ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆକାଶରେ ଦେଖିବାକୁ ମିଳିଛି ଦୁର୍ଲଭ ନୀଳ ଜହ୍ନ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଆକାଶରେ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।

ତେବେ ନୀଳ ଜହ୍ନର ଅର୍ଥ, ଜହ୍ନ ନୀଳ ଦିଶିବ ତାହା ନୁହେଁ। ଗୋଟିଏ ମାସରେ ଦୁଇଥର ପୂର୍ଣ୍ଣମୀ ପଡ଼ିଲେ ଏହାର ଦ୍ୱିତୀୟ ପୂର୍ଣ୍ଣମୀକୁ ନୀଳ ଜହ୍ନ କୁହାଯାଇଥାଏ। ପ୍ରାୟତଃ ପ୍ରତି ମାସରେ ଗୋଟିଏ ଥର ପୂର୍ଣ୍ଣମୀ ଓ ଗୋଟିଏ ଥର ଅମାବାସ୍ୟା ତିଥି ପଡ଼ିଥାଏ। ହେଲେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଗୋଟିଏ ମାସରେ ଦୁଇଥର ପୂର୍ଣ୍ଣମୀ ତିଥି ପଡ଼ିଛି। ଯାହାକୁ ନୀଳ ଜହ୍ନ ବୋଲି କୁହାଯାଉଛି।

ଅକ୍ଟୋବର ମାସର ଏକ ତାରିଖ ପୂର୍ଣ୍ଣମୀ ତିଥି ଥିଲା। ଏହାପରେ ଆଜି ଗୋଟିଏ ମାସ ଭିତରେ ପୁଣିଥରେ ପୂର୍ଣ୍ଣମୀ ହୋଇଛି, ଯାହାକୁ ନୀଳ ଜହ୍ନ କୁହାଯାଉଛି।ଏହାପୂର୍ବରୁ ୩୦ ଦିନିଆ ମାସ ଭିତରେ ୨୦୦୭ ମସିହା ଜୁନ୍ ୩୦ ତାରିଖରେ ଶେଷ ଥର ପାଇଁ ନୀଳ ଜହ୍ନ ଦେଖିବାକୁ ମିଳିଥିଲା। ଏହାପରେ ଆଗାମୀ ଥର ଏହା ୨୦୫୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଦେଖିବାକୁ ମିଳିବ। ସେହିପରି ୩୧ ଦିନିଆ ମାସ ଭିତରେ ୨୦୧୮ ମସିହା ଜାନୁଆରି ୩୧ ତାରିଖ ଓ ମାର୍ଚ୍ଚ ୩୧ ତାରିଖରେ ନୀଳ ଜହ୍ନ ଦେଖିବାକୁ ମିଳିଥିଲା।

ଜ୍ୟୋର୍ତିବିଜ୍ଞାନୀମାନଙ୍କ କହିବା ଅନୁଯାୟୀ, ଚନ୍ଦ୍ର ମାସର ଅବଧି ୨୯.୫୩୧ ଦିନ ପାଇଁ ହୋଇଥାଏ। ଯାହା ୨୯ ଦିନ ୧୨ ଘଣ୍ଟା ୪୪ ମିନିଟ୍ ଓ ୩୮ ସେକେଣ୍ଡ ବୋଲି ଗଣାଯାଇଥାଏ। ସେହି ଦୃଷ୍ଟିରୁ ଯେଉଁ ମାସର ଏକ ତାରିଖ କିମ୍ବା ଦୁଇ ତାରିଖରେ ପୂର୍ଣ୍ଣମୀ ପଡିଥାଏ ସେହି ମାସରେ ଦୁଇଥର ପୂର୍ଣ୍ଣମୀ ତିଥି ପଡ଼ିବାର ସମ୍ଭାବନା ଥାଏ।

Comment