ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର କୁନି ଝିଅ ‘ପରୀ’ର ମୃତ୍ୟୁକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି।

ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଉଠିଥିବା ଝଡ଼ ଏବେ ଥମିବାର ନା ନେଉନି। ମୁଖ୍ୟମନ୍ତ୍ରୀ ଏନେଇ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇସାରିଥିଲେ ମଧ୍ୟ ବିରୋଧୀମାନେ ସିବିଆଇ ତଦନ୍ତ ପାଇଁ ଅଡ଼ିବସିଛନ୍ତି। ବିଧାନସଭାରେ ଏହି ଘଟଣାକୁ ନେଇ ହଟ୍ଟଗୋଳ ଜାରି ରହିବା କାରଣରୁ ବାଚସ୍ପତି ଗୃହକୁ ଶନିବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଅନ୍ୟପଟେ ପରୀ ମୃତ୍ୟୁ ଘଟଣାକୁ ନେଇ ଏବେ ବିରୋଧୀ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ

ନୟାଗଡ଼ର ୫ ବର୍ଷର ଝିଅ ପରୀର ମୃତ୍ୟୁ କିପରି ହେଲା? ତାକୁ କେହି ହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି ରହସ୍ୟ ଲୁଚି ରହିଛି, ତାହା ଜାଣିବାକୁ ମୁଖ୍ୟମନ୍ତ୍ରୀ ଏହାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ବିଧାନସଭା ଅଧିବେଶନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ବିଧାନସଭାରେ କହିଥିଲେ; କିନ୍ତୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏହାର ଏସଆଇଟି ତଦନ୍ତ ହେବ ବୋଲି କହିଛନ୍ତି।ବିରୋଧୀଙ୍କ ଦାବି ସିବିଆଇ ତଦନ୍ତ

ମୁଖ୍ୟମନ୍ତ୍ରୀ ନୟାଗଡ଼ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଏହାକୁ ନେଇ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ସେମାନେ ପ୍ରଥମରୁ ହିଁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଆସୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଏହାର ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କର ଦାବି ଶୁଣିନାହାନ୍ତି, ସେପର୍ଯ୍ୟନ୍ତ ସେମାନେ ଚୁପ୍ ବସିବେନି ବୋଲି କହିଛନ୍ତି।

ସେହିପରି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ପ୍ରଥମେ ଏହି ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ପାଇଁ ଦାବି କରିଥିଲା। ରାଜ୍ୟ ସରକାର ତାଙ୍କର ଦାବି ରଖିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ହେଲେ ଏଥିରେ ଯେଉଁ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହେଉଛି ସେହି ମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଗୃହରେ ବିରୋଧୀଙ୍କ ଆଚରଣକୁ ନିନ୍ଦା କରିଛନ୍ତି। ବିରୋଧୀମାନେ ସେମାନଙ୍କର ଦାବି ଶୁଣାଇବାର ବାହାନାରେ ଗୃହରେ ହଟ୍ଟଗୋଳ କରୁଛନ୍ତି। ଯେଉଁ କାରଣରୁ ବିଧାନସଭା ଠିକ୍ ଭାବେ ଚାଲିପାରୁନି। ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଧାନସଭାରେ ଆଲୋଚନା ହୋଇପାରନ୍ତା, ହେଲେ ବିରୋଧୀମାନେ ତା’ କରୁନାହାନ୍ତି ବୋଲି ସେ କହିଛନ୍ତି।ରାସ୍ତାକୁ ଓହ୍ଲାଇଲେ ବିଜେପି, କଂଗ୍ରେସ

ନୟାଗଡ଼ ପରୀ ମୃତ୍ୟୁ ମାମଲାକୁ ନେଇ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ। ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଆଜି ଶହ ଶହ ବିଜେପି କର୍ମୀ ମାଷ୍ଟର କ୍ୟାଣ୍ଟିନ ଛକରୁ ବିଧାନସଭା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଛୋଟ ଝିଅ ପରୀକୁ ନ୍ୟାୟ ମିଳୁ, ସିବିଆଇ ତଦନ୍ତ ଆମର ଦାବି ଆଦି ନାରାରେ ବିଜେପି କର୍ମୀମାନେ ବିଧାନସଭା ଆଡକୁ ମାଡ଼ିଚାଲିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଅଧା ବାଟରୁ ଉଠାଇ ନେଇଥିଲା।

