ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକରେ ଆଇଟିଏଟିର ନୂଆ ବିଲ୍ଡିଂ ଲୋକାର୍ପିତ
  • ଭର୍ଚୁଆଲ୍ ମୋଡ୍‌ରେ ବିଲ୍ଡିଂ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
  • କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ
  • ଚଳିତବର୍ଷ ଆୟକର ବ୍ୟବସ୍ଥାରେ ନୂଆ ଢାଞ୍ଚା କରାଯିବ

କଟକ: ଦେଶ ଟିକସ-ଆତଙ୍କବାଦରୁ ଏବେ ଟିକସ-ସ୍ୱଚ୍ଛତା ଆଡ଼କୁ ଆଗେଇଛି। ଏହା କେବଳ ସଂସ୍କାର (ରିଫର୍ମ), ପ୍ରଦର୍ଶନ (ପର୍‌ଫର୍ମ) ଏବଂ ରୂପାନ୍ତରଣ (ଟ୍ରାନ୍ସଫର୍ମ) ପାଇଁ ସମ୍ଭବ ହୋଇପାରିଛି। ଯେଉଁସବୁ ନିୟମ ଏବଂ ବ୍ୟବସ୍ଥା ରହିଛି ସେସବୁରେ ନୂତନ ଟେକ୍ନୋଲୋଜି ସହାୟତାରେ ସଂସ୍କାର ଆସିପାରିଛି। ବୁଧବାର କଟକଠାରେ ଇନ୍‌କମ୍ ଟ୍ୟାକ୍ସ ଅପିଲେଟ୍ ଟ୍ରିବ୍ୟୁନାଲ୍ (ଆଇଟିଏଟି)ର ନୂଆ ବିଲ୍ଡିଂ ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ମୋଦୀ ଭର୍ଚୁଆଲ ମୋଡ୍‌ରେ ଏହି ବିଲ୍ଡିଂକୁ ଉଦ୍‌ଘାଟନ କରିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ଦେଶର ସମ୍ପଦ ସୃଷ୍ଟି କରିବାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ସମସ୍ୟା ଦୂର ହୋଇଯିବ ସେତେବେଳେ ଦେଶର ବ୍ୟବସ୍ଥା ଉପରେ ସେମାନଙ୍କର ବିଶ୍ୱାସ ବଢ଼ିଯିବ। ଏହି ବିଶ୍ୱାସ ବୃଦ୍ଧି ଯୋଗୁ ଆଜି ଟ୍ୟାକ୍ସ ବ୍ୟବସ୍ଥାରେ ଅଧିକରୁ ଅଧିକ ଲୋକ ସାମିଲ୍ ହୋଇ ଦେଶର ବିକାଶରେ ଭାଗୀଦାର ହୋଇପାରିଛନ୍ତି। ଟ୍ୟାକ୍ସ ହ୍ରାସ କରିବା ଏବଂ ବ୍ୟବସ୍ଥାକୁ ସରଳୀକରଣ କରିବା ହେଉଛି ସବୁଠାରୁ ବଡ଼ ସଂସ୍କାର।ଏହାଦ୍ଵାରା ସ୍ୱଚ୍ଛ ଟିକସଦାତାଙ୍କ ସମ୍ମାନ ରକ୍ଷା କରାଯିବା ସହ ସେମାନଙ୍କ ସମସ୍ୟାକୁ ହ୍ରାସ କରାଯାଇ ପାରିଛି।

ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ ହେଉ କିମ୍ବା ଟ୍ୟାକ୍ସ ରିଫଣ୍ଡ୍ ହେଉ, ଏସବୁ ବ୍ୟବସ୍ଥାକୁ ସହଜ ତଥା ସରଳ କରିବା ନେଇ ସରକାର ଯେଉଁ ଚିନ୍ତା କରୁଥିଲେ ତାହା ଆଜି ସମ୍ଭବ ହୋଇପାରିଛି। ଯାହାଫଳରେ ଦେଶରେ ଆଜି ୯୯.୭୫ ପ୍ରତିଶତ ଟ୍ୟାକ୍ସ ରିଟର୍ଣ୍ଣ ବିନା କୌଣସି ସମସ୍ୟାରେ ଗ୍ରହଣ ହୋଇପାରିଛି। ଏହା ଦେଶର ଟିକସ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ବୋଲି ମୋଦୀ ମତବ୍ୟକ୍ତ କରିଥିଲେ।ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଯେତେବେଳେ ଟିକସ ଅର୍ଥ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚେ ସେମାନେ ଏହାର ସୁଫଳ ଅନୁଭବ କରନ୍ତି। ଆଗରୁ ଟିକସଦାତା ଦୀର୍ଘ ଦିନ ଅପେକ୍ଷା କରି ତାଙ୍କ ଅର୍ଥ ଫେରସ୍ତ ପାଉଥିଲେ। କିନ୍ତୁ ଏବେ ମାତ୍ର ଅଳ୍ପ କିଛି ସପ୍ତାହ ମଧ୍ୟରେ ତାଙ୍କ ଅର୍ଥ ରିଫଣ୍ଡ୍ ପାଉଛନ୍ତି। ଏଣୁ ଟିକସ ବ୍ୟବସ୍ଥାରେ ସଂସ୍କାର ଆସିଛି ବୋଲି ଟିକସଦାତାମାନେ ଅନୁଭବ କରୁଛନ୍ତି।

