ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ସ୍କାନରରେ ଫସିଛନ୍ତି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ।

  • ଭିଜିଲାନ୍ସ ଜାଲରେ ଫସିଛନ୍ତି ବାପ-ପୁଅ
  • ଗିରଫ ହୋଇପାରନ୍ତି ଅଭୟକାନ୍ତ ଓ ପୁଅ ଆକାଶ ପାଠକ

ଭିଜିଲାନ୍ସ ଜାଲରେ ଫସିଛନ୍ତି ବାପ-ପୁଅ। ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (ଏପିସିସିଏଫ୍) ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଆସିଛି। ଏଭଳି ସ୍ଥିତିରେ ଉଭୟଙ୍କୁ ଗିରଫ କରାଯିବାର ଆଶଙ୍କା ମଧ୍ୟ ଦେଖାଦେଲାଣି। କିନ୍ତୁ ଜେରା ସମୟରେ ଅଭୟ କହିଛନ୍ତି ଯେ, ତାଙ୍କ ପୁଅ ମାସକୁ କୋଟିଏ ଟଙ୍କା ରୋଜଗାର କରନ୍ତି। ସେ ମୋ ପଇସାରେ ସଉକ କରୁନାହାନ୍ତି। ଚଢ଼ାଉ କରିଥିଲେ ୧୨ଟି ଟିମ୍‌ରେ ୧୫୦ ଅଧିକାରୀ

ଆଇଏଫ୍‌ଏସ୍ ଅଭୟକାନ୍ତ ନାଁରେ ଆୟବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ଆସିବାପରେ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ଘଟଣାର ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ କଟକ ଭିଜିଲାନ୍ସ ସେଲ୍‌, ଭୁବନେଶ୍ୱର ସେଲ୍‌, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌, ବାଲେଶ୍ୱର, ଜୟପୁର, ସମ୍ବଲପୁର ସମେତ ବିଭିନ୍ନ ଭିଜିଲାନ୍ସ କାର୍ଯ୍ୟାଳୟର ବଛା ବଛା ଅଫିସର ଓ କର୍ମଚାରୀଙ୍କୁ ନେଇ ୧୫୦ ଅଧିକାରୀ ୧୨ଟି ଟିମ୍‌ରେ ବିଭକ୍ତ ହୋଇଥିଲେ। ଭୁବନେଶ୍ଵରରରେ ଥିବା ଅଭୟଙ୍କ କାର୍ଯ୍ୟାଳୟ ଓ ଘର ସମେତ ୫ଟି ସ୍ଥାନ ଏବଂ ମହାରାଷ୍ଟ୍ରର ପୁନେ, ମୁମ୍ବାଇର ୬ଟି ସ୍ଥାନ, ବିହାରରେ ଥିବା ପୈତୃକ ଘରକୁ ମିଶାଇ ମୋଟ୍ ୧୩ଟି ସ୍ଥାନରେ ବୁଧବାର ଚଢ଼ାଉ କରିଥିଲା ଭିଜିଲାନ୍ସ।ଏହି ଚଢ଼ାଉରୁ ଭିଜିଲାନ୍ସକୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଛି। କିନ୍ତୁ ଆଇଏଫ୍‌ଏସ୍ ଅଭୟ ପାଠକଙ୍କ ସମ୍ପତ୍ତିର ପରିମାଣ ଏତେ ରହିଛି ଯେ, ଭିଜିଲାନ୍ସ ତାହାକୁ ସଠିକ୍‌ ରୂପେ ଆକଳନ କରିପାରୁନାହିଁ। ଏଥିପାଇଁ ଜଣେ ଚାଚାର୍ଡ ଆକାଉଣ୍ଟାଣ୍ଟଙ୍କ ସହାୟତା ନିଆଯାଇଛି। କେବଳ ଅଭୟଙ୍କ ନାଁରେ ଏହିସବୁ ସମ୍ପତ୍ତି ଥିଲେ ଏହାର ସଠିକ୍ ପରିମାଣ ଆକଳନ କରିବା ସହଜ ହୋଇପାରିଥାନ୍ତା। କିନ୍ତୁ ପୁଅ, ପୁତୁରାଙ୍କଠାରୁ ଡ୍ରାଇଭର ପର୍ଯ୍ୟନ୍ତ ସଭିଁଙ୍କ ନାଁରେ ପୁଳା ପୁଳା ସମ୍ପତ୍ତି ରଖାଯାଇଥିବାରୁ ସମ୍ପତ୍ତିର ସଠିକ୍‌ ଆକଳନ କରିବାରେ ଅସୁବିଧା ହେଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।ସରକାରୀ ବାବୁଙ୍କ ଦାମୀ ସଉକ

