ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର।

ବିହାରରେ ପୁଣି ଆରମ୍ଭ ହେଲା ନୀତିଶରାଜ। ସୋମବାର ସପ୍ତମ ଥର ପାଇଁ ଜେଡିୟୁ ନେତା ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ ବିଜେପି ଓ ଜେଡିୟୁର ନେତାମାନେ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ନୀତିଶଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇଥିଲେ। ହେଲେ ମହାମେଣ୍ଟର କୌଣସି ନେତା ଏହି ଉତ୍ସବରେ ଯୋଗ ଦେଇନଥିଲେ।ନୀତିଶ ମୁଖ୍ୟମନ୍ତ୍ରୀ, ବିଜେପିର ୨ ନେତା ଉପ ମୁଖ୍ୟମନ୍ତ୍ରୀ

ଏଥର ବିହାର ନିର୍ବାଚନରେ ଏନଡିଏ ମେଣ୍ଟ ବହୁମତ ହାସଲ କରିଛି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜେଡିୟୁ ଅପେକ୍ଷା ବିଜେପି ଅଧିକ ସିଟ୍ ଜିତିଛି। ତେଣୁ ମୁଖ୍ୟମନ୍ତ୍ରୀ ଆସନ ନୀତିଶ କୁମାରଙ୍କୁ ନେଇ ବିଜେପି ଦୁଇଟି ଉପ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ଆସନ ନିଜ ପାଖରେ ରଖିଛି।

ବିଜେପି ବିଧାୟକ ଦଳର ନେତା ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ବିହାର ନୂଆ ଉପ-ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିର ହୋଇଛି। ଏଥିସହିତ ନନ୍ଦକିଶୋର ଯାଦବ ବାଚସ୍ପତି ହେବେ ବୋଲି ଜଣାପଡ଼ିଛି।ନୀତିଶଙ୍କ ସପ୍ତମ ପାଳି

ଜେଡିୟୁ ନେତା ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହାପୂର୍ବରୁ ସେ ୬ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି।

ନଭେମ୍ବର ୩, ୨୦୨୦ରେ ନୀତିଶ କୁମାର ପ୍ରଥମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହି ଇସ୍ତଫା ଦେଇଥିଲେ। ଏହାପରେ ୨୦୦୫ ମସିହା ନଭେମ୍ବର ୨୪ ତାରିଖରେ ସେ ବିଜେପି ସମର୍ଥନରେ ଦ୍ୱିତୀୟ ଥର ଏବଂ ୨୦୧୦ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜୀତନ ରାମ ମାଞ୍ଝୀ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୯ ମାସ ପରେ ନୀତିଶ ପୁଣି କ୍ଷମତାକୁ ଫେରିଥିଲେ ଏବଂ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେଇଥିଲେ।

୨୦୧୫ ସାଧାରଣ ନିର୍ବାଚନରେ ମହାମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ନୀତିଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ଏଥିରେ ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ। ୨୦୧୭ରେ ମହାମେଣ୍ଟ ସହ ବିବାଦ ପରେ ନୀତିଶ ସରକାରରୁ ଇସ୍ତଫା ଦେଇ ଦେଇଥିଲେ। ଏହାର ଠିକ୍ ପରଦିନ ନୀତିଶ ବିଜେପି ସହ ମିଶି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହାପରେ ଆଜି ସେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।୧୯୭୭ରୁ ବିହାର ରାଜନୀତିରେ ନୀତିଶ କୁମାର

ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ୭୦ ବର୍ଷୀୟ ନୀତିଶ କୁମାରଙ୍କ ଜନ୍ମ ୧୯୫୧ ମସିହା ମାର୍ଚ୍ଚ ୧ରେ ବିହାରର ଏକ ସାଧାରଣ ପରିବାରରେ ହୋଇଥିଲା। ନୀତିଶ କୁମାର ପ୍ରଥମେ ଇଞ୍ଜିନିୟରିଂ ପଢ଼ିଥିଲେ। ଏହାପରେ ୧୯୭୪-୭୭ ମସିହା ପର୍ଯ୍ୟନ୍ତ ସହ ଜେପି ଆନ୍ଦୋଳନ ସହ ଜଡ଼ିତ ରହିଥିଲେ।

୧୯୭୭ ମସିହାରେ ପ୍ରଥମ ଥର ପାଇଁ ନୀତିଶ ବିହାରର ହରନୌତ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ସେ ସମୟରେ ସେ ସେଠାରୁ ନିର୍ବାଚନ ହାରିଯାଇଥିଲେ। ପରେ ସେ ୧୯୮୦ରେ ପୁଣିଥରେ ସେ ଆସନରୁ ବିଧାୟକ ପାଇଁ ନିର୍ବାଚନ ଲଢ଼ିଥିଲେ। ହେଲେ ଲଗାତାର ଦ୍ୱିତୀୟ ଥର ପାଇଁ ସେ ନିର୍ବାଚନ ବୈତରଣୀ ପାର୍ କରିପାରିନଥିଲେ।

ଏହାପରେ ସେ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଚିନ୍ତା କରିଥିଲେ। ନିର୍ବାଚନରୁ ବାହାରି ସେ ଠିକାଦାର କାମ କରିବେ ବୋଲି ମନ କରିଥିଲେ। ହେଲେ ୧୯୮୫ ମସିହାରେ ସେ ସେହି ହରନୌତ ସିଟରୁ ବିଧାୟକ ଭାବେ ପ୍ରଥମ କରି ନିର୍ବାଚିତ ହୋଇଥଲେ। ବାସ୍ ଏହିଠାରୁ ଆରମ୍ଭ ହୋଇଥିଲା ନୀତିଶଙ୍କ ବିଜୟ ଯାତ୍ରା। ନୀତିଶ ବିହାରରେ ନିଜକୁ ଜଣେ ଆଗଧାଡ଼ିର ନେତା ଭାବେ ପରିଚିତ କରିବା ସହିତ ଲୋକସଭାକୁ ଯାଇ ସେଠାରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହାପରେ ସେ ପ୍ରଥମ କରି ୨୦୦୦ ମସିହାରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମଝିରେ ଅଳ୍ପ ବର୍ଷକୁ ଛାଡ଼ିଦେଲେ ନୀତିଶ ଏଯାବତ ବିହାରର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

Comment