ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରୁ ବଦଳିବ କଲ୍‌ କରିବାର ନିୟମ। ଏଣିକି ଲ୍ୟାଣ୍ଡଲାଇନରୁ କଲ୍ କରିବାକୁ ହେଲେ ମୋବାଇଲ ନମ୍ଵର ପୂର୍ବରୁ ଶୂନ (୦) ଡାଏଲ କରିବାକୁ ପଡ଼ିବ। ଟେଲିକମ୍ ବିଭାଗ (ଡଟ୍) ଏହି ନୂଆ ନିୟମ ଆଣିବାକୁ ଯାଉଛି। ଆସନ୍ତା ନୂଆବର୍ଷ ଅର୍ଥାତ୍ ଜାନୁଆରି ପହିଲାରୁ ଏହି ନିୟମ ଲାଗୁ ହୋଇପାରେ ବୋଲି ଶୁଣିବାକୁ ମିଳିଛି।

ଦେଶରେ ମୋବାଇଲ୍‌ ଫୋନ୍‌ର ବ୍ୟବହାର ବୃଦ୍ଧି ଯୋଗୁ ଦିନକୁ ଦିନ ମୋବାଇଲ ନମ୍ଵରର ସିରିଜ୍‌ ଶେଷ ହେବାକୁ ବସିଲାଣି। ଯାହାଫଳରେ ଟେଲିକମ୍ କମ୍ପାନିମାନଙ୍କୁ ନୂଆ ନମ୍ଵର ଆଣିବା ପାଇଁ ଅସୁବିଧା ହେଉଛି। ତେଣୁ ମୋବାଇଲ ନମ୍ଵର ଡାଏଲ ପୂର୍ବରୁ ଜିରୋ ବ୍ୟବହାର କରିବାକୁ ଚଳିତ ବର୍ଷ ମଇ ୨୯ରେ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ‘ଟ୍ରାଇ’ ଟେଲିକମ୍ ବିଭାଗ (ଡଟ୍)କୁ ପ୍ରସ୍ତାବ ଦେଇଥିଲା।

ନଭେମ୍ଵର ୨୦ରେ ଟେଲେକମ୍ ବିଭାଗ ଏହି ପ୍ରସ୍ତାବକୁ ଗ୍ରହଣ କରି ଏକ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାର ଅନୁସାରେ ଆସନ୍ତା ବର୍ଷ ଅର୍ଥାତ୍ ଜାନୁଆରି ପହିଲାରୁ ଲ୍ୟାଣ୍ଡଲାଇନ୍‌ରୁ ମୋବାଇଲ୍‌ ଫୋନ୍‌କୁ କଲ୍ କରିବାକୁ ହେଲେ ନମ୍ଵର ପୂର୍ବରୁ ଜିରୋ (୦) ଡାଏଲ କରିବାକୁ ପଡ଼ିପାରେ। ତେବେ ବିଧିବଦ୍ଧ ଭାବେ ଏହି ନିୟମ ବିଷୟରେ ଟେଲିକମ୍ ବିଭାଗ କିଛି ସ୍ପଷ୍ଟ କରିନାହିଁ।

ଶୂନ (୦)ରୁ ତିଆରି ହେବ ୨୫୪ କୋଟି ନୂଆ ନମ୍ଵର

ଡାଏଲ କରିବାର ଏହି ନୂଆ ନିୟମ ଦ୍ଵାରା ୨୫୪ କୋଟି ୪ ଲକ୍ଷ ନୂଆ ନମ୍ଵର ତିଆରି ହୋଇପାରିବ। ଯାହାକି ଭବିଷ୍ୟତରେ ନମ୍ଵର ଶେଷର ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ। ଟେଲିକମ୍ କମ୍ପାନିମାନେ ଏହି ନିୟମର ଫାଇଦା ପାଇପାରିବେ।

LEAVE A REPLY

Please enter your comment!
Please enter your name here