ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୟସୀମା ସରିଆସୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋର୍‌ଦାର୍‌ ହେଉଛି। କିନ୍ତୁ ଏହା ଭିତରେ ସାମାଜିକ ଦୂରତ୍ୱ ମାନୁଛନ୍ତି କି ସବୁ ଦଳ, ସେମାନଙ୍କର ନେତା, କର୍ମୀ ?

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରଚାର ଅଭିଯାନ ଜୋରଦାର ଚାଲିଛି। ପ୍ରଚାର ସମୟ ସୀମା ଆସନ୍ତାକାଲି ଯାଏ ଥିବାବେଳେ ବିଜେଡି, ବିଜେପି ଓ କଂଗ୍ରେସ ଏଥିରେ ପୂରା ଦମ୍‌ରେ ମାତିଛନ୍ତି। ଦଳୀୟ ନେତା ଓ କର୍ମୀଙ୍କ ସହ ପ୍ରାର୍ଥୀମାନେ ଘରକୁ ଘର ବୁଲି ଲୋକଙ୍କୁ ଭେଟୁଛନ୍ତି। ଶୋଭାଯାତ୍ରାରେ ଯାଉଛନ୍ତି। ସଭା କରୁଛନ୍ତି। କିନ୍ତୁ ଏସବୁ ଭିତରେ ସାମାଜିକ ଦୂରତ୍ୱକୁ ସମସ୍ତେ ଭୁଲିଯାଇଥିବା ପରି ମନେ ହେଉଛି। ସବୁ ଦଳର ନିର୍ବାଚନୀ ପ୍ରଚାର ସଭାରେ ଶହ ଶହ ଲୋକ ଏକାଠି ହେଉଛନ୍ତି। ସଂକୀର୍ଣ୍ଣ ପରିସରରେ ସେମାନେ ସମବେତ ହେଉଥିବା ବେଳେ ସେମାନଙ୍କ ଭିତରେ ଆବଶ୍ୟକ ସାମାଜିକ ଦୂରତା ରହୁ ନ ଥିବା ଦେଖିବାକୁ ମିଳୁଛି।

ଉପନିର୍ବାଚନ ପାଇଁ କ’ଣ ଥିଲା ଗାଇଡ୍‌ଲାଇନ

ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ମଞ୍ଜୁରୀ ଦେଇଥିଲେ ମଧ୍ୟ କରୋନା ଗାଇଡଲାଇନ ଭିତରେ ତାହା କରାଯିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସ୍ୱତନ୍ତ୍ର ନିର୍ବାଚନ ଆଚରଣ ବିଧି ମଧ୍ୟ ଜାରି କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟରେ ଜାରି ରହିଥିବା ଅନ୍‌ଲକ୍‌ ଗାଇଡ୍‌ଲାଇନକୁ ଉପନିର୍ବାଚନ ଦୃଷ୍ଟିରୁ ସାମାନ୍ୟ ପରିବର୍ତ୍ତନ କରିଥିଲେ ରାଜ୍ୟ ସରକାର।

ବିଭିନ୍ନ ଜନ ସମାବେଶ ଓ କାର୍ଯ୍ୟକ୍ରମ ଉପରେ କଟକଣା ରହିଥିବା ବେଳେ ଉପନିର୍ବାଚନ ପାଇଁ ବାଲେଶ୍ୱର ଓ ତିର୍ତ୍ତୋଲରେ ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଥିଲା। କୌଣସି ହଲ୍‌ରେ ସଭା ହେଉଥିଲେ, ସେଠାରେ ଥିବା କ୍ଷମତାର ଅଧା ଲୋକ ଏକାଠି ହୋଇପାରିବେ। ସର୍ବାଧିକ ୨୦୦ ଲୋକ ଗୋଟିଏ ସ୍ଥାନରେ ସମବେତ ହୋଇପାରିବେ। ସେହିପରି ଖୋଲା ସ୍ଥାନରେ ରାଜନୈତିକ ସମାବେଶ ହେଲେ ସେଠାରେ କେତେ ସଂଖ୍ୟାରେ ଲୋକ ଏକାଠି ହୋଇପାରିବେ, ତାହାର ଅନୁମତି ଦେବ ଜିଲ୍ଲା ପ୍ରଶାସନ। କିନ୍ତୁ ସବୁଠି ମାସ୍କ, ସାମାଜିକ ଦୂରତ୍ୱ ପାଳନ ସହ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଥିଲା।

