ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକା ଆବଣ୍ଟନ ନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏଣେ ସାର୍ବଜନୀନ କରୋନା ଟିକା ଦାନ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ବ୍ୟାପକ ଭିତ୍ତିଭୂମି ଆବଶ୍ୟକ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ସଚିବ ବନ୍ଦନା ଗୁରଣାନୀଙ୍କ ପାଖକୁ ଏ ସମ୍ପର୍କରେ ପତ୍ର ଲେଖିଛନ୍ତି। ଯେତେବେଳେ ବି କେନ୍ଦ୍ର ସରକାର କରୋନା ଟୀକା ଯୋଗାଣ ଆରମ୍ଭ କରନ୍ତୁ ଓଡ଼ିଶା ପାଇଁ ସିରିଞ୍ଜ ଓ ଛୁଞ୍ଚି ଯୋଗାଡ଼ କରିବାକୁ ପଡ଼ିବ କି ବୋଲି ଏହି ଚିଠିରେ ମହାପାତ୍ର ପଚାରିଛନ୍ତି।

ଓଡ଼ିଶାର ଲୋକସଂଖ୍ୟ ସାଢ଼େ ଚାରି କୋଟି। ଯଦି ସବୁ ଲୋକଙ୍କୁ ଟୀକା ଦିଆଯାଏ, ଦଶ କୋଟି ଛୁଞ୍ଚି ଓ ସିରିଞ୍ଜ୍ ଆବଶ୍ୟକ ପଡ଼ିବ। ଓଡ଼ିଶା ସରକାରଙ୍କ ହିସାବ ହେଉଛି ଏଥିପାଇଁ ୨୫ କୋଟି ଟଙ୍କା ଦରକାର ହେବ। କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବାପରେ ଓଡ଼ିଶା ସରକାର ଛୁଞ୍ଚି ଓ ସିରିଞ୍ଜ କିଣା ଆରମ୍ଭ କରିବେ।

ସମସ୍ତଙ୍କୁ କରୋନା ଟିକା ଦିଆଯିବା ଏକ ବଡ଼ କାମ ନୁହେଁ କି ବୋଲି ପଚରାଯିବାରୁ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଏହି ଟିକାଦାନ ଏକାଧିକ ପର୍ଯ୍ୟାୟ ଦେଇ ହେବ ଓ ମାସ ମାସ ଧରି ଚାଲିବ। ଏଥିପାଇଁ ମାନବ ସମ୍ବଳ କି ଭିତ୍ତିଭୂମିର ଅଭାବ ରହିବ ନାହିଁ କାରଣ ରାଜ୍ୟରେ ୨୯ ହଜାର ସାଇଟ ବା କେନ୍ଦ୍ର ନିରୂପଣ କରାଯାଇଛି ଯେଉଁଠି ଟୀକା ଦାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

Comment