ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ନେତା ସୁଶୀଲ ମୋଦୀଙ୍କ ଟୁଇଟ୍ ପରେ ବିହାର ରାଜନୀତି ସରଗରମ।

ବିହାରରେ ନୂଆ ସରକାର ଗଠନ କରିସାରିଛନ୍ତି ନୀତିଶ କୁମାର। ମନ୍ତ୍ରୀମାନେ ବି ଦାୟିତ୍ୱ ନେଇସାରିଲେଣି; କିନ୍ତୁ ଏ ସରକାର ଠିକ୍ ଚାଲିଛି ତ? କେହି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି କି? ମଙ୍ଗଳବାର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ ଲାଲୁ ଯାଦବଙ୍କ ଉପରେ ସରକାର ଭାଙ୍ଗିବା ନେଇ ଚେଷ୍ଟା ଚଳାଉଥିବା ଅଭିଯୋଗ କରିଛନ୍ତି। ତାଙ୍କର ଏହି ଅଭିଯୋଗ ପରେ ବିହାରରେ ଏନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏଥିସହ ଏପରି ମଧ୍ୟ କୁହାଯାଉଛି ଯେ, ଲାଲୁ କ’ଣ ଏମିତି କରିପାରିବେ କି? ଏହାର ଉତ୍ତର ହେଉଛି ରାଜନୀତିରେ ସବୁ ସମ୍ଭବ। ବିଶେଷ କରି ଗତ କିଛି ବର୍ଷ ଭିତରେ ଏମିତି ଅନେକ ଉଦାହରଣ ସୃଷ୍ଟି ହୋଇସାରିଛି। ନିକଟରେ ମଧ୍ୟପ୍ରଦେଶରେ ହୋଇଥିଲା, ତା ପରେ ରାଜସ୍ଥାନରେ ମଧ୍ୟ ଏକ ଅସଫଳ ଉଦ୍ୟମ ହୋଇଥିଲା।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଜସ୍ୱୀ ପ୍ରସାଦଙ୍କ ବାପା ଲାଲୁ ପ୍ରସାଦ ଯାଦବ ଏବେ ଜେଲରେ। ଗୋଖାଦ୍ୟ ଦୁର୍ନୀତିରେ ଜେଲ ଭୋଗୁଥିବା ବେଳେ, ଏବେ ଅସୁସ୍ଥତା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁଶୀଲ ମୋଦୀ ଅଭିଯୋଗ କରିଛନ୍ତି ଯେ, ଲାଲୁ ଜେଲ୍ ଦଣ୍ଡ ଭୋଗୁଥିଲେ ମଧ୍ୟ ତାଙ୍କ ପାଖରେ ମୋବାଇଲ ରହିଛି। ରାଞ୍ଚିର ମେଡିକାଲରେ ରହି ସେ ବିହାର ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି।

ଏନଡିଏର ବିଧାୟକମାନଙ୍କୁ ମନ୍ତ୍ରୀପଦର ଲୋଭ ଦେଖାଇ ସରକାରକୁ ସଂଖ୍ୟାଲଘୁ କରିବାର ଚେଷ୍ଟା ଚଳାଇଛନ୍ତି। ଏପରିକି ସେ ଗୋଟିଏ ନମ୍ବର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ସମ୍ପୃକ୍ତ ନମ୍ବରରେ ସେ ଯୋଗାଯୋଗ କରିଥିଲେ, ନିଜେ ଲାଲୁ ହିଁ ଫୋନ ଉଠାଇଥିଲେ। ଲାଲୁଙ୍କୁ ସେ ଏପରି କୁତ୍ସିତ ନାଟକ ନ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିବା ସୁଶୀଲ କହିଛନ୍ତି।

ତେବେ ଲାଲୁଙ୍କ ଏ ଅଚାନକ ପ୍ରବେଶ ବିହାର ରାଜନୀତିର ବିକଳ୍ପ ସମ୍ଭାବନାକୁ ଚର୍ଚ୍ଚାକୁ ଆଣିଛି। ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ଦଳ ଆରଜେଡି ହୋଇଥିଲେ ମଧ୍ୟ ମହାମେଣ୍ଟ ମ୍ୟାଜିକ ନମ୍ବରରୁ ୧୨ଟି ସିଟ୍ ପଛରେ ରହିଯାଇଛି। ସେପଟେ ଏନଡିଏ ସରକାର ଗଠନ କରିଥିଲେ ମଧ୍ୟ ମ୍ୟାଜିକ ନମ୍ବରଠାରୁ ମାତ୍ର ୩ ଜଣ ଅଧିକ ବିଧାୟକ ଅଛନ୍ତି।ଏନଡିଏ ସରକାରରେ ୧୪ ଜଣିଆ କ୍ୟାବିନେଟରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ପଦ ସହ ୭ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ପଦ ନିଜ ପାଖରେ ରଖିଛି ବିଜେପି। ଦଳରେ ଏମିତି ବି ବିଧାୟକ ଅଛନ୍ତି ଯେଉଁମାନେ ମନ୍ତ୍ରୀ ହେବାକୁ ଆଶାୟୀ ଥିଲେ। ଜେଡିୟୁରେ ମଧ୍ୟ ଏମିତି ବିଧାୟକ ଅଛନ୍ତି। ସେପଟେ ଭିଆଇପି, ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଦଳର ବିଧାୟକମାନଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରୁଛି ଆରଜେଡି। ଯଦି ଆରଜେଡିର ଏ ଗୋଟି ଚାଳନା ସଫଳ ହୋଇଯାଏ ତାହାଲେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବା କିଛି ବିଚିତ୍ର ହେବନାହିଁ।

ମଧ୍ୟପ୍ରଦେଶରେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରି ସରକାରକୁ ସଂଖ୍ୟାଲଘୁ କରିଦେଇଥିଲେ। ତା ପରେ ଉପ ନିର୍ବାଚନରେ ବିଜେପି ସମ୍ପୃକ୍ତ ୨୮ଟି ଆସନରୁ ୧୯ଟି ଆସନ ଜିତି ନିଜ ସରକାରକୁ ମଜବୁତ୍ କରିନେଇଛି। ବିଜେପିର ଏ ପୁରା ହିସାବୀ ଅଙ୍କ ବିଜେପିକୁ ଫାଇଦା ଦେଇଥିବା ବେଳେ, ଲାଲୁ ମଧ୍ୟ ସେମିତି କିଛି କରୁଥିବା ନେଇ ଚର୍ଚ୍ଚା ହେଉଛି।

Comment