ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କଂଗ୍ରେସ ଦଳର ସ୍ଥିତି ଆହୁରି ଖରାପ। ଦୁଇଟି ଉପନିର୍ବାଚନରେ ଦଳର ପ୍ରାର୍ଥୀମାନେ ହାରିଛନ୍ତି କେବଳ ନୁହେଁ, ଗୋଟିଏ ଆସନରେ ଦଳର ଭୋଟ ମଧ୍ୟ ସାଙ୍ଘାତିକ ଭାବେ କମିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ପରାଜୟକୁ ଦଳ ପାଇଁ ଏକ ଧକ୍କା ବୋଲି କହିଛନ୍ତି।

ଏକ ଟୁଇଟରେ ପଟ୍ଟନାୟକ କହିଛନ୍ତି,‘‘ ଉପନିର୍ବାଚନ ଫଳ ଆମ ପାଇଁ ଏକ ବଡ଼ ଧକ୍କା। ଆମକୁ ଆତ୍ମସମୀକ୍ଷା କରିବା ପାଇଁ ହେବ ଏବଂ ଦଳକୁ ପୁନରୁଦ୍ଧାର ପାଇଁ ଆଗକୁ ଏକ ରୋଡ୍‌ମ୍ୟାପ ତିଆରି କରିବା ପାଇଁ ପଡ଼ିବ। ଆମେ ନିଶ୍ଚିତ ଭାବରେ ଦୃଢ଼ ହୋଇ ବାହାରିବୁ।’’

ଫଳାଫଳରୁ ଯାହା ଜଣାପଡ଼ୁଛି ବାଲେଶ୍ୱର ଆସନରେ ଏଥର ଭୋଟ ହାର ୨୦୧୯ ତୁଳନାରେ ଯଥେଷ୍ଟ କମିଛି। ତେବେ ତିର୍ତ୍ତୋଲ ଆସନରେ କଂଗ୍ରେସ ପ୍ରାର୍ଥୀ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି। ବାଲେଶ୍ୱରରେ ମମତା କୁଣ୍ଡୁ ଓ ତିର୍ତ୍ତୋଲରେ ହିମାଂଶୁ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିଲା।

ବାଲେଶ୍ୱର ଆସନରେ ମୋଟ ୧୬୨୩୩୯ ଭୋଟ ଭିତରୁ କୁଣ୍ଡୁ ମାତ୍ର ୪୯୮୩ ଭୋଟ ପାଇଛନ୍ତି। ଶତକଡ଼ା ହିସାବରେ ଏହା ୩ ପ୍ରତିଶତ। ସର୍ବ ପୁରାତନ ଦଳ ପାଇଁ ଏହା ଏକ ଘୋର ଅପମାନ। ସେ ତାଙ୍କ ଅମାନତ ବି ହରାଇଛନ୍ତି। ହିସାବ ଅନୁଯାୟୀ ଲୋକସଭା ଓ ବିଧାନସଭା  ନିର୍ବାଚନରେ ଯେଉଁ ପ୍ରାର୍ଥୀ ୧୬.୬ ପ୍ରତିଶତ ଭୋଟ ନପାଇବେ ସେ ଅମାନତ ହରାଇବେ।

ଫଳ ବାହାରିବା ପରେ କୁଣ୍ଡୁ କହିଛନ୍ତି ଯେ ଶାସକ ବିଜେଡି ନିର୍ବାଚନରେ ଅର୍ଥ ବଳ ଓ ବାହୁ ବଳ ଲଗାଇ ଭୋଟ ନେଇଛି। ସେ ଆହୁରି କହିଛନ୍ତି ଯେ ଜିଲ୍ଲାରେ କଂଗ୍ରେସର ସଂଗଠନ ଦୁର୍ବଳ।

୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ମାନସ ରଞ୍ଜନ ଦାସ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ ଓ ସେ ୧୯,୭୦୪ ଭୋଟ ପାଇଥିଲେ ଯାହାକି ଶତକଡ଼ା ହିସାବରେ ୧୩ ପ୍ରତିଶତ। ସେହି ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତ ୭୪୮୧୫ ଭୋଟ ପାଇଥିବା ବେଳେ ବିଜେଡିର ଜୀବନ ପ୍ରଦୀପ ଦାସ ୬୧,୪୦୯ ଭୋଟ ହାସଲ କରିଥିଲେ।

ତିର୍ତ୍ତୋଲ ଆସନରେ ଏଥର  କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୨୮୭୭୮ ଭୋଟ ପାଇଛନ୍ତି। ଶତକଡ଼ା ହିସାବରେ ଏହା ୧୭ ପ୍ରତିଶତ। ଗତ ନିର୍ବାଚନରେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକ ୨୩୮୦୪ ଭୋଟ ପାଇଥିଲେ।

Comment