ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ସମ୍ବଲପୁର ଜିଲ୍ଲା ଜାମବାହାଲ ଗ୍ରାମ ନିକଟସ୍ଥ ଚିରାଗୁଣା ଡୁଙ୍ଗୁରି ଜଙ୍ଗଲରେ ଚାଲିଥିବା ବେଆଇନ ଖଣି ଉତ୍ତୋଳନକୁ ବନ୍ଦ କରିବା ଲାଗି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବଲାଙ୍ଗିରର ଶତ୍ରୁଘ୍ନ ନାୟକ ଏହି ମାମଲା ରୁଜୁ କରିଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଲାଗି ପ୍ରାର୍ଥନା କରିଛନ୍ତି।

ଆବେଦନକାରୀ ଉଲ୍ଲେଖ କରିଛନ୍ତି ଯେ, ୭୫ ଏକର ଜମି ଉପରେ ଚିରାଗୁଣା ଡୁଙ୍ଗୁରି ଜଙ୍ଗଲ ଅବସ୍ଥିତ। ଏହି ଜଙ୍ଗଲର ୨୫ ହେକ୍ଟର ଅଞ୍ଚଳରୁ ଖଣି ଉତ୍ତୋଳନ ଲାଗି ଅନୁମତି ମିଳିଥିଲା। କିନ୍ତୁ ଉତ୍ତୋଳନକାରୀ ଏହାଠାରୁ ଅଧିକ ଅଞ୍ଚଳରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କରି ସାରିଲେଣି। ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯିବା ସତ୍ତ୍ୱେ ଉତ୍ତୋଳନ ବନ୍ଦ କରାଯାଉ ନାହିଁ।ଅନ୍ୟପଟେ ଏହି ବେଆଇନ ଉତ୍ତୋଳନକୁ ବିରୋଧ କରି ପୂର୍ବରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀ ଉକ୍ତ ମାମଲାକୁ ହାଇକୋର୍ଟରୁ ଉଠାଇ ନେଇଥିଲେ। ହାଇକୋର୍ଟରୁ ମାମଲା ଉଠିଗଲା ପରେ ଏବେ ଉକ୍ତ ଜଙ୍ଗଲରୁ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଛି।

ଜାମବାହାଲ ଗ୍ରାମବାସୀମାନେ ଏହି ଜଙ୍ଗଲ ଉପରେ ନିର୍ଭରଶୀଳ। କିନ୍ତୁ ଖଣି ଉତ୍ତୋଳନକାରୀ ଉକ୍ତ ଜଙ୍ଗଲକୁ ତାରବାଡ଼ ଦ୍ଵାରା ଘେରାଇ ରଖିଛନ୍ତି। ତେଣୁ ଏହି ବେଆଇନ ଉତ୍ତୋଳନ ଘଟଣାର ସିବିଆଇ ତଦନ୍ତ କରାଯାଇ ଅଦାଲତରେ ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ଏଥିସହ ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ବେଆଇନ ଖଣି ଉତ୍ତୋଳନକୁ ବନ୍ଦ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Comment