ଯେତେବେଳେ ଟିକସଦାତା ଦେଖିବେ ଇନ୍‌କମ୍ ଟ୍ୟାକ୍ସ ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି ସେତେବେଳେ ସେ ଟ୍ୟାକ୍ସ ବ୍ୟବସ୍ଥାରେ ଅଧିକରୁ ଅଧିକ ସ୍ୱଚ୍ଛତା ରହୁଛି ବୋଲି ଅନୁଭବ କରିବେ। ୫ ଲକ୍ଷ ଟଙ୍କା ଭିତରେ ଥିବା ଆୟକାରୀଙ୍କ ପାଇଁ ଟଙ୍କାଟିଏ ଟ୍ୟାକ୍ସ ନ ଥିବାରୁ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଏହା ବହୁତ ବଡ଼ ସାହାଯ୍ୟ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ।ମୋଦୀ କହିଥିଲେ, ଚଳିତବର୍ଷ ବଜେଟ୍‌ରେ ଇନ୍‌କମ୍ ଟ୍ୟାକ୍ସ ବ୍ୟବସ୍ଥାରେ ନୂଆ ଢାଞ୍ଚା କରାଯିବ। ଟିକସଦାତାଙ୍କ ଜୀବନଶୈଳୀକୁ ସରଳୀକରଣ କରାଯିବ। ଜିଏସ୍‌ଟି ଯୋଗୁ ଟ୍ୟାକ୍ସ ହାର ହ୍ରାସ ପାଇଛି। ବିଶେଷକରି ଜିଏସ୍‌ଟି ଯୋଗୁ ପ୍ରତ୍ୟେକ ଦ୍ରବ୍ୟ ଏବଂ ସେବାରେ ଟ୍ୟାକ୍ସ ପରିମାଣ କମିଛି। ପୂର୍ବରୁ ଆଇଟିଏଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବିବାଦ ମାମଲାର ଶୁଣାଣି ହେଉଥିବା ବେଳେ ଏବେ ତାହା ୫୦ ଲକ୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି।

ଅର୍ଥାତ କୌଣସି ଟ୍ୟାକ୍ସ ମାମଲାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିବାଦ ଥିଲେ ଉକ୍ତ ମାମଲା ଆଇଟିଏଟିରେ ଶୁଣାଣି ହୋଇପାରିବ। ସେହିପରି ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ଉପରେ ଶୁଣାଣି ହୋଇପାରିବ। ଏହା ବ୍ୟବସାୟୀଙ୍କ ପାଇଁ ସୁବିଧାଜନକ ହୋଇପାରିଛି। ଆଇଟି ଅପିଲେଟ୍ ଟ୍ରିବ୍ୟୁନାଲ ଭର୍ଚୁଆଲ ଶୁଣାଣିକୁ ଅଧିକ ବ୍ୟବସ୍ଥିତ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ବୈଷୟିକ ଜ୍ଞାନକୌଶଳ ସମୟରେ ପୂରା ବ୍ୟବସ୍ଥାକୁ ଉନ୍ନତିକରଣ କରିବାର ନିହାତି ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।୧୭ କୋଟି ଟଙ୍କାରେ ନିର୍ମିତ ଏହି ବିଲ୍ଡିଂର ଉଦ୍‌ଘାଟନ ଅବସରରେ ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ୍ ହୋଇଥିଲେ। ଦେଶର ପ୍ରତ୍ୟେକ ଆଇଟିଏଟି ଟ୍ରିବ୍ୟୁନାଲର ସଦସ୍ୟ ଏବଂ ବହୁ ସଂଖ୍ୟାରେ ଆଇନଜୀବୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

Comment