ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବା ଉଦ୍‌ଘାଟିତ ହୋଇଛି। ସୋମବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ବଲାଙ୍ଗିରରୁ ହରିଶଙ୍କର ମଧ୍ୟରେ ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ଆରମ୍ଭ କରାଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପର୍ଯ୍ୟଟନ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏବେ ପ୍ରାରମ୍ଭିକ ଭାବେ ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡରୁ ଏହି ବସ୍ ପ୍ରତି ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଗସ୍ତ କରିବ। ପର୍ଯ୍ୟଟକମାନଙ୍କର ସୁବିଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ ବଲାଙ୍ଗିର ସହରରୁ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ଚଳାଚଳ କରାଯିବା ନେଇ ସୂଚନା ମିଳିଛି।ସାଧାରଣ ଲୋକେ ଚାହିଁଲେ ଆବଶ୍ୟକ ଭଡ଼ା ପୈଠ କରି ଏହି ବସ୍ ସେବା ୱେଡିଂ ଡେଷ୍ଟିନେସନ୍, ପିକନିକ୍ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବା କାର୍ଯ୍ୟରେ ଉପଯୋଗ କରିପାରିବେ। ଏହି ବସର ପରିଚାଳନା ଦାୟିତ୍ୱ ବଲାଙ୍ଗିର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ(ଏସଆଇଏଚଏମ) ଉପରେ ନ୍ୟସ୍ତ ହୋଇଛି। ଏହି ଲୋକାର୍ପଣ ଉତ୍ସବରେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ ଅଫିସର, ଏସଆଇଏଚଏମ୍ ପ୍ରିନ୍ସିପାଲ ଓ ଓଟିଡିସିର କର୍ମଚାରୀଙ୍କ ସମେତ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।ସେହିପରି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗିରରେ ‘ପର୍ଯ୍ୟଟନ କାର୍ଯ୍ୟାଳୟର ନିଜସ୍ୱ କୋଠା’ନିର୍ମାଣର ଭିତ୍ତିପ୍ରସ୍ତର କରିଛନ୍ତି। ପର୍ଯ୍ୟଟନ ବିଭାଗର ଏହି କାର୍ଯ୍ୟାଳୟ କୋଠା ନିର୍ମାଣ ସହ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ କାର୍ଯ୍ୟାଳୟ ପରିସରରେ ଅନ୍ୟାନ୍ୟ ବ୍ୟବସ୍ଥା କରିବା ନିମନ୍ତେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପରାମର୍ଶ ଦେଇଛନ୍ତି।

“ପଶ୍ଚିମଓଡ଼ିଶାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରଥମଥର ପାଇଁ ହୀରାକୁଦରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ଡିସେମ୍ବର ୮ରୁ ଆୟୋଜନ ହେବ। ହୀରାକୁଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଏହା ଏକ ସୁଯୋଗ ସୃଷ୍ଟି କରିବ”, କହିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର।

Comment