ସନ୍ତୋଷ କୁମାର

ବାଲେଶ୍ୱର ଓ ତିର୍ତ୍ତୋଲରେ ଆଜି ଉପନିର୍ବାଚନୀ ଭୋଟ୍‌। ଜନତା ନିର୍ଦ୍ଧାରଣ କରିବେ ନେତାଙ୍କ ଭାଗ୍ୟ।

ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ପଡୁଛି ଭୋଟ୍‌। ଏହି ଦୁଇଟି ଆସନର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା। ଦୁଇଜଣ ଦିବଂଗତ ବିଧାୟକଙ୍କ ଅବର୍ତ୍ତମାନରେ ଏହି ଉପନିର୍ବାଚନ ହେଉଥିବାରୁ ଏଠାରୁ ଜିତିବା କାହା ପାଇଁ ସମବେଦନାର ପ୍ରସଙ୍ଗ ତ ପୁଣି କାହା ପାଇଁ ବିଜୟ ହେଉଛି ସମ୍ମାନର ପ୍ରଶ୍ନ। ଏହି ପରିପ୍ରେକ୍ଷୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଏଠାରୁ ଆଶା ବାନ୍ଧି ବସିଛନ୍ତି।

ବାଲେଶ୍ୱରର ଦିବଂଗତ ବିଧାୟକ ମଦନମୋହନ ଦତ୍ତ ବିଜେପିର ଥିଲାବେଳେ ତିର୍ତ୍ତୋଲର ପରଲୋକଗତ ବିଧାୟକ ବିଷ୍ଣୁ ଦାସ ବିଜେଡି ଦଳରୁ ଥିଲେ। ତେଣୁ ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ଦୁଇ ଦିବଂଗତ ବିଧାୟକଙ୍କ ପୁଅମାନଙ୍କୁ ପ୍ରାର୍ଥୀ କରିଛି ବିଜେଡି ଓ ବିଜେପି। ତେଣୁ ନିଜ ପିତାଙ୍କ ପ୍ରତି ନିର୍ବାଚନ ମଣ୍ଡଳୀର ସମ୍ବେଦନା ବଜାୟ ରଖିବା ପାଇଁ ଚାହିଁବେ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସ ଓ ମଦନମୋହନଙ୍କ ପୁଅ ମାନସ ଦତ୍ତ।

ଦୀଘ ବର୍ଷର ବ୍ୟବଧାନ ପରେ ବାଲେଶ୍ୱର ଆସନକୁ ହରାଇଥିଲା ବିଜେଡି। ତେଣୁ ଉପନିର୍ବାଚନକୁ ଜିତି ପୁଣିଥରେ ନିଜ ଆସନକୁ ଦଖଲ କରିବା ଦଳ ପାଇଁ ସମ୍ମାନର ପ୍ରଶ୍ନ। ସେହିପରି ତିର୍ତ୍ତୋଲରେ ବିଜେଡିକୁ ମାତ୍‌ ଦେଇ ଫୁଲ ଫୁଟାଇବା ଆଶାରେ ରହିଛି ବିଜେପି।

ବିଭିନ୍ନ ଦୃଷ୍ଟିରୁ ସବୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ

ଏହି ଦୁଇଟି ଆସନରେ ଉପନିର୍ବାଚନ ଶାସକ ଦଳ ସହ ବିରୋଧୀ ଦଳ ପାଇଁ ମଧ୍ୟ ବେଶ୍‌ ଗୁରୁତ୍ୱ ବହନ କରୁଛି। ଏଥର ଉଭୟ ସ୍ଥାନର ମତଦାତାଙ୍କୁ କୋଭିଡ୍‌ ପରିଚାଳନାର ସଫଳତାକୁ ଦେଖାଇ ଭୋଟ୍‌ ହାତେଇବା ପାଇଁ ଉଦ୍ୟମ କରିଛି ବିଜେଡି। ଅନ୍ୟପକ୍ଷରେ କରୋନା ଅତିମାରୀ ବେଳେ ଶାସକ ଦଳର ନାନା ପ୍ରକାର ଦୋଷତ୍ରୁଟି, ଅନିୟମିତତାକୁ ପ୍ରସଙ୍ଗ କରି ଜନତାଙ୍କୁ ନିଜ ଆଡ଼କୁ ଢଳାଇବା ପାଇଁ ଲାଗିପଡ଼ିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ତେଣୁ ସରକାରଙ୍କ କୋଭିଡ୍‌ ପରିଚାଳନାକୁ ଲୋକେ ସତରେ କିପରି ଗ୍ରହଣ କରିଛନ୍ତି, ତାହାର ଉତ୍ତର ଦେବ ଏହି ଉପନିର୍ବାଚନର ଫଳାଫଳ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିଛି ନା ପୂର୍ବ ପରି ଅତୁଟ ରହିଛି, ତାହାର ସ୍ପଷ୍ଟ ଆଭାସ ହେବ ଏହି ଉପନିର୍ବାଚନ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଭୋଟ୍‌ ଆସିପାରିବ କି ନା, ତାହାର ଚିତ୍ର ପାଇବ ବିଜେପି। ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ପତିଆରା କେତେ ରହୁଛି, ତାହା ମଧ୍ୟ ଜଣାପଡ଼ିବ। କଂଗ୍ରେସ ପ୍ରତି ମଧ୍ୟ ଲୋକଙ୍କ ଆଭିମୁଖ୍ୟ କ’ଣ, ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ କଂଗ୍ରେସ ଉଭୟ ଆସନରେ ଯେଉଁ ଦୁଇ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି, ଲୋକେ ସେମାନଙ୍କୁ କିପରି ଗ୍ରହଣ କରୁଛନ୍ତି, ତାହାର ମଧ୍ୟ ପରୀକ୍ଷଣ ହେବ। ଦୁର୍ବଳ ହୋଇପଡ଼ିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଚେଲା କୁମାର ରାଜ୍ୟ ସଙ୍ଗଠନକୁ କିପରି ଦିଶା ଦେଇଛନ୍ତି, ତାହା ମଧ୍ୟ ଜଣାପଡ଼ିଯିବ।

