ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପରେ ଆଗକୁ ପିପିଲିରେ ହେବାକୁ ଯାଉଛି ଉପ ନିର୍ବାଚନ।

ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ନୂଆ ବିଧାୟକ? ବିଜେଡିର ଗଡ଼ ଭାବେ ପରିଚିତ ପିପିଲିରେ ଆଗକୁ ଉପ ନିର୍ବାଚନ ହେଲେ କିଏ ଦଖଲ କରିବ ଏହି ଆସନ? ବିଜେଡି ନିଜ ଗଡ଼ ବଜାୟ ରଖିବ ନା ଅନ୍ୟ କେଉଁ ଦଳ ପିପିଲିରେ ନୂଆ ପଲିଟିକାଲ୍ ଇନିଂସ୍ ଆରମ୍ଭ କରିବ? ତାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ମଙ୍ଗଳବାର ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପ ନିର୍ବାଚନ ଭୋଟଗ୍ରହଣ ଶେଷ ହୋଇଛି। ଏହି ନିର୍ବାଚନର ଫଳାଫଳ ବାହାରିବା ଆଗରୁ ଏବେ ପିପିଲି ପଲିଟିକ୍ସକୁ ରାଜନୀତି କରିଡରରେ ଆଲୋଚନା ଆରମ୍ଭ ହୋଇଯାଇଛି। ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରେ ବିଜେପି ଓ କଂଗ୍ରେସ ଏଠାରେ ଏକ ରାଜନୈତିକ ପରିବର୍ତ୍ତନର ସ୍ୱପ୍ନ ଦେଖୁଥିବାବେଳେ ବିଜେଡି କିନ୍ତୁ ନିଜ ପୁରୁଣା ଗଡ଼ ବଞ୍ଚାଇ ରଖିବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଫୋକସରେ ପିପିଲି

ନିୟମ ଅନୁଯାୟୀ, ଜଣେ ବିଧାୟକଙ୍କ ମୃତ୍ୟୁର ୬ ମାସ ଭିତରେ ସେହି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ। ଏପରି ହେଲେ ୨୦୨୧ ମସିହା ଏପ୍ରିଲ ୩ ତାରିଖ ସୁଦ୍ଧା ପିପିଲି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ। ତେଣୁ ଏବେ ସବୁ ଦଳର ଫୋକସରେ ପିପିଲି ନିର୍ବାଚନ ମଣ୍ଡଳୀ। ପ୍ରଦୀପ ମହାରଥୀଙ୍କ ପରେ ପିପିଲିର ଭୋଟର କାହା ଉପରେ ସୁନା କଳସ ଢାଳିବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।ଗଡ଼ ସମ୍ଭାଳିପାରିବ ତ ବିଜେଡି?

ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡିର ପୁରୁଣା ଗଡ଼ ଭାବେ ପରିଚିତ। ଦଳ ଗଠନ ହେବା ପରଠାରୁ ଏଠାରୁ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହିଁ ଜିତି ଆସୁଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଗତ ୨୦ ବର୍ଷ ଧରି ସେଠାରୁ ନିର୍ବାଚିତ ହୋଇନାହାନ୍ତି। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମଝିରେ ୫ ବର୍ଷକୁ ଛାଡ଼ି ଦେଲେ, ୧୯୮୫ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଦୀପ ମହାରଥୀ ଏହି ଆସନରୁ ଜିତି ଆସୁଥିଲେ। ତେଣୁ ନିଜର ପୁରୁଣା ଗଡ଼ ବଞ୍ଚାଇ ରଖିବାକୁ ବିଜେଡି ଜୋରଦାର ଚେଷ୍ଟା କରିବ।

ଗଡ଼ ସମ୍ଭାଳିବାକୁ ବିଜେଡି ଏଠାରେ ଅନୁକମ୍ପା କାର୍ଡ ଖେଳିପାରେ ବୋଲି କୁହାଯାଇଛି। ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ କିମ୍ବା ତାଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ଭିତରୁ ଜଣକୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଦଳ ବିଜେପୁର, ପାଟକୁରା ଓ ତିର୍ତ୍ତୋଲରେ ମଧ୍ୟ ଏହି ନୀତି ଆପଣେଇସାରିଛି। ତେଣୁ ପିପିଲିରେ ମଧ୍ୟ ଦଳ ସେପରି କରିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ପରିବର୍ତ୍ତନ ଲକ୍ଷ୍ୟରେ ବିଜେପି, କଂଗ୍ରେସ

ପିପିଲିରେ ବର୍ତ୍ତମାନ ଏକ ରାଜନୈତିକ ପରିବର୍ତ୍ତନର ସ୍ୱପ୍ନ ଦେଖୁଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ। ମହାରଥୀଙ୍କ ପୂର୍ବରୁ ଏଠାରେ କଂଗ୍ରେସର ଶାସନ ଚାଲୁଥିଲା। ତେଣୁ ନିଜର ପୁରାତନ ନିର୍ବାଚନ ମଣ୍ଡଳୀରେ ଜିତାପଟ ହାସଲ କରିବାକୁ କଂଗ୍ରେସ ଦଳ କସରତ କରିବ ବୋଲି କୁହାଯାଉଛି।

୨୦୧୯ ମସିହାରେ ଦଳ ଏଠାରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ନିର୍ବାଚନରେ ସେତେଟା ସଫଳ ହୋଇପାରିନଥିଲେ। ତାଙ୍କ ପୂର୍ବରୁ ଦଳ ଲଗାତାର ମହାରଥୀଙ୍କ ଦୃଢ଼ ବିରୋଧୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରି ଦ୍ୱିତୀୟ ସ୍ଥାନରେ ରହୁଥିଲା। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିଯିବା ସହ କଂଗ୍ରେସ ତିନି ନମ୍ବରକୁ ଖସି ଆସିଥିଲା।

ଅନ୍ୟପଟେ ଗତ ସାଧାରଣ ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଛି। ୨୦୧୯ରେ ପ୍ରଦୀପ ଏହି ଆସନରୁ ମୋଟ ୮୮,୫୧୮ ଭୋଟ୍ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୨,୭୩୧ ଭୋଟ ପାଇ ମହାରଥୀଙ୍କ କଡ଼ା ଟକ୍କର ଦେଇଥିଲେ। ତେଣୁ ଏହି ଆସନରେ ଏକ ପରିବର୍ତ୍ତନ ଆଶା ନେଇ ବିଜେପି ମଇଦାନକୁ ଓହ୍ଲାଇବ ବୋଲି କୁହାଯାଉଛି।

ତେବେ ଶେଷରେ ମହାରଥୀଙ୍କ ପରେ ପିପିଲର ଭୋଟର କାହାକୁ ନିଜର ନେତା ବାଛୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment