ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ହଜାରୀଡ଼ାଙ୍ଗ ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫର୍ଚ୍ୟୁନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୭ରୁ ଊର୍ଦ୍ଧ୍ଵ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ମୃତକ ଦୁଇ ଜଣ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟର ବୋଲି ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ୍ ହସ୍ପିଟାଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣାଗ୍ରସ୍ତ ହୋଇଥିବା ଫର୍ଚ୍ୟୁନ ବସ୍ (ଓଡି ୦୪ଏ ୭୪୫୧) କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରରୁ କଟକ ଅଭିମୁଖେ ଯାଉଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ବିଷମକଟକରୁ ୯ କିଲୋମିଟର ଦୂର ହଜାରୀଡ଼ାଙ୍ଗ ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗୋଟିଏ ବିଲ ଭିତରକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। ଅନ୍ୟପଟେ ବିଲ ଭିତରେ ଖସି ପଡ଼ିଥିବା ବସ୍‌କୁ ଜେସିବି ମେସିନ୍ ସାହାଯ୍ୟରେ ଉଠାଯାଇଥିବା ସୂଚନା ମିଳିଛି।

Comment