ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଶେଷ ଅସ୍ତ୍ର ପ୍ରୟୋଗ କରିଛନ୍ତି ନୀତିଶ। ସେହି ଅସ୍ତ୍ର ହେଉଛି ସମ୍ବେଦନାର ରାଜନୀତି।

ବିହାର ବିଜୟ ନେଇ ଆଶଙ୍କାରେ ଅଛନ୍ତି କି ନୀତିଶ? ଛଅ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କାହିଁକି ରାଜନୀତିରୁ ସନ୍ନ୍ୟାସ ଘୋଷଣା ନେଲେ? ପ୍ରଚାରର ଶେଷ ଦିନରେ ନୀତିଶ ଏହି ଘୋଷଣା କରି ଭୋଟରଙ୍କ ଅନୁକମ୍ପା ଭୋଟ୍ ସାଉଁଟିବାକୁ ଲକ୍ଷ୍ୟ ରଖିନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ବିହାର ରାଜନୀତି ଉଠୁଛି ପଡୁଛି।ଶନିବାର ବିହାରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି। ଏଥିପାଇଁ ସବୁ ଦଳ ପ୍ରଚାର ମଧ୍ୟ ଶେଷ କରିଛନ୍ତି। ହେଲେ ଏହାପୂର୍ବରୁ ‘ଅନୁକମ୍ପା କାର୍ଡ’ ଖେଳିଛନ୍ତି ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏଥରର ବିହାର ନିର୍ବାଚନ ତାଙ୍କ ଜୀବନର ଶେଷ ନିର୍ବାଚନ ବୋଲି କହିବା ସହିତ ତାଙ୍କୁ ଜିତେଇବା ପାଇଁ ନୀତିଶ ଭୋଟରଙ୍କ ପାଖରେ ଭୋଟ୍ ଭିକ୍ଷା କରିଛନ୍ତି।

ଶୁକ୍ରବାର ପୁର୍ଣ୍ଣିୟାର ଏକ ନିର୍ବାଚନୀ ରାଲିରେ ପ୍ରଚାର କରିବା ସମୟରେ ନୀତିଶ କହିଛନ୍ତି, “ଆଜି ପ୍ରଚାରର ଶେଷ ଦିନ। ଶନିବାର ଭୋଟ୍ ହେବାକୁ ଯାଉଛି। ଏହା ମୋ ଜୀବନର ଶେଷ ନିର୍ବାଚନ।”

ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ!

ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପଛରେ ନୀତିଶଙ୍କ ବଡ଼ ରାଜନୈତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି। ଏହାଦ୍ୱାରା ସେ ଭୋଟରଙ୍କ ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବାବେଳେ, ସପ୍ତମ ଥର ଭାବେ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ସ୍ୱପ୍ନ ଦେଖୁଛନ୍ତି।

ଏଥରର ବିହାର ନିର୍ବାଚନରେ ଗତ ଦୁଇଟି ପର୍ଯ୍ୟାୟ ଭୋଟକୁ ଦେଖିଲେ ନିର୍ବାଚନ ଫଳ କାହା ପଟକୁ ଯିବ ତାହା କହିବା ମୁସ୍କିଲ୍ ହୋଇଯାଇଛି। ପୂର୍ବରୁ ନିର୍ବାଚନ ଫଳ ନୀତିଶଙ୍କ ପଟକୁ ଯିବ ବୋଲି ସମସ୍ତେ କହୁଥିଲେ, ହେଲେ ନିର୍ବାଚନୀ ପାଣିପାଗ ବଦଳିବା ସହିତ ଏବେ ନୀତିଶ ମୁଖ୍ୟମନ୍ତ୍ରୀ ହେବେ ନା ଆଉ କିଏ ନିର୍ବାଚନ ଜିତିବ ତାହା ଆକଳନ କରିବା କଷ୍ଟ ହୋଇଯାଇଛି। ତେଣୁ ଶେଷରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅନୁକମ୍ପା କାର୍ଡ ଖେଳିବା ସହିତ ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି ନୀତିଶ।ଭାରିପଡ଼ିଲେ ତେଜସ୍ୱୀ ଯାଦବ, ଚିରାଗ ପାଶୱାନ୍

