ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ମାମଲାରେ ଭିଜିଲାନ୍ସର ସ୍ଵତନ୍ତ୍ର ତଦନ୍ତକାରୀ (ଏସ୍‌ଆଇଟି) ଟିମ୍ ଖୋଳତାଡ଼ ଆରମ୍ଭ କରିଛି। ଏହି କ୍ରମରେ ମଙ୍ଗଳବାର ଅଭୟକାନ୍ତଙ୍କ ସରକାରୀ ବାସଭବନରେ ପୁଣି ଥରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଅନ୍ୟପଟେ ଆଜି ଅଭୟକାନ୍ତଙ୍କ ଡ୍ରାଇଭର ଓ କିଛି ବ୍ୟାଙ୍କ କର୍ମଚାରୀ ଭିଜିଲାନ୍ସ ସେଲ୍ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଆର୍ଥିକ କାରବାର ନେଇ ସେମାନଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି।

ଆଜି ଅଭୟକାନ୍ତଙ୍କ ବାସଭବନରେ ଚଢ଼ାଉ କରି ଏସ୍‌ଆଇଟି ତାଙ୍କ ସମ୍ପତ୍ତି ବାବଦରେ ଯାଞ୍ଚ୍ କରୁଛି। ସେହିପରି ଭିଜିଲାନ୍ସ ସେଲ୍ କାର୍ଯ୍ୟାଳୟରେ ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ମଧ୍ୟ ଅର୍ଥ କାରବାର ନେଇ ଜେରା କରାଯାଉଛି। ଡ୍ରାଇଭରଙ୍କ ଘରୁ ମିଳିଥିବା ୨୦ ଲକ୍ଷ ଟଙ୍କା କାହାର ସେନେଇ ଭିଜିଲାନ୍ସ ପଚରାଉଚରା କରୁଛି। ଏଥିସହ ୫ଟି ବ୍ୟାଙ୍କ୍‌ର କର୍ମଚାରୀଙ୍କୁ ମଧ୍ୟ ଜେରା କରାଯାଉଛି। ସେପଟେ ଅଭୟକାନ୍ତଙ୍କ ପୁତୁରାଙ୍କୁ ମଧ୍ୟ ହାଜର ହେବା ପାଇଁ ଭିଜିଲାନ୍ସ ପକ୍ଷରୁ ସମନ ଜାରି ହୋଇଛି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ଚାକିରି କରାଇଦେବା ନାଁରେ ଯେଉଁମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ ସେମାନଙ୍କୁ କ୍ରାଇମବ୍ରାଞ୍ଚ୍ ଟିମ୍ ଭେଟିବା ସହିତ ତଥ୍ୟ ସଂଗ୍ରହ କରିଛି।

ଅନ୍ୟପଟେ ପାଠକ ବାପ-ପୁଅଙ୍କ କଳା କାରନାମାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଅଭୟକାନ୍ତ ଓ ଆକାଶଙ୍କ ସହ ସମ୍ପୃକ୍ତି ଥିବାରୁ ନିକଟରେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହାପରେ ସେ ଦଳର ବିଭିନ୍ନ କଥାକୁ ନେଇ ଗୁମର ଖୋଲିଛନ୍ତି। ଏଥିସହ ଅଭୟକାନ୍ତ ଜଣେ ଦକ୍ଷ ଅଫିସର ବୋଲି ପ୍ରଦୀପ କହିଛନ୍ତି।

Comment