ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନ୍‌ର ଏକ ମ୍ୟାନ୍‌ ହୋଲ୍‌ରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଦେବାଶିଷ ସାହୁଙ୍କ ମୃତଦେହ ଓଡ଼ିଶା ଆସୁଛି। ଶୁକ୍ରବାର ଅପରାହ୍ଣରେ ଏହା ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଗତ ୧୬ ତାରିଖରେ ମ୍ୟାନ୍‌ ହୋଲ୍‌ରେ ମରାମତି କାମ ଚାଲିଥିବା ବେଳେ ଦେବାଶିଷଙ୍କ ସମେତ ୩ ପ୍ରବାସୀ ଭାରତୀୟ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା।

ଭଦ୍ରକ ଜିଲ୍ଲା ବିଜୟନଗରର ଦେବାଶିଷ ସାହୁ (୨୬) ଗତ ୨୦୧୬ ମସିହାରେ କାମ କରିବା ପାଇଁ ବାହାରିନ୍ ଚାଲିଯାଇଥିଲେ। ତାଙ୍କ ମା’ କର୍କଟ ରୋଗରେ ପ୍ରାଣ ହରାଇଥିବା ବେଳେ ଘରେ ତାଙ୍କ ବାପା ରହୁଥିଲେ। ତେବେ ଗତ ୧୬ ତାରିଖରେ ଏକ ମ୍ୟାନ୍‌ ହୋଲ୍‌ରେ ମରାମତି କାମ କରିବା ସମୟରେ ଦେବାଶିଷ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। କମ୍ପାନି ପକ୍ଷରୁ ଶ୍ରମିକମାନଙ୍କ ପାଇଁ କୌଣସି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ସେତେବେଳେ ଅଭିଯୋଗ ହୋଇଥିଲା।ଅନ୍ୟପଟେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବା ଦେବାଶିଷଙ୍କ ବାପା ବସନ୍ତ ସାହୁଙ୍କୁ ସାହାଯ୍ୟ କରିବାକୁ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ଭାରତୀୟ ଦୂତାବାସ ସହିତ ସମ୍ପର୍କ କରିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଓଡ଼ିଶା ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକ ଦେବାଶିଷଙ୍କ ପରିବାରକୁ ତ୍ଵରିତ ନ୍ୟାୟ ପ୍ରଦାନ ଲାଗି ଦାବି କରିଥିଲେ।

ବିଭିନ୍ନ ଅଧିକାରୀ ଓ ଦେବାଶିଷ କାମ କରୁଥିବା କମ୍ପାନି ସହିତ ଦୀର୍ଘ ଦିନ ଧରି ଆଲୋଚନା ପରେ ଏୟାର ଇଣ୍ଡିଆର ଏକ ବିମାନ ଦେବାଶିଷଙ୍କ ମୃତଦେହ ନେଇ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆସନ୍ତାକାଲି ଅପରାହ୍ଣ ୨ଟା ୨୫ ମିନିଟ୍‌ରେ ଦେବାଶିଷଙ୍କ ପାର୍ଥିବ ଶରୀର ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି।ବାହାରିନ୍‌ରେ ଦେବାଶିଷଙ୍କୁ କମ୍ପାନି ତରଫରୁ ମାସିକ ୧୯,୦୦୦ ଟଙ୍କା ବେତନ ମିଳୁଥିଲା। ତେବେ ଡକ୍ଟର ପ୍ରହରାଜଙ୍କ ପ୍ରୟାସ କ୍ରମେ କମ୍ପାନି ମୃତ ଦେବାଶିଷଙ୍କ ପରିବାରକୁ ୨.୮୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜି ହୋଇଛି। ସେହିପରି ବାହାରିନ୍‌ର ଜେନେରାଲ ଅର୍ଗାନାଇଜେସନ ଅଫ୍ ସୋସିଆଲ ଇନ୍‌ସୁରାନ୍ସରେ ବୀମାରାଶି ଦେବା ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ଏହି ବୀମାରାଶିକୁ ଯଥାଶୀଘ୍ର ଦେବାଶିଷଙ୍କ ପରିବାରକୁ ପ୍ରଦାନ କରିବା ଲାଗି ଡକ୍ଟର ପ୍ରହରାଜ କମ୍ପାନି ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

ଦେବାଶିଷଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ଦିଗରେ ସହଯୋଗ କରିଥିବାରୁ ଡକ୍ଟର ପ୍ରହରାଜ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ପ୍ରବାସୀ ଶ୍ରମିକଙ୍କ ଅଧିକାରର ସୁରକ୍ଷା ପାଇଁ ଭାରତ ସରକାର ନିଜ ଦୂତାବାସକୁ ଅଧିକ କ୍ଷମତା ପ୍ରଦାନ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରହରାଜ କହିଛନ୍ତି।

Comment