ଡକ୍ଟର ଦେବୀଲାଲ୍ ମିଶ୍ର

ଆମେ ସମସ୍ତେ ଜାଣନ୍ତି ଯେ ସମାଜର ବିକାଶରେ ସମ୍ବାଦପତ୍ର ବା ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଆମ ଦେଶରେ ସ୍ଵାଧୀନତା ସଂଗ୍ରାମ ତଥା ବିଭିନ୍ନ ସକାରାତ୍ମକ ସାମାଜିକ ପରିବର୍ତ୍ତନରେ ଭାରତୀୟ ଗଣମାଧ୍ୟମର ବିଶେଷ ଯୋଗଦାନ ରହିଛି। ତେବେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମର ଅବୟବ ଓ ଆଭିମୁଖ୍ୟରେ ଅନେକ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଗଣମାଧ୍ୟମକୁ ନେଇ ଭିନ୍ନ ଭିନ୍ନ ଗଣଧାରଣା ସୃଷ୍ଟି ହେବା ସ୍ଵାଭାବିକ। ତେବେ ଏହି ପରିପ୍ରେକ୍ଷୀରେ ଜାତୀୟ ପ୍ରେସ୍ ଦିବସ ଅନେକ ଗୁରୁତ୍ଵ ବହନ କରେ।

୧୯୫୨ ମସିହା ସେପ୍ଟେମ୍ବର ୨୩ ତାରିଖରେ ଜଷ୍ଟିସ୍ ରାଜଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରେସ୍ ଆୟୋଗର ଗଠନ ହୋଇଥିଲା। ସ୍ଵାଧୀନତା ପରବର୍ତ୍ତୀ ସମୟରେ ସମ୍ବାଦପତ୍ରର ସ୍ଥିତିକୁ ଅନୁଧ୍ୟାନ କରିବା ଥିଲା ଏହାର ପ୍ରମୁଖ ଉଦ୍ଦେଶ୍ୟ। ଏହା ଏମିତି ଏକ ସମୟ ଥିଲା, ଯେତେବେଳେ ସମ୍ବାଦପତ୍ରଗୁଡ଼ିକର ଆଭିମୁଖ୍ୟରେ ପରିବର୍ତ୍ତନର ଆଭାସ ମିଳିବା ଆରମ୍ଭ ହୋଇଥିଲା। କିଛି ନୂତନ ଓ କ୍ଷୁଦ୍ର ସମ୍ବାଦପତ୍ର ବଜାରମୁଖୀ ହେବା ଆରମ୍ଭ କରିଥିଲେ ଏବଂ ବ୍ୟବସାୟିକ ସଫଳତା ପାଇଁ କାମଳ ପତ୍ରକାରିତାର ଶୁଭାରମ୍ଭ ହୋଇସାରିଥିଲା।

ପ୍ରଥମ ପ୍ରେସ୍ ଆୟୋଗ ସମ୍ବାଦପତ୍ରର ସ୍ଥିତି ଓ ଆଭିମୁଖ୍ୟର ସମୀକ୍ଷା କରିବା ପରେ ୧୯୫୪ ମସିହାରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ସେହି ସବୁ ପ୍ରସ୍ତାବ ମଧ୍ୟରୁ ଏକ ପ୍ରେସ୍ ପରିଷଦ ଗଠନର ପ୍ରସ୍ତାବ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଥିଲା। ପ୍ରେସ୍ ପରିଷଦ ଗଠନର ଅନେକ ଉଦ୍ଦେଶ୍ୟ ରହିଥିଲା। ସେଥିମଧ୍ୟରୁ ପ୍ରେସ୍ ସ୍ଵାଧୀନତାର ସୁରକ୍ଷା, ସମ୍ବାଦପତ୍ର ଓ ସାମ୍ବାଦିକତାର ମାନ ବୃଦ୍ଧି ଏବଂ ସାମ୍ବାଦିକମାନଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୃତ୍ତିଗତ ମାନସିକତା ଏବଂ ସାମାଜିକ ସମ୍ବେଦନଶୀଳତା ସୃଷ୍ଟି କରିବା ଆଦି ପ୍ରମୁଖ ଉଦ୍ଦେଶ୍ୟ ଥିଲା।୧୯୬୬ ମସିହା ଜୁଲାଇ ୪ ତାରିଖରେ ପ୍ରଥମ କରି ଭାରତର ପ୍ରେସ୍ ପରିଷଦ ଗଠିତ ହୋଇଥିଲା। ଏହାର ଅଧ୍ୟକ୍ଷ ଥିଲେ ସେତେବେଳେ ସୁପ୍ରିମକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ଜେ. ଆର୍. ମୁଦୋଲ୍‌କର୍। ତେବେ ସେହିବର୍ଷ ନଭେମ୍ବର ମାସ ୧୬ ତାରିଖରୁ ପ୍ରେସ୍ ପରିଷଦ ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା ଏବଂ ସେହିଦିନକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି।

ତେବେ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମକୁ ନେଇ ଅନେକ ଆଶା, ଆଶଙ୍କା, ପ୍ରଶ୍ନ ଏବଂ ପ୍ରକରଣ ସୃଷ୍ଟି ହେବାରେ ଲାଗିଛି। ପ୍ରେସ୍ ପରିଷଦର ପ୍ରତିଷ୍ଠା ଯେଉଁ ସ୍ଵପ୍ନକୁ ନେଇ ହୋଇଥିଲା ତାହା ଆଜିର ସମୟରେ ହୁଏତ ଅସଫଳ ବୋଲି ମନେ ହୁଏ।

ସାମ୍ପ୍ରତିକ ସମୟରେ ଗଣମାଧ୍ୟମର ବଜାରୀକରଣ, ବ୍ୟବସାୟିକ ଆଭିମୁଖ୍ୟ ଏବଂ ଉଦ୍ୟୋଗମୁଖୀ ବିସ୍ତାର ଗଣମାଧ୍ୟମର ସମ୍ବେଦନଶୀଳତା, ସତ୍ୟନିଷ୍ଠତା ଓ ସାମାଜିକ ଅଙ୍ଗୀକାରକୁ ନିଶ୍ଚିତଭାବେ ସଙ୍କୁଚିତ କରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଅଭୁତପୂର୍ବ ବିକାଶ ତଥା ସଂଚାର କ୍ରାନ୍ତିର ଚମତ୍କାର ପ୍ରଭାବ ପରେ ସାମ୍ବାଦିକତାରେ ‘ମିଥ୍ୟା-ସୂଚନା’, ସମ୍ବାଦର ‘ହେରଫେର-କରଣ’, ଏବଂ ‘କ୍ଷୁଦ୍ର ସ୍ଵାର୍ଥ-ସାଧନଭିତ୍ତିକ ଘଟଣା’ ସବୁ ବୃଦ୍ଧି ପାଇବାରେ ଲାଗିଛି।

ତଥାପି ଗଣମାଧ୍ୟମ ଉପରୁ ଗଣର ଭରସା ଉଠିନାହିଁ। ଅନେକ କ୍ଷେତ୍ରରେ ସାମ୍ବାଦିକଟିଏ ସାଧାରଣ ମନର ବିଶ୍ଵାସକୁ ଜାବୁଡ଼ି ଧରିଛି। ଆଜିର ସମୟରେ ଯଦିଓ ପ୍ରାକ୍ ସ୍ଵାଧୀନତା ସମୟର ସତ୍ୟନ୍ଵେଷୀ ସାମ୍ବାଦିକତା ବିଲୁପ୍ତପ୍ରାୟ, ତଥାପି ସାମ୍ବାଦିକତା ବିନା ସମାଜ ଓ ଗଣତନ୍ତ୍ର ତିଷ୍ଠିବା ଅସମ୍ଭବ। ଥୋମାସ୍ ଜେଫର୍‌ସନ୍‌ଙ୍କ ଭାଷାରେ ଯେଉଁଠି ଗଣମାଧ୍ୟମ ସ୍ଵାଧୀନ, ସେଇଠି ସମସ୍ତେ ସୁରକ୍ଷିତ। ତେବେ ଗଣମାଧ୍ୟମର ସ୍ଵାଧୀନତା ଅନେକ ଉପାଦାନ ଦ୍ଵାରା ନିୟନ୍ତ୍ରିତ। ରାଜନୀତି, ଅର୍ଥନୀତି, ଯନ୍ତ୍ରନୀତି, ସଂସ୍କୃତି ଓ ସାମାଜିକ ସ୍ଥିତି – ଏସବୁ ଉପାଦାନ ଗଣମାଧ୍ୟମକୁ ଅନେକାଂଶରେ ପ୍ରଭାବିତ କରିଥା’ନ୍ତି।

ଆଜି ପ୍ରେସ୍ ସ୍ଵାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ଅତ୍ୟନ୍ତ ନିମ୍ନମୁଖୀ। ଏହାର କାରଣ ଯାହା ହେଉନା କାହିଁକି, ଆଜି ଗଣମାଧ୍ୟମ ସହ ଜଡ଼ିତ ଥିବା ସମସ୍ତଙ୍କୁ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ବିଶେଷକରି ଗଣମାଧ୍ୟମ ସଂସ୍ଥାଗୁଡ଼ିକର ମାଲିକମାନଙ୍କୁ ଅଧିକ ସଚେତନ ଓ ସମ୍ବେଦନଶୀଳ ହେବାକୁ ପଡ଼ିବ।

