ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ଐତିହାସିକ ରାୟ କ୍ରମରେ ଓଡ଼ିଶା ହାଇକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଆସିଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି। ତେଣୁ ଭିଜିଲାନ୍ସ ଏବେ ଏହି ମାମଲାର ତଦନ୍ତ କରିପାରିବ ନାହିଁ।

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ଆଇନର ମୌଳିକ ଅଧିକାର ଅନୁସାରେ ଏକ ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥାରେ କେବେ ବି ଜଣେ ଅଭିଯୋଗକର୍ତ୍ତା ନିଜେ ତଦନ୍ତକାରୀ ହୋଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।ପିତାମ୍ଵର ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ ଏକ ଗୁପ୍ତ ତଦନ୍ତ ଜରିଆରେ ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ଲିପ୍ତ ଥିବାର ପ୍ରମାଣ ରହିଥିବା କଥା ଲୋକାୟୁକ୍ତ ଯେଉଁ ବିବୃତି ଦେଇଥିଲେ ତାହା ଠିକ ନୁହେଁ ବୋଲି କୋର୍ଟ ଅନୁଭବ କରିଛନ୍ତି। ତେଣୁ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶରେ ଆହୁରି ଅନେକ ତ୍ରୁଟି ରହିଛି ବୋଲି କୋର୍ଟ କହିଛନ୍ତି।

ଜନ ବିରାଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ଏହାପରେ ଆଇଏଫଏସ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତିରେ ପ୍ରଦୀପଙ୍କ ସଂପୃକ୍ତି ରହିଥିବା ନେଇ ତାଙ୍କୁ ଗିରଫ କରାଯାଇଥିଲା। ଟାଟା କମ୍ପାନିରେ ଚାକିରି କରାଇଦେବା ଆଶା ଦେଖାଇ ପ୍ରଦୀପ ଅନେକ ଲୋକଙ୍କୁ ଠକିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସେ ଝାରପଡା ସ୍ୱତନ୍ତ୍ର ଜେଲରେ ଅଛନ୍ତି।

Comment