ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର କିଛି ଅଞ୍ଚଳରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ଏମସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ।

ସେ କହିଛନ୍ତି ଯେ, ବାୟୁମଣ୍ଡଳରେ ପ୍ରଦୁଷଣ କାରଣରୁ ଭୂତାଣୁ ସେଠାରେ ଅଧିକ ସମୟ ଧରି ରହିପାରୁଛି। ଯାହା ଫଳରେ ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି। ତେଣୁ ଘରୁ ବାହାରିବା ସମୟରେ ସମସ୍ତେ ମାସ୍କ ନିହାତି ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି। ଏପରିକି ଯଦି ଜରୁରୀ କାମ ନାହିଁ ତେବେ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଯୁବବର୍ଗ କରୋନାକୁ ନେଇ ଯତ୍ନବାନ ନାହାନ୍ତି। ଏହାକୁ ଏକ ସାଧାରଣ ଥଣ୍ଡା ଜ୍ୱର ବୋଲି ସେମାନେ ଭାବୁଛନ୍ତି। ହେଲେ ସେମାନଙ୍କ ଦ୍ୱାରା ଘରର ବୟସ୍କ ବ୍ୟକ୍ତିମାନେ ସଂକ୍ରମିତ ହେଉଛନ୍ତି। ତେଣୁ ସମସ୍ତେ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି କରୋନା ଟିକା ଆସିବା ପରେ ଏହି ରୋଗର ପ୍ରକୋପ କମିବ ବୋଲି ସେ କହିଛନ୍ତି। ହେଲେ ଆଗକୁ ଦେଶରେ ଶୀତଋତୁ ସହ ଦୀପାବଳି ଓ ଛଟ୍ ପୂଜା ହେବାକୁ ଥିବାରୁ ଲୋକମାନେ ସତର୍କ ନ ରହିଲେ କରୋନା ସଂକ୍ରମଣ ସୀମା ଟପିବ ବୋଲି ସେ ଆକଳନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ଦେଶର କିଛି ଅଞ୍ଚଳରେ ହଠାତ୍ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାର କାରଣ ବାୟୁପ୍ରଦୁଷଣ ବୋଲି କୁହାଯିବା ସହିତ ଲୋକମାନେ ସତର୍କ ରହୁନଥିବା କୁହାଯାଉଛି। ହେଲେ ଏପରି ହେଲେ ଦେଶର ଅବସ୍ଥା ଭବିଷ୍ୟତରେ ସାଂଘାତିକ ହେବ ବୋଲି ଆକଳନ କରାଯାଉଛି।

Comment