ନୀତିଶଙ୍କ ସନ୍ନ୍ୟାସ ଘୋଷଣା ପଛରେ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ଏଲଜେପି ନେତା ଚିରାଗ ପାଶୱାନଙ୍କ ପ୍ରମୁଖ ଭୂମିକା ଥିବା ଅନୁମାନ କରାଯାଉଛି। ଏହି ଦୁଇ ଯୁବ ନେତାଙ୍କ କାରଣରୁ ନୀତିଶ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିବା ଆରମ୍ଭ କରିଲେଣି।

ଅସଲ କଥା ହେଉଛି, ବିହାର ନିର୍ବାଚନ ପାଇଁ ଯେଉଁ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇଲା ସେ ସମୟରେ ନିର୍ବାଚନୀ ହାୱା ନୀତିଶଙ୍କ ପକ୍ଷରେ ଥିଲା। ନୀତିଶ ଖୁବ୍ ସହଜରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ବୋଲି ସମସ୍ତେ କହୁଥିଲେ। ହେଲେ ନୀତିଶଙ୍କ ଏହି ଗଣିତକୁ ବିଗାଡ଼ିଦେଇଥିଲେ ତେଜସ୍ୱୀ ଓ ଚିରାଗ। ଆରଜେଡି ନେତା ତେଜସ୍ୱୀ ଯାଦବ ଲଗାତାର ଭାବେ ବେରୋଜାଗାରୀ, ନିଯୁକ୍ତି ଆଦିକୁ ପ୍ରସଙ୍ଗ କରି ବିହାର ସରକାରଙ୍କୁ ଟାର୍ଗେଟ କରିଥିଲେ। ତା ସହିତ କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ,ଦୁର୍ଦ୍ଦଶାଙ୍କୁ ମଧ୍ୟ ବଖାଣିଥିଲେ ତେଜସ୍ୱୀ ଯାଦବ। ଯାହା ଫଳରେ ନୀତିଶଙ୍କ ପଟକୁ ବୋହୁଥିବା ନିର୍ବାଚନୀ ହାୱା ଧିରେଧିରେ ନିଜ ଦିଗ ବଦଳାଇଥିଲା।ଅନ୍ୟପଟେ ପୂର୍ବରୁ ଏନଡିଏରେ ଥିବା ଲୋକଜନଶକ୍ତି ପାର୍ଟି ଏଥର ବିହାରରେ ସ୍ୱାଧୀନ ହୋଇ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲା। ଏଲଜେପି ନେତା ଚିରାଗ ପାଶୱାନ ଏହି ସମୟରେ ଚତୁର ରାଜନୈତିକ ପଶାପାଲି ଖେଳିଥିଲେ। ସେ କେବଳ ଜେଡିୟୁ ଏବଂ ଆରଜେଡି ବିରୋଧରେ ପ୍ରାର୍ଥୀ ଠିଆ କରିବା ସହିତ ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଠିଆ କରିନଥିଲେ। ଯେଉଁ କାରଣରୁ ବିଜେପି ନେତାମାନେ ନିର୍ବାଚନ ପ୍ରଚାରରେ ଚିରାଗଙ୍କୁ ନେଇ ଚୁପ୍ ରହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜ ନିର୍ବାଚନ ପ୍ରଚାରରେ ଚିରାଗଙ୍କୁ ନେଇ ମୁହଁ ଖୋଲିନଥିଲେ। ଯାହା ଚିରାଗଙ୍କୁ ଫାଇଦାରେ ରଖିବା ସହିତ ନୀତିଶଙ୍କୁ ଘାଟା ପହଞ୍ଚାଇଥିଲା।

ତେଣୁ ଶେଷରେ ବାଧ୍ୟ ହୋଇ ନିଜ ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇବାକୁ ନୀତିଶ ଅବସର ଘୋଷଣା କରିଛନ୍ତି। ଏହାଦ୍ୱାରା ବିହାରୀ ଭୋଟର୍ ତାଙ୍କୁ ଅନୁକମ୍ପା ଭୋଟ୍ ଦେବେ ବୋଲି ନୀତିଶ ଆଶା ରଖିଥିବା ରାଜନୈତିକ ପଣ୍ଡିତମାନେ ଆକଳନ କରିଛନ୍ତି।

୧୯୭୭ରୁ ବିହାର ରାଜନୀତିରେ ନୀତିଶ କୁମାର

ଛଅ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ୭୦ ବର୍ଷୀୟ ନୀତିଶ କୁମାରଙ୍କ ଜନ୍ମ ୧୯୫୧ ମସିହା ମାର୍ଚ୍ଚ ୧ରେ ବିହାରର ଏକ ସାଧାରଣ ପରିବାରରେ ହୋଇଥିଲା। ନୀତିଶ କୁମାର ପ୍ରଥମେ ଇଞ୍ଜିନିୟରିଂ ପଢ଼ିଥିଲେ। ଏହାପରେ ୧୯୭୪-୭୭ ମସିହା ପର୍ଯ୍ୟନ୍ତ ସହ ଜେପି ଆନ୍ଦୋଳନ ସହ ଜଡ଼ିତ ରହିଥିଲେ।

୧୯୭୭ ମସିହାରେ ପ୍ରଥମ ଥର ପାଇଁ ନୀତିଶ ବିହାରର ହରନୌତ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ସେ ସମୟରେ ସେ ସେଠାରୁ ନିର୍ବାଚନ ହାରିଯାଇଥିଲେ। ପରେ ସେ ୧୯୮୦ରେ ପୁଣିଥରେ ସେ ଆସନରୁ ବିଧାୟକ ପାଇଁ ନିର୍ବାଚନ ଲଢ଼ିଥିଲେ। ହେଲେ ଲଗାତାର ଦ୍ୱିତୀୟ ଥର ପାଇଁ ସେ ନିର୍ବାଚନ ବୈତରଣୀ ପାର୍ କରିପାରିନଥିଲେ।

ଏହାପରେ ସେ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଚିନ୍ତା କରିଥିଲେ। ନିର୍ବାଚନରୁ ବାହାରି ସେ ଠିକାଦାର କାମ କରିବେ ବୋଲି ମନ କରିଥଇଲେ। ହେଲେ ୧୯୮୫ ମସିହାରେ ସେ ସେହି ହରନୌତ ସିଟରୁ ବିଧାୟକ ଭାବେ ପ୍ରଥମ କରି ନିର୍ବାଚିତ ହୋଇଥଲେ। ବାସ୍ ଏହିଠାରୁ ଆରମ୍ଭ ହୋଇଥିଲା ନୀତିଶଙ୍କ ବିଜୟ ଯାତ୍ରା। ନୀତିଶ ବିହାରରେ ନିଜକୁ ଜଣେ ଆଗଧାଡ଼ିର ନେତା ଭାବେ ପରିଚିତ କରିବା ସହିତ ଲୋକସଭାକୁ ଯାଇ ସେଠାରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହାପରେ ସେ ପ୍ରଥମ କରି ୨୦୦୦ ମସିହାରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମଝିରେ ଅଳ୍ପ ବର୍ଷକୁ ଛାଡ଼ିଦେଲେ ନୀତିଶ ଏଯାବତ ବିହାରର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

ଏଥର ବିହାର ନିର୍ବାଚନରେ ଯଦି ଏନଡିଏକୁ ବହୁମତ ମିଳେ ତେବେ ନୀତିଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ।

Comment