ଗାଇଡ୍‌ଲାଇନକୁ କିଏ କେତେ ମାନୁଛି

ବାଲେଶ୍ୱର ଓ ତିର୍ତ୍ତୋଲରେ ଏବେ ସବୁ ଦଳର ଛାମୁଆ ନେତାଙ୍କ ଭିଡ଼। କର୍ମୀଙ୍କ ଗହଳି। ସଭାସମିତିରେ ଜନସାଧାରଣଙ୍କ ସମାବେଶ। ଏସବୁ ଭିତରେ କରୋନା କଟକଣା ଅଛି ବୋଲି ପ୍ରାୟ ସମସ୍ତେ ଭୁଲିଯାଇଥିବା ମନେ ହେଉଛି। ଏବେ ବିଭିନ୍ନ ପ୍ରଚାର ସଭାରେ କିଛି ଲୋକଙ୍କ ମୁହଁରେ ମାସ୍କ ରହୁନି। କାହାରି ଭିତରେ ସାମାଜିକ ଦୂରତା ଆଦୌ ନାହିଁ। କରୋନା ହେବା ପୂର୍ବରୁ ଲୋକେ ଯେପରି ସଭାସମିତିରେ ଭିଡ଼କରି ଏକତ୍ର ବସୁଥିଲେ, ଏବେ ମଧ୍ୟ ନିର୍ବାଚନୀ ସମାବେଶରେ ସେହିପରି ଦେଖିବାକୁ ମିଳୁଛି। ଥର୍ମାଲ ସ୍କ୍ରିନିଂ ହେଉଛି କି ନା, ତାହା ମଧ୍ୟ ସନ୍ଦେହରେ।

ପାର୍ବଣ ଓ ଶୀତଋତୁ ସମୟରେ କରୋନା ବେଶୀ ଖରାପ ସ୍ଥିତି ସୃଷ୍ଟି କରିପାରେ ବୋଲି ସତର୍କତା ଜାରି ହୋଇଥିଲେ ମଧ୍ୟ ନେତା, ପ୍ରାର୍ଥୀ, କର୍ମୀ, ଜନତା, ସମସ୍ତେ ବୋଧହୁଏ ଭାବିନେଇଛନ୍ତି ଯେ ନିର୍ବାଚନ ପାଇଁ ସବୁ ମାଫ୍! ଏଭଳି ଢିଲାପଣ କରୋନା ସଂକ୍ରମଣକୁ ବ୍ୟାପକ କରିବା ଆଶଙ୍କା ଦେଖାଦେଇଛି।

ବାଲେଶ୍ୱର ଓ ଜଗତ୍‌ସିଂହପୁରରେ କରୋନା ସ୍ଥିତି

ବାଲେଶ୍ୱର ଜିଲାରେ ଏଯାବତ୍ ୧୦,୨୦୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ୬୮ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି। ଜିଲାରେ ୬୭୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସଂକ୍ରମଣ ତାଲିକାରେ ଏହି ଜିଲା ୮ ନଂ ସ୍ଥାନରେ ରହିଛି। କରୋନା ମୃତ୍ୟୁ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ବାଲେଶ୍ୱର। ସେହିପରି ଜଗତ୍‌ସିଂହପୁର ଜିଲାରେ ୭,୪୭୫ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ଏଯାବତ୍‌ ୨୨ ଜଣଙ୍କ ଜୀବନ ନେଲାଣି କରୋନା। ଜିଲାରେ ୭୭୯ ଜଣ ସକ୍ରିୟ ଆକ୍ରାନ୍ତ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here