ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଅନଲାଇନ୍ ଗେମ୍ ଖେଳି ଟଙ୍କା ବାକି ଆଉ ଏହାପରେ ଟଙ୍କା ନଶୁଝି ପାରିବାରୁ ଯୁବ ବ୍ୟବସାୟୀଙ୍କୁ ହତ୍ୟା। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ।

ନଭେମ୍ବର ୩ ତାରିଖରେ ପଟାଙ୍ଗୀ ଅଞ୍ଚଳର ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ। ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ହତ୍ୟାକାରୀଙ୍କୁ ଖୋଜିବା ଆରମ୍ଭ କରିଥିଲା। ଗୁରୁବାର ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ଏହି ହତ୍ୟାକାଣ୍ଡ ପଛରେ ଅନଲାଇନ୍ ଗେମ ଓ ଟଙ୍କା ବାକି ଘଟଣା ସମ୍ପୃକ୍ତ ଥିବା ସୂଚନା ଦେଇଛି।

ପୋଲିସର କହିବା ମୁତାବକ, ସୁନୀଲ ପାଢ଼ୀ ନାମକ ଜଣେ ବ୍ୟକ୍ତି ଗଙ୍ଗା ପ୍ରସାଦଙ୍କ ସହ ଅନଲାଇନ ଗେମ୍ ଖେଳିଥିଲେ। ଏହି ଗେମ୍ ଖେଳି ସେ ୩ ଲକ୍ଷ ଟଙ୍କା ହାରିଯାଇଥିଲେ, ଯାହାକୁ ସେ ପରେ ଶୁଝିପାରିନଥିଲେ।

ଏହାପରେ ଗଙ୍ଗା ପ୍ରସାଦ ତାଙ୍କର ବାକି ଥିବା ଟଙ୍କା ସୁନୀଲକୁ ମାଗିଥିଲେ। ହେଲେ ପ୍ରଥମେ ସୁନୀଲ ଏହା ଦେବାକୁ ସକ୍ଷମ ହୋଇନଥିଲେ। ପରେ କିନ୍ତୁ ବାପାଙ୍କଠୁ ଟଙ୍କା ଆଣି ସୁନୀଲ ଗଙ୍ଗା ପ୍ରସାଦଙ୍କୁ ଲକ୍ଷେ ଟଙ୍କା ଶୁଝିଦେଇଥିଲେ। ହେଲେ ଏହାପରେ ବି ଆହୁରି ୨ ଲକ୍ଷ ଟଙ୍କା ବାକି ରହିଥିଲା।

ଏହାପରେ ସୁନୀଲଙ୍କ ଭାଇ ଅନୀଲ ପାଢ଼ୀ, ଗଙ୍ଗା ପ୍ରସାଦଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରିଥିଲା। ସେଥିପାଇଁ ସେ ପ୍ରଥମେ ଗଞ୍ଜେଇ ବ୍ୟବସାୟର ବାହାନା କରି ଗଙ୍ଗା ପ୍ରସାଦ ସହ ମିଶିଥିଲା। କିଛି ଦିନ ମିଶିବା ପରେ ଅନୀଲ ଗଙ୍ଗା ପ୍ରସାଦଠୁ ବ୍ୟବସାୟ ପାଇଁ ୪୦ ହଜାର ଟଙ୍କା ଆଣିଥିଲା। ସେହି ଟଙ୍କାରେ ଅନୀଲ ପାରଳାଖେମୁଣ୍ଡି ଅଞ୍ଚଳର ଦୁଇ ସୁପାରି କିଲରଙ୍କୁ ଗଙ୍ଗା ପ୍ରସାଦଙ୍କୁ ହତ୍ୟା କରିବାକୁ କହିଥିଲା। ଏହାପରେ ସୁପାରି କିଲରମାନେ ଗତ ୩ ତାରିଖରେ ଗଙ୍ଗା ପ୍ରସାଦଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ।

ଏହାପରେ ପଟାଙ୍ଗି ପୋଲିସ ଏହି ଘଟଣାର ଛାନଭିନ୍ କରି ଅନୀଲ ପାଢ଼ୀଙ୍କ ସହ ମୋଟ ୩ ଜଣଙ୍କୁ ଗିରଫ କରିଛି। ତା ସହ ସୁପାରି କିଲରଙ୍କ ପାଖରୁ ପୋଲିସ ହତ୍ୟା କରିଥିବା ସାମଗ୍ରୀ, ଗୋଟିଏ କାର୍ ଓ ଗୋଟିଏ ବୁଲେଟ୍ ଜବତ କରିଛି।

Comment