ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଓ ଆନ୍ଧ୍ର ଭିତରେ ପୁଣି ଦେଖାଦେଇଛି ସୀମା ବିବାଦ। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମା ଚିହ୍ନଟ ପାଇଁ ଲଗାଯାଇଥିବା ଫଳକକୁ ଆନ୍ଧ୍ର ପଟର ସୀମାନ୍ତ ଅଧିବାସୀମାନେ ଉପାଡ଼ି ଫିଙ୍ଗି ଦେବା ସହିତ ରାସ୍ତାରେ ପଥର ପକାଇ ଏବଂ ପ୍ଲା କାର୍ଡ ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗାଁ ନିକଟରେ ଥିବା ଆନ୍ଧ୍ର-ଓଡ଼ିଶା ସୀମାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଗତ କିଛିଦିନ ପୂର୍ବେ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀମାନେ ଓଡ଼ିଶାର ସୀମା ମଧ୍ୟକୁ ପ୍ରବେଶ କରି ନୂତନ ସୀମା ନିର୍ଦ୍ଧାରଣ କରିବା ସହ ଆନ୍ଧ୍ର ପ୍ରଦେଶର ବୋର୍ଡ ଲଗାଇ ଫେରିଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ସେହି ବୋର୍ଡ଼କୁ ପୁଣିଥରେ ପୂର୍ବ ସ୍ଥିତିକୁ ଘୁଞ୍ଚାଇ ଦେଇଥିଲେ। ଏଥିସହିତ ମାମଲାର ସମାଧାନ ହୋଇଯାଇଥିବା ଭଳି ଲାଗୁଥିବା ବେଳେ ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତୀ ଗ୍ରାମବାସୀ ଓ ଡୁମ୍ବୁରିଗୁଡ଼ା ସରପଞ୍ଚ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ନାପସନ୍ଦ କରି ଏବେ ତୀବ୍ର ବିରୋଧ କରିଛନ୍ତି।

ଅନେକ ବର୍ଷ ହେବ ଆନ୍ଧ୍ରପ୍ରଦେଶର ସୀମା ନିର୍ଦ୍ଧାରଣ ହୋଇ ବୋର୍ଡ ଠିକଣା ଜାଗାରେ ଲଗାଯାଇଥିବା ବେଳେ କୋରାପୁଟ ଉପଜିଲ୍ଲାପାଳ ତାକୁ ପ୍ରାୟ ଏକ କିଲୋମିଟର ଘୁଞ୍ଚାଇ ଦେବା ସେମାନେ ଅଭିଯୋଗ କରିଛନ୍ତି। ସେହି କାରଣରୁ ସେମାନେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ପୋତିଥିବା ବୋର୍ଡକୁ ଉପାଡି ଦେଇ ରାସ୍ତା ଅବରୋଧ କରିଥିଲେ ବୋଲି କହିଛନ୍ତି।

ତେବେ ଏହି ସମସ୍ୟା ସମ୍ପର୍କରେ ଉଭୟ ରାଜ୍ୟର ଜିଲ୍ଲାସ୍ତରୀୟ ଅଧିକାରୀ ଆଲୋଚନା କରି ସମାଧାନ କରିବେ ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ବର୍ତମାନ ପରିସ୍ଥିତିକୁ ଦେଖି କରି ଜିଲ୍ଲାପାଳ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ କହୁଛନ୍ତି।

Comment