ଆଇଏଫ୍‌ଏସ୍‌ ଅଭୟଙ୍କ ସଉକ ଥିଲା ବେଶ୍ ଦାମୀ। ବଡ଼ ଘର, ଦାମୀ ଗାଡ଼ି ଏପରିକି ଚାଟାର୍ଡ ପ୍ଲେନ୍‌ ଆଦିରେ ବୁଲିବା ଭଳି ଦାମୀ ଜୀବନଯାପନ କରୁଥିଲେ ଅଭୟ। ସେ ୨୦ଥର ଚାଟାର୍ଡ ପ୍ଲେନ୍‌ରେ ଭ୍ରମଣ କରି ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଭୁବନେଶ୍ଵରରେ ତାଙ୍କର ୮ ହଜାର ସ୍କୋୟାର ଫୁଟ୍‌ର ଏକ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟରେ ଇଟାଲୀଆନ୍ ମାର୍ବଲ ଏବଂ ଅନେକ ଦାମୀ ଉପକରଣର ବ୍ୟବହାର କରାଯାଇଛି। ଏଥିସହିତ ପୁନେରେ ସେ ଘର ଭଡ଼ା ବାବଦକୁ ମାସକୁ ୫ ଲକ୍ଷ ଟଙ୍କା ଦେଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ବାପ୍‌ ନମ୍ଵରୀ, ବେଟା ୧୦ ନମ୍ଵରୀ

ଅଭୟଙ୍କଠାରୁ ତାଙ୍କ ପୁଅ ଆକାଶଙ୍କ ସଉକ ଥିଲା ବେଶ୍ ନିଆରା। ବୃତ୍ତି ହିସାବରେ କିଛି କରୁନଥିଲେ ସୁଦ୍ଧା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ସଜାଇଥିଲେ ଆକାଶ। ତାଙ୍କର ଏହି ଚାକଚକ୍ୟ ଜୀବନ ପାଇଁ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ମଧ୍ୟ ରହିଛି। ଏଥିସହିତ ଅଭୟଙ୍କ ସମ୍ପତ୍ତିର ସିଂହଭାଗ ଅର୍ଥ ପ୍ରାୟ ୯ କୋଟି ୪୦ ଲକ୍ଷ ଟଙ୍କା ପୁଅ ଆକାଶ ପାଠକଙ୍କ ନାମରେ ଏକାଧିକ ଆକାଉଣ୍ଟରେ ରହିଛି। ଭିଜିଲାନ୍ସର ତଥ୍ୟ ଅନୁସାରେ କେବଳ ୮ କୋଟି ୪୦ ଲକ୍ଷ ଟଙ୍କା ସହିଦନଗର ଏବଂ ନୟାପଲ୍ଲୀ ଅଞ୍ଚଳରେ ଥିବା ଏଟିଏମ୍‌ ମାଧ୍ୟମରେ ଜମା କରାଯାଇଛି।

ଡ୍ରାଇଭରଙ୍କ ଅଳିଆଗଦାରୁ ୨୦ ଲକ୍ଷ

ଅଭୟଙ୍କ ସମ୍ପତ୍ତିର ଚେର ବହୁ ଦୂରକୁ ଲମ୍ଵିଛି। ଗୁରୁବାର ଭିଜିଲାନ୍ସ ସେହି ଚେରକୁ ଖୋଳିବା ପାଇଁ ପିପିଲିସ୍ଥିତ ଅଭୟଙ୍କ ଡ୍ରାଇଭରଙ୍କ ଘରେ ପହଞ୍ଚିଥିଲା। ସେଠାରେ ଭିଜିଲାନ୍ସକୁ ଯେଉଁ ପରିମାଣର ଟଙ୍କା ମିଳିଥିଲା ତାହା କିଛି କମ୍ ନଥିଲା। ଡ୍ରାଇଭରଙ୍କ ବାରିପଟ ଅଳିଆଗଦାରୁ ନଗଦ ୨୦ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି।ଅଭିଯୋଗକୁ ଅଭୟଙ୍କ ଅସ୍ଵୀକୀର

କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗକୁ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ଅସ୍ଵୀକାର କରିଛନ୍ତି। ଶୁକ୍ରବାର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯିବା ବେଳେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କିଛି ଠକେଇ ହୋଇନି, ସବୁ ଠିକ୍ ଅଛି। ପୁଅ ଆକାଶ ମୋ ଟଙ୍କାରେ ଅୟସ କରୁନଥିଲା, କାରଣ ତାର ମାସିକ ଦରମା କୋଟିଏ। ବିଭାଗରେ ଥାଇ ମୁଁ କୌଣସି ଅର୍ଥ ହଡ଼ପ କରିନାହିଁ।ଗିରଫ ହେବାର ରହିଛି ଆଶଙ୍କା

ଭିଜିଲାନ୍ସର ଜେରା ଯେତିକି ବଢୁଛି ଅଭୟଙ୍କ ଗିରଫ ହେବାର ଆଶଙ୍କା ମଧ୍ୟ ସେହି ଅନୁସାରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଅଭୟକାନ୍ତଙ୍କ ସମେତ ତାଙ୍କ ପୁଅ ଆକାଶ, ପୁତୁରା ଓ ଡ୍ରାଇଭରଙ୍କର କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ୪ଜଣଙ୍କ କୋଭିଡ୍ ପରୀକ୍ଷା ହେବ ବୋଲି ଜଣାଯାଇଛି। ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ। ତା’ପରେ ଭିଜିଲାନ୍ସ ସେମାନଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Comment