ଓଡ଼ିଶାଲାଇଭ୍ ବ୍ୟୁରୋ

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତି ପ୍ରକ୍ରିୟାର ପଞ୍ଚମ ରାଉଣ୍ଡ ଶେଷ ହୋଇଛି। ଏଥର ମଧ୍ୟ ଶାସକ ଦଳ ବିଜେଡି ଆଗରେ ରହିଛି। ପାଖାପାଖି ୬,୪୦୦ ଭୋଟରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ ଥିବା ଜଣାପଡ଼ିଛି।

ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୮,୩୯୭ଟି ଭୋଟ ମିଳିଥିବା ବେଳେ ବିଜେପି ସପକ୍ଷରେ ୧୧,୯୯୭ ଭୋଟ ଯାଇଛି। ତେବେ କଂଗ୍ରେସକୁ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ମାତ୍ର ୨,୨୪୭ ଖଣ୍ଡ ଭୋଟ ମିଳିଛି।

ପ୍ରଥମ ରାଉଣ୍ଡରେ ବିଜେଡିକୁ ୩,୮୫୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୨,୭୭୪ ଓ କଂଗ୍ରେସକୁ ୪୪୨ ଖଣ୍ଡ ଭୋଟ ମିଳିଥିଲା। ଦ୍ଵିତୀୟ ରାଉଣ୍ଡରେ ବିଜେଡିକୁ ୭,୮୬୭, ବିଜେପିକୁ ୪,୫୫୭ ଓ କଂଗ୍ରେସକୁ ୧,୦୫୭ ଖଣ୍ଡ ଭୋଟ ମିଳିଥିଲା।

ସେହିପରି ତୃତୀୟ ରାଉଣ୍ଡରେ ବିଜେଡିକୁ ୧୧,୪୦୪, ବିଜେପିକୁ ୬,୯୫୯ ଓ କଂଗ୍ରେସକୁ ୧,୬୭୭ଟି ଭୋଟ ମିଳିଥିଲା। ଚତୁର୍ଥ ରାଉଣ୍ଡ ଗଣତିରେ ବିଜେଡିକୁ ୧୫,୧୩୧, ବିଜେପିକୁ ୯,୫୦୫ ଓ କଂଗ୍ରେସକୁ ୧,୯୩୫ଟି ଭୋଟ ମିଳିଥିଲା।

ଆଜି ସକାଳ ୮ଟାରୁ ଜଗତସିଂହପୁର ଏସଭିଏମ କଲେଜ ପରିସରରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। କୋଭିଡ୍ କଟକଣା ମଧ୍ୟରେ ଗଣତି ପ୍ରକ୍ରିୟା ଜାରି ରହିଛି।

ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ବିଜେଡିରୁ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ମଲ୍ଲିକ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି।

Comment