ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଅଚଳାବସ୍ଥା ଜାରି ରହିଥିବା ବେଳେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ମୁଖ୍ୟ ଫାଟକରେ ତାଲା ପକାଇ ସେମାନେ ବିକ୍ଷୋଭ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବା ଲାଗି ଅନୁମତି ସହ ବକେୟା ଦରମା ପ୍ରଦାନ କରିବା ଦାବି ନେଇ ସେମାନେ ବିଲ୍ଟ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଆର୍ଥିକ ସଙ୍କଟ କାରଣରୁ ୨ ବର୍ଷ ହେଲା ମିଲ୍‌ର ଉତ୍ପାଦନ ବନ୍ଦ ରହିଛି। ଅନ୍ୟପଟେ କରୋନା ଯୋଗୁ ଗତ ମାର୍ଚ୍ଚ ମାସ ପରଠାରୁ କର୍ମଚାରୀଙ୍କୁ ମିଲ୍ ପରିସରକୁ ଆସିବାକୁ ବାରଣ କରିଥିଲେ କର୍ତ୍ତୃପକ୍ଷ। କର୍ମଚାରୀ ଏନ୍ ସୁରେଶଙ୍କ କହିବା ଅନୁଯାୟୀ, ଅନଲକ୍ ୬.୦ ପରେ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେଇ ପାରିବେ ବୋଲି ମିଲ୍ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ବି ଏହାକୁ ପାଳନ କରିନାହାନ୍ତି।

ଏବେ ବାହାର ରାଜ୍ୟର ହାତଗଣତି କେତେକ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ କାମରେ ଯୋଗ ଦେବା ପାଇଁ ଅନୁମତି ଦେଇଛନ୍ତି। ଅନ୍ୟ କର୍ମଚାରୀମାନେ ହାତ ବାନ୍ଧି ବସିଛନ୍ତି। ତେଣୁ ୩ ମାସର ଦରମା ସହ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁମତି ଦେବା ଦାବିରେ କର୍ମଚାରୀମାନେ ଗତକାଲି ବିଲ୍ଟ ମୁଖ୍ୟ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କରିଥିଲେ। ଯେତେ ଦିନ ଯାଏ ମିଲ୍ କର୍ତ୍ତୃପକ୍ଷ ସେମାନଙ୍କ ଦାବି ପୂରଣ କରିନାହାନ୍ତି ସେତେ ଦିନ ଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।ଏହି ମିଲ୍‌ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। କିନ୍ତୁ କର୍ମସଂସ୍ଥାନ ନଥିବାରୁ ଏମାନଙ୍କ ଜୀବନ ଜୀବିକା ଏବେ ସଙ୍କଟ ମଧ୍ୟରେ ଗତି କରୁଛି। ଗତ ୨୦୧୯ ମାର୍ଚ୍ଚ ମାସଠାରୁ କର୍ମଚାରୀମାଙ୍କୁ ଦରମା ମିଳିନାହିଁ। ଏମିତିକି ଓଭର୍ ଟାଇମ୍ କାମ କରୁଥିବା କର୍ମଚାରୀଙ୍କୁ ଗତ ୪ ମାସ ହେବ ସେମାନଙ୍କ ପ୍ରାପ୍ୟ ମିଳିନି।

ରାଜ୍ୟ ସରକାର ୨୦୧୭ରେ କାରଖାନା ଚଲାଇବା ପରେ କମ୍ପାନିକୁ କେତେକ କ୍ଷେତ୍ରରେ ରିହାତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଗତ ୧୩ ଜୁଲାଇ ୨୦୧୮ରେ ମିଲ୍ ବନ୍ଦ ହୋଇଥିବା ବେଳେ ବହୁ ଚେଷ୍ଟା ପରେ ୩ ମାସ ପରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ୨୦୧୯ ଏପ୍ରିଲ ୨୦ରୁ ପେପର ମିଲ୍‌ର ଉତ୍ପାଦନ ପୁଣି ବନ୍ଦ ହୋଇଛି। ତେଣୁ ମିଲ୍‌ର କର୍ମଚାରୀମାନେ ଅନିଶ୍ଚିତତା ଭିତରେ ଅଛନ୍ତି।

ଅନ୍ୟପଟେ ୨୦୧୯ ଫେବୃଆରୀରୁ କର୍ମଚାରୀମାନେ ଦରମା ପାଇନଥିବା ବେଳେ ଠିକା କର୍ମଚାରୀ ମାଧ୍ୟ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଅର୍ଥ ଅଭାବରୁ କର୍ମଚାରୀଙ୍କ ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏପରିକି ସେମାନେ ଭୋକ ଉପାସରେ ରହିବା ସହ ବହୁ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି।

ଯଦି ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ସହଯୋଗର ହାତ ନ ବଢ଼ାନ୍ତି ତେବେ ୧୦ ହଜାରରୁ ଅଧିକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯିବ ବୋଲି ମତ ପ୍ରକାଶ ପାଉଛି। ଏଥିପାଇଁ ଦୀର୍ଘ ୮୪ ଦିନ ହେବ ଜାତୀୟ ରଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ନିବେବନ କରି ୧ ଘଣ୍ଟା ନିରବ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

Comment