ଅନ୍ୟପଟେ ପ୍ରଦେଶ ଯୁବ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ବିକ୍ଷୋଭ କରିଛନ୍ତି। ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି, “ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ଗୋଟେ ୫ ବର୍ଷର ଝିଅକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି।  ସମସ୍ତଙ୍କ ଦାବି ଥିଲା ସରକାର ଓ ପୋଲିସ ପ୍ରଶାସନ ତାଙ୍କ ବାପା, ମା’ଙ୍କୁ ନ୍ୟାୟ ଦେବେ। ହେଲେ ଏତେ ଦାବି ପରେ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ନେତା ଆଜି ପର୍ଯ୍ୟନ୍ତ ନିଜ ପଦରୁ ଇସ୍ତଫା ଦେଇନାହାନ୍ତି। ତା ହେଲେ ତଦନ୍ତ କାହା ସପକ୍ଷରେ ହେବ? ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ରାଜରାସ୍ତାରେ ଚାଲିବ।”ସରପଞ୍ଚ କହିଲେ ମୁହଁ ଖୋଲିଲେ ଆସୁଛି ଧମକ

ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଲକ୍ଷ୍ମପ୍ରସାଦ ଗ୍ରାମ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ଭାବେ ମର୍ମାହତ। ଏଥିସହ ଛୋଟ ଝିଅ ପରୀକୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ସେ ମୁହଁ ଖୋଲୁଥିବାରୁ ତାଙ୍କୁ ବାରମ୍ବାର ଅନେକ ଧମକ ଆସୁଛି। ପୋଲିସ ମଧ୍ୟ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରିନି ବୋଲି ସେ କହିଛନ୍ତି।

ଅନ୍ୟପଟେ ନୟାଗଡ଼ ଏସପିଙ୍କ ନାଁରେ ମଧ୍ୟ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପରୀ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ତଳେ ଏକ ରାସ୍ତାରୋକ୍ ହୋଇଥିଲା। ହେଲେ ସେଠାକାର ଏସପି ଏହି ଘଟଣାରୁ ଓହରିଯିବାକୁ ସୌମ୍ୟଙ୍କୁ କହିଥିଲେ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।ଗତ ୨୪ ତାରିଖରେ ବିଧାନସଭା ଶୀତ ଅଧିବେଶନ ଚାଲିଥାଏ। ଏହି ସମୟରେ ନୟାଗଡ଼ର ଦମ୍ପତି ସୌଦାମିନୀ ସାହୁ ଓ ଅଶୋକ ସାହୁ ବିଧାନସଭା ଆଗରେ କିରୋସିନ ଢ଼ାଳି ଆତ୍ମାହୁତି କରିବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ଏହି ସମୟରେ ସେ ତାଙ୍କ ଝିଅ ପାଇଁ ନ୍ୟାୟ ମାଗିବାକୁ ଆସିଥିବା ଗଣମାଧ୍ୟମ ଆଗରେ ଚିତ୍କାର କରି କହିଥିଲେ। ଯାହାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା।

ଏହାପରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ପ୍ରେସମିଟ୍ କରି ବିସ୍ତୃତ ସୂଚନା ଦେଇଥିଲେ। ସୂଚନା ମୁତାବକ, ନୟାଗଡ଼ର ଯଦୁପୁର ଗାଁରେ ରହୁଥିବା ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ଝିଅ ପରୀ ଗତ ଜୁଲାଇ ୧୪ ତାରିଖରେ ହଠାତ୍ ନିଖୋଜ ହୋଇଯାଇଥିଲା। ଏହାପରେ ଜୁଲାଇ ୨୩ ତାରିଖରେ ସେହି ଝିଅର କ୍ଷତବିକ୍ଷତ ଶବ ତାଙ୍କ ଘର ପଛ ପୋଖରୀ ନିକଟରୁ ମିଳିଥିଲା। ଏନେଇ ସ୍ୱାମୀ ସ୍ତ୍ରୀ ଦୁହେଁ ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନେ ଏହାର ଠିକ୍ ତଦନ୍ତ କରୁନାହାନ୍ତି। ଶେଷରେ ବାଧ୍ୟହୋଇ ସେମାନେ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ ବୋଲି କହିଥିଲେ।

Comment