ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୟାସଡ଼କ ଆଇଆଇଏଫ୍ଏଲ୍ ଫାଇନାନ୍ସରେ ସଶସ୍ତ୍ର ଡକାୟତି
  • ଦିନ ଦ୍ଵିପହରେ ବନ୍ଧୁକ ଦେଖାଇ ନେଇଗଲେ ୪ ମୁଖାପିନ୍ଧା ଲୁଟେରା
  • ରହସ୍ୟ ଘେରରେ ଆଲାର୍ମ, ସିସିଟିଭି, ସୁରକ୍ଷା ବ୍ୟବସ୍ଥା

କଟକ ସହରରେ ଗୁରୁବାର ଏକ ଚାଞ୍ଚଲ୍ୟକର ଡକାୟତି ହୋଇଛି। ଦିନ ଦ୍ଵିପହରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ପ୍ରାୟ ୧୨ କୋଟି ଟଙ୍କାର ସୁନା ନେଇଯାଇଥିବା ଆକଳନ କରାଯାଉଛି। ଘଟଣା ପରେ ପୋଲିସ ସହରର ବିଭିନ୍ନ ମୁଖ୍ୟ ରାସ୍ତା ବ୍ଲକ୍ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିଲେ ବି ବିଳମ୍ବିତ ରାତିଯାଏ ପୋଲିସର ହାତ ଖାଲି ପଡ଼ିଛି।ସମୟ ସକାଳ ପ୍ରାୟ ୯ଟା ୫୫। ଜନଗହଳିପୂର୍ଣ୍ଣ ନୟାସଡ଼କ ଅଞ୍ଚଳ। ହଠାତ୍ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଧସେଇ ପଶିଲେ ସୁନା ବନ୍ଧକ ରଖି ଋଣ ଦେଉଥିବା ଆଇଆଇଏଫ୍ଏଲ୍ ଫାଇନାନ୍ସ ଶାଖାରେ। ସମସ୍ତଙ୍କ ହାତରେ ଥାଏ ମାଉଜର୍। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ସଂସ୍ଥାର ସୁରକ୍ଷା କର୍ମୀଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ଭୟଭୀତ କରାଇ ଏକ ରୁମ୍‌ରେ ଅଟକ ରଖିଲେ। କର୍ମଚାରୀଙ୍କ ହାତରୁ ନେଇଗଲେ ମୋବାଇଲ୍ ଫୋନ୍। ଶାଖା ପରିଚାଳକଙ୍କଠାରୁ ଛଡ଼ାଇନେଲେ ଲକର୍ ରୁମ୍ ଚାବି। ପରେ ଲକର୍ ଖୋଲି ସେଠାରେ ଥିବା ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କାକୁ ଦୁଇଟି ବ୍ୟାଗ୍‌ରେ ଭର୍ତ୍ତି କରି ଫେରାର୍ ହୋଇଗଲେ। ଏସବୁ ଘଟିଗଲା ମାତ୍ର ୯ରୁ ୧୦ ମିନିଟ୍ ଭିତରେ। ଗଲାବେଳକୁ ଶାଖାର ମେନ୍ ଗେଟ୍‌କୁ ମଧ୍ୟ ଦୁର୍ବୃତ୍ତମାନେ ବନ୍ଦ କରିଦେଇଗଲେ।ଘଟଣାର ୧୦ ମିନିଟ୍ ପରେ ଶାଖାର କର୍ମଚାରୀମାନେ ଅନ୍ୟ ଲୋକଙ୍କ ସହାୟତାରେ ବାହାରକୁ ଆସି ଏନେଇ ପୁରୀଘାଟ ଥାନାକୁ ସୂଚନା ଦେଇଥିଲେ। କିଛି ସମୟ ଭିତରେ ପୁରୀଘାଟ ଓ ଲାଲ୍‌ବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖବର ପାଇ ଡିସିପି ପ୍ରତୀକ ସିଂହ ମଧ୍ୟ ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଏହି ସମୟ ମଧ୍ୟରେ କଟକ ସହର ଛାଡ଼ି ନଥିବା ଆଶଙ୍କା କରି ତୁରନ୍ତ ସହରର କିଛି ଛକରେ ବ୍ଲକିଂ ଆରମ୍ଭ କରାଗଲା। ଏହା ପରେ କିଛି ଅଭିଜ୍ଞ ଏସ୍‌ଆଇଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ୍ କରି କଟକ ଗ୍ରାମାଞ୍ଚଳ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ପଠାଯାଇଥିଲା।

ସେହିପରି କଟକ ସହରକୁ ଲାଗିଥିବା ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଭଳି ଜିଲ୍ଲାର ପୋଲିସ ସହିତ ଯୋଗାଯୋଗ କରି ଅପରାଧୀଙ୍କ ଉପରେ ନଜର ଖରିବା ପାଇଁ କୁହାଯାଇଛି। ପରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରି ସଂପୂର୍ଣ୍ଣ ମାମଲାର ତଦାରଖ କରିଛନ୍ତି। ଏହି ଘଟଣା ପାଇଁ ଫାଇନାନ୍ସ ସଂସ୍ଥାର ସମସ୍ତ କର୍ମଚାରୀ, ସୁରକ୍ଷା କର୍ମୀ, ଅନ୍ୟ ଶାଖାରୁ ଆସିଥିବା କିଛି କର୍ମଚାରୀ ଓ ପାଖ ଦୋକାନର ଦୁଇ ଜଣ ପିଲାଙ୍କୁ ପୋଲିସ ଅଟକ ରଖିଛି। ତଦନ୍ତରେ କଟକର ସବୁ ଥାନା ପୋଲିସ ସହଯୋଗ କରୁଛନ୍ତି। ଯଥା ସମ୍ଭବ ଅପରାଧୀଙ୍କୁ ଧରାଯିବ ବୋଲି ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

Comment