ବାଲେଶ୍ୱର ଆସନ

ଏହି ନିର୍ବାଚନ ମଣ୍ଡଳୀରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ନୂଆ। ପ୍ରଥମଥର ପାଇଁ ସେମାନେ ବିଧାନସଭା ନିର୍ବାଚନ ଲଢୁଛନ୍ତି। ବିଜେପିର ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ପାଇଁ ଅନୁକମ୍ପା ଭୋଟ୍‌ ପ୍ଲସ୍ ପଏଣ୍ଟ ହେବ। ଏହି ଆସନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଲୋକସଭା ସଂସଦୀୟ କ୍ଷେତ୍ରରେ ଆସୁଥିବାରୁ ମାନସଙ୍କ ବିଜୟ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ। ତେଣୁ ନିଜ ଗଡ଼ ରକ୍ଷା ଲକ୍ଷ୍ୟରେ ରହିଛି ବିଜେପି। ସେହିପରି ବିଜେଡି ନିଜ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇ ପୂର୍ବ ଗଡ଼ ପୁନର୍ବାର ଦଖଲ କରିବାକୁ ଚାହିଁବ ନିଶ୍ଚୟ। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜ ରାଜନୈତିକ ଭବିଷ୍ୟତର ଭାଗ୍ୟ ପରୀକ୍ଷା କରିବେ।

ତିର୍ତ୍ତୋଲ ଆସନ

ଏଠାରୁ ବିଜେଡି ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି। ବାପାଙ୍କ ପତିଆରା, ତାଙ୍କ ପରଲୋକଜନିତ ସମ୍ବେଦନା, ଶାସକ ଦଳର ଅଭୟ ହସ୍ତ ତାଙ୍କୁ ସୁବିଧାଜନକ ସ୍ଥିତିରେ ରଖିଛି। ବିଜେପି ସେଠାରେ ପୂର୍ବରୁ ନିର୍ବାଚନୀ ଅଭିଜ୍ଞତା ରଖିଥିବା ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନବାଗତ ହିମାଂଶୁ ମଲ୍ଲିକଙ୍କୁ ଛିଡ଼ା କରାଇଛି।

ଉଭୟ ଆସନରେ ବିଜେଡି ପାଇଁ ବହୁ ମନ୍ତ୍ରୀ, ଚିତ୍ର ତାରକା ପ୍ରଚାର କରିଥିବା ବେଳେ ବିଜେପି ପାଇଁ ଦଳର ଦୁଇ କେନ୍ଦ୍ରମନ୍ତ୍ରୀ ଓ ବହୁ ହେଭିୱେଟ୍‌ ଶକ୍ତି ଦେଖାଇଥିଲେ। ଛାମୁଆ ନେତାଙ୍କ ପ୍ରଚାରରେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନ ଥିଲା। ନେତା ସେମାନଙ୍କ କାମ ସାରିବା ପରେ ଆଜି ଜନତାଙ୍କ ପାଳି। ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ। ସେମାନେ ଆଜି ଭୋଟ୍‌ ଦେଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଉଭୟ ଆସନରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ତେବେ ବାଲେଶ୍ୱର ଓ ତିର୍ତ୍ତୋଲରେ କିଏ ବାଜିମାତ୍‌ କରୁଛି, ତାହା ଭୋଟ୍‌ ପଡ଼ିବା ପରେ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here