଦେଇଥିଲେ।

ଏବେ ତିର୍ତ୍ତୋଲରେ ଜୋରଦାର ପ୍ରଚାର ଚାଲିଛି। ତିନି ଦଳର ପ୍ରାର୍ଥୀଙ୍କ ପାଇଁ ତୁଙ୍ଗ ନେତାମାନେ ପ୍ରଚାର କରୁଛନ୍ତି। ତେବେ ନବାଗତ ବିଜୟଶଙ୍କର ୧୫ ବର୍ଷ ଧରି ରହିଥିବା ବିଜେଡିର ଦୁର୍ଗକୁ ରକ୍ଷା କରୁଛନ୍ତି ନା ଏଠି ପଦ୍ମ ଫୁଟୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment