ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଉପନିର୍ବାଚନ ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବିଜେଡିରୁ ନିଲମ୍ଵନ ଓ ପରେ ତାଙ୍କର ଇସ୍ତଫାକୁ ନେଇ ଘନୀଭୂତ ହୋଇଥିବା ବିବାବ ଏବେ ନୂଆ ମୋଡ଼ ନେଇଛି। ଜଣେ କର୍ମୀଙ୍କ ସହ ଜୀବନ ପ୍ରଦୀପଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ ହେବା ପରେ ସେଥିରୁ ବିଜେପି ସହ ବିଜେଡିର ଲିଙ୍କ୍ ଥିବା ନେଇ ଚର୍ଚ୍ଚା ବଢ଼ିଛି।

ବିଜେଡି-ବିଜେପି ସମ୍ପର୍କୁ ନେଇ ପୁଣି ଚର୍ଚ୍ଚା

ଜୀବନ ପ୍ରଦୀପ ଏବଂ ତାଙ୍କ କର୍ମୀଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ ହେବା ପରେ ଏବେ ବିଜେଡି-ବିଜେପି ମଧ୍ୟରେ ସଲାସୁତୁରା ସମ୍ପର୍କ ରହିଥିବା ଶୁଣିବାକୁ ମିଳିଛି। ଯାହାକୁ ନେଇ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି।ଏହି ଘଟଣାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ଜୀବନ ଯାହା କହିଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ। ମୁଁ ଏହି କଥା ଆଗରୁ କହୁଥିଲି ଏବେ ବି କହୁଛି। ବିଜେଡି-ବିଜେପି ଗୋଟିଏ ହିଁ ଦଳ। ଯଦିଓ ନବୀନ ବାବୁ ବିଜେପିକୁ ଗେଟ୍‌ଆଉଟ କହିଛନ୍ତି ତଥାପି ତାଙ୍କ ମନରେ ସିବିଆଇ ଡର ରହିଛି। କାହିଁକି ନା ତାଙ୍କ ଦଳର ୧୧ରୁ ୧୨ ବିଧାୟକ ଚିଟ୍‌ଫଣ୍ଡ ମାମଲାରେ ଫସିକି ଅଛନ୍ତି।ଅନ୍ୟପଟେ ବିଜେପି ଏହାକୁ ଖଣ୍ଡନ କରିଛି। ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ଜୀବନଙ୍କ ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଜୀବନ ଦାସ ବିଜେପିରୁ ବିଧାୟକ ଥିଲେ, ବିଜେଡିରୁ ବି ବିଧାୟକ ଥିଲେ। ସେ ଏପରି ଶସ୍ତା ମନ୍ତବ୍ୟ ଦେବା ସମୀଚିନ ନୁହେଁ। ତେବେ ମୋ ମାନସିକତା ଯାହା ଥିବ ମୋ କଥାରେ ତାହା ବାହାରିବ। ସେହିଭଳି ଜୀବନଙ୍କ ମାନସିକତା ବି ସେହିଭଳି ରହିଥିବ। ତେଣୁ ସେ ମାନସିକତାକୁ ପରିହାର କରିବାର ଆବଶ୍ୟକତା ଅଛି। ବିଜେଡି-ବିଜେପି ମଧ୍ୟରୁ କିଏ ଏଠି ଏକ ଆଉ କିଏ ଦୁଇ ତାହା ଓଡ଼ିଶାର ଜନସାଧାରଣ ଠିକ୍‌ ଜାଣିଛନ୍ତି।“ଜୀବନ ବାବୁ ବିଜେଡିରେ ରହି ଯଦି ବିଜେପି ସହିତ ସମ୍ପର୍କ ରଖିଥିବେ ତାଙ୍କ ପାଇଁ ବିଜେଡି-ବିଜେପି ଗୋଟିଏ ଦଳ ହୋଇଥିବ। ଆମପାଇଁ ଏହା ନୁହେଁ। ବିଜୁ ଜନତା ଦଳ ତାର ସ୍ଵତନ୍ତ୍ରତା ବଜାୟ ରଖିଛି। ଆମେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସଠାରୁ ସମଦୂରତାରେ ରହିଛୁ। ବିଜୁ ଜନତା ଦଳର ଭୋଟରମାନେ ନବୀନ ବାବୁ ଆଉ ବିଜେଡିକୁ ହିଁ ଭୋଟ୍ ଦେବେ। ଦୁଇଟିଯାକ ଦଳରେ ଆମେ ଜିତିବୁ”, ଜୀବନଙ୍କ ବିଜେଡି-ବିଜେପି ଏକ ମନ୍ତବ୍ୟକୁ ଖଣ୍ଡନକରି ବିଜୁ ଜନତା ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଏହା କହିଛନ୍ତି।

ଅଡିଓରେ କ’ଣ କହିଥିଲେ ଜୀବନ

ଜୀବନ ସେହି ଅଡିଓରେ କର୍ମୀଙ୍କୁ କହିଛନ୍ତି ଯେ, ଦଳ ମତେ ବସେଇ ଦେଲା। ବାଲେଶ୍ୱର ଉପନିର୍ବାଚନରେ ଟିକେଟ ପାଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ। ରବି ଜେନା ହିଁ ସ୍ୱରୂପ ଦାସଙ୍କୁ ଟିକେଟ ପ୍ରଦାନରେ ସାହାଯ୍ୟ କରିଥିଲେ। ଏହା ପଛରେ ଏକ ଚାଲ୍ ଥିଲା। ସ୍ୱରୂପ ଟିକଟ ଫେରାଇ ଦେବେ ଆଉ ରବୀନ୍ଦ୍ର ଲଢ଼ିବେ। ଏମିତି ହେଲେ ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ। ବିହାର ପରି ରାଜନୀତି ହୋଇଯିବ। ଏପରି ବାଜେ ଲୋକ ଏଠି ଅଛନ୍ତି। ଏହା କହିବାରୁ ମତେ ସେମାନେ ଘରେ ବସାଇ ଦେଲେ।

ଏହା ପରେ ଅଡିଓରେ କର୍ମୀଜଣକ ଆପଣ କ’ଣ କରିବେ ବୋଲି ପଚାରିବାରୁ, ଜୀବନ କହିଛନ୍ତି ଯେ, ମୋ ଲୋକେ ମୋଷ୍ଟଲି ବିଜେପିକୁ ଭୋଟ ଦେବେ। ବିଜେପି ଆଉ ବିଜେଡି ଗୋଟିଏ ଦଳ। ତେଣୁ ଆପଣମାନେ ବିଜେପିକୁ ଭୋଟ ଦିଅନ୍ତୁ। ଫାଇନାନ୍ସ ଦରକାର ହେଲେ ତାହା ମୁଁ ଯୋଗାଇ ଦେବି।

ବାଲେଶ୍ୱର ସଦରର  ଥର ବିଧାୟକ ଜୀବନ ପ୍ରଦୀପ

ବାଲେଶ୍ୱର ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ଜୀବନ ପ୍ରଦୀପ ଦାଶ ବେଶ ପରିଚିତ। ସେ ସେଠାକାର ୩ ଥର ବିଧାୟକ ମଧ୍ୟ ରହିସାରିଛନ୍ତି। ୨୦୦୦ ମସିହାରେ ସେ ପ୍ରଥମ କରି ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ବାଲେଶ୍ୱର ସଦରର ବିଧାୟକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇଥିଲେ ବି ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ହାରି ଯାଇଥିଲେ। ଯେଉଁ କାରଣରୁ ଏଥର ଉପ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିନଥିଲା ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରିଥିଲେ।

Comment