ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ନଭେମ୍ବର ମାସରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ଦୁର୍ନୀତି ମାମଲା ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଥିଲା। ତେବେ ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଥିଲା ଯେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭିଜିଲାନ୍ସ ସ୍କାନରକୁ ଆସିଥିଲେ। ପାଠକ ବାପ ପୁଅ ଏବଂ ପ୍ରଦୀପଙ୍କ ଠକେଇ ଓ ଜାଲିଆତି ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।

ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟ

ଗତ ନଭେମ୍ବର ମାସରେ ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (ଆଇଏଫ୍ଏସ୍) ଅଭୟକାନ୍ତ ପାଠକ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ନଭେମ୍ବର ୨୫ରେ ସ୍ୱତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସ ଅଭୟକାନ୍ତଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଏହି ସମୟରେ ଭିଜିଲାନ୍ସକୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା। ଖାଲି ସେତିକି ନୁହେଁ ପିପିଲିସ୍ଥିତ ଅଭୟଙ୍କ ଡ୍ରାଇଭରଙ୍କ ବାଡ଼ିପଟ ଅଳିଆଗଦାରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।ଏପରିକି ଲକଡାଉନ୍ ସମୟରେ ସେ ୨୦ ଥର ଚାଟାର୍ଡ ପ୍ଲେନରେ ଭ୍ରମଣ କରି ୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଥିଲା। ଶେଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟଙ୍କୁ ଗିରଫ କରାଯିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ଏହାପରେ ଏସଆଇଟି ତାଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସହ ତାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଥିଲା। ଅନ୍ୟପଟେ ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୭ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ୍ କରିଥିଲେ। ଜଣେ ଦୁର୍ନୀତିଖୋର ଅଫିସରଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ।ବାପାଙ୍କଠାରୁ ବଳିଯାଇଥିଲେ ପୁଅ ଆକାଶ ପାଠକ

ଆଇଏଫ୍ଏସ୍ ଅଭୟକାନ୍ତଙ୍କ ସହିତ ତାଙ୍କ ପୁଅଙ୍କ ନାଁରେ ମଧ୍ୟ ଠକେଇ ଓ ଜାଲିଆତି ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ତଦନ୍ତ ପରିସରକୁ ଆସିଥିଲେ ଆକାଶ। ସେ ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ (ଏମଡି) ବୋଲି ଦର୍ଶାଇ ଅନେକ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ଟାଟା ମୋଟର୍ସରେ ଚାକିରି କରାଇଦେବାର ଲୋଭ ଦେଖାଇ ସେ ଆଶାୟୀମାନଙ୍କଠାରୁ ଏହି ଟଙ୍କା ଠକେଇ କରିଥିଲେ। ଏପରିକି ଟାଟା ମୋଟର୍ସ ନାଁରେ ଜାଲ୍ ନିଯୁକ୍ତିପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ। ଏସବୁ ଜଣାପଡ଼ିବା ପରେ ଟାଟା ମୋଟର୍ସ ପକ୍ଷରୁ ଆକାଶଙ୍କ ନାମରେ ମାମଲା ରୁଜୁ ହୋଇଥିଲା।ଅନ୍ୟପଟେ ଆକାଶ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଖାଲି ଦାମୀ ଗାଡ଼ି କି ଘର ନୁହେଁ, ଲକ୍ଷାଧିକ ଟଙ୍କାର କୁକୁର ରଖିବାର ସଉକ ରଖିଥିଲେ ଆକାଶ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ସେ ଡିସେମ୍ବର ୧୧ରେ ବିବାହ କରିଥାନ୍ତେ। ମାତ୍ର ହାତଗଣ୍ଠି ପଡ଼ିବାର ୧୫ ଦିନ ଆଗରୁ ଆକାଶଙ୍କ ହାତରେ ପଡ଼ିଥିଲା ହାତକଡ଼ି। ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆକାଶଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।ସ୍କାଏ କିଙ୍ଗଠାରୁ ପାଠକ ବାପ ପୁଅଙ୍କ ଠକେଇ

ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ନାଁରେ ଡିସେମ୍ବର ମାସରେ ଆଉ ଏକ ଅଭିଯୋଗ ଆସିଥିଲା। ସ୍କାଏ କିଙ୍ଗ୍ ନାମକ ଟ୍ରାଭେଲ୍ସ ସଂସ୍ଥା ପକ୍ଷରୁ ଖାରବେଳ ନଗର ଥାନାରେ ଏହି ଅଭିଯୋଗ ହୋଇଥିଲା। କୋଟି କୋଟି ଟଙ୍କାର ଫ୍ଲାଇଟ୍ ବୁକିଂ କରି ପାଠକ ବାପ ପୁଅ ସେଥିରୁ ୬୫ ଲକ୍ଷ ଟଙ୍କା ବକେୟା ଦେଇନଥିବା ଅଭିଯୋଗରେ ଦର୍ଶାଯାଇଥିଲା। ସ୍କାଏ କିଙ୍ଗ୍ ପକ୍ଷରୁ ଏ ସମ୍ପର୍କିତ ତଥ୍ୟଭିତ୍ତିକ ପ୍ରମାଣ ମଧ୍ୟ ଦାଖଲ କରାଯାଇଥିଲା।

ଏହି ମାମଲାରେ କମିସନରେଟ୍ ପୋଲିସ ପ୍ରଥମେ ଆକାଶ ପାଠକଙ୍କୁ ନେଇ ପଚରାଉଚରା କରିଥିଲା। ଏହାପରେ ଅଭୟକାନ୍ତ ମଧ୍ୟ ଦୁଇ ଦିନିଆ ରିମାଣ୍ଡରେ ଯାଇଥିଲେ। ଡିସେମ୍ବର ୨୪ରେ ଅଭୟଙ୍କ ରିମାଣ୍ଡ ଅବଧି ଶେଷ ହେବା ସହ ତାଙ୍କୁ ପୁଣି ଥରେ ଜେଲକୁ ପଠାଇ ଦିଆଯାଇଥିଲା।ଗିରଫ ହେଲେ ଆକାଶଙ୍କ ଭାବୀ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ

ପାଠକ ବାପ ପୁଅଙ୍କ କଳା କାରନାମା ପଦାକୁ ଆସିବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିଥିଲା। କାରଣ ଆକାଶ ପାଠକଙ୍କ ଭାବୀ ଶ୍ୱଶୁର ହେବାକୁ ଯାଉଥିଲେ ପ୍ରଦୀପ। ଆକାଶଙ୍କ ସହ ପ୍ରଦୀପଙ୍କ ଝିଅ ବାହାଘର ଠିକ୍ ହୋଇଥିଲା। କିନ୍ତୁ ବାହାଘର ପୂର୍ବରୁ ପ୍ରଦୀପଙ୍କ ନାଁରେ ଟଙ୍କା ଠକେଇ ଓ ଜାଲିଆତି ଅଭିଯୋଗ ଆସିଥିଲା। ଏନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଗତ ନଭେମ୍ବର ୨୯ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଦୀପଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରିଥିଲେ। ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଥିଲା।ଭାବୀ ଜ୍ୱାଇଁ ଆକାଶଙ୍କ ସହ ମିଶି ପ୍ରଦୀପ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଶହ ଶହ ଯୁବକ ଯୁବତୀଙ୍କଠାରୁ ବିପୁଳ ପରିମାଣର ଟଙ୍କା ଠକେଇ କରିଥିବା ଜଣାପଡ଼ିଥିଲା। ତେଣୁ ଡିସେମ୍ବର ୩ ତାରିଖ ରାତିରେ କ୍ରାଇମବ୍ରାଞ୍ଚ୍ ପ୍ରଦୀପଙ୍କୁ ତାଙ୍କ ବାସଭବନରୁ ଉଠାଇନେବା ସହ କିଛି ସମୟ ପରେ ଗିରଫ କରିଥିଲା।

ଡିସେମ୍ବର ୭ରେ ପ୍ରଦୀପଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଥିଲେ। ପରେ ଏହି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଏବେ ପ୍ରଦୀପ ଝାରପଡ଼ା ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି।

Comment