ପ୍ରକୃତ ସ୍ଵାଧୀନତାର ଦୁଇ ଗୋଟି ପ୍ରମୁଖ ଉପାଦାନ ରହିଛି – ସଚେତନତା ଓ ସୁରକ୍ଷା। ଯଦି ଜଣେ ସାମ୍ବାଦିକ ସଚେତନ କି ସୁରକ୍ଷିତ ନୁହେଁ, ତେବେ ଗଣମାଧ୍ୟମର ସ୍ଵାଧୀନତା ଅପରିକଳ୍ପନୀୟ। ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ୧୧୯୨ ମସିହାରୁ ଏପର୍ଯ୍ୟନ୍ତ ଭାରତରେ ୫୦ରୁ ଊର୍ଦ୍ଧ୍ଵ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଅସଂଖ୍ୟ ସାମ୍ବାଦିକ ଆକ୍ରମଣର ଶିକାର ହୋଇସାରିଛନ୍ତି। ବିଭିନ୍ନ କାରଣରୁ ଅନେକ ସାମ୍ବାଦିକ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ନିଜର ବୃତ୍ତି ହରାଇଛନ୍ତି।

ମହାତ୍ମା ଗାନ୍ଧୀଙ୍କ ମତରେ ସତ୍ୟ, ସଂଯମ ଏବଂ ସ୍ଵାଧୀନତା ଉତ୍କୃଷ୍ଟ ସାମ୍ବାଦିକତାର ପରିଚାୟକ। କିନ୍ତୁ ବର୍ତ୍ତମାନ ସମୟରେ ଗଣମାଧ୍ୟମ ଏକ ଶିଳ୍ପରେ ପରିଣତ ହୋଇଛି। ତେଣୁ ସାମ୍ବାଦିକତା ଏକ ସାଧାରଣ ବୃତ୍ତିଗତ ସ୍ତରକୁ ଆସିବା ପରେ ସମ୍ବେଦନାଶୂନ୍ୟ ହେବା ବର୍ତ୍ତମାନ ସାମ୍ବାଦିକତାର ବାସ୍ତବିକତା।

କିନ୍ତୁ ଏକ ଉନ୍ନତ ସମାଜର ନିର୍ମାଣ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତ୍ୟେକ ସାମ୍ବାଦିକଙ୍କୁ ନିଜର ଉଭୟ ବୃତ୍ତି ଓ ପ୍ରବୃତ୍ତି ପ୍ରତି ସଚେତନ ହେବାକୁ ପଡ଼ିବ। ଭାରତର ପ୍ରେସ୍ ପରିଷଦର ଏକ ସ୍ଵତନ୍ତ୍ର ଲକ୍ଷ୍ୟ ରହିଛି, ତାହା ହେଲା ସାମ୍ବାଦିକମାନଙ୍କ ମଧ୍ୟରେ ସେବା ମନୋବୃତ୍ତି, ସଙ୍କଳ୍ପ, ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ଵବୋଧର ଭାବନା ଜାଗ୍ରତ କରିବା ଯାହା ଏକ ଉନ୍ନତ ଗଣତନ୍ତ୍ର ପାଇଁ ଅପରିହାର୍ଯ୍ୟ। ଗଣମାଧ୍ୟମ ମାଲିକମାନଙ୍କର ଏହି ପରିପ୍ରେକ୍ଷୀରେ ଅନେକ ଗୁରୁଦାୟିତ୍ଵ ରହିଛି। ସେମାନେ ସାମ୍ବାଦିକଟିକୁ ଏକ କର୍ମଚାରୀ ବୋଲି ନଭାବି ତା’ର ସୁରକ୍ଷା ଏବଂ ସମ୍ମାନ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ। ନହେଲେ ମଣିଷର ସ୍ଥିତି ତା’ର ପ୍ରକୃତିକୁ ପ୍ରଭାବିତ କଲା ଭଳି ସାମ୍ବାଦିକର ଦୟନୀୟ ସ୍ଥିତି ସମଗ୍ର ସମାଜ ପାଇଁ ଏକ ଆହ୍ଵାନ ହୋଇ ଠିଆହେବ।

(ଲେଖକ ରେଭେନ୍ସା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ତଥା ମୋଟିଭେସନାଲ୍ ସ୍ପିକର)

Comment