ଓଡ଼ିଶାଲାଇଭ୍ ବ୍ୟୁରୋ

ଲାଞ୍ଚ ନେଇ ଫସିଲେ ଏଏସଆଇ। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରେ କାର୍ଯ୍ୟରତ ଏଏସ୍ଆଇ ସଂଯୁକ୍ତା ମହାପାତ୍ରଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ଥାନାର ଏକ ପୋଲିସ୍ କେସ୍ ରେକର୍ଡରୁ ନାମ କାଟିଦେବା ଲାଗି ଜଣେ ମହିଳାଙ୍କୁ ଠାରୁ ୮ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ନୟାଗଡ଼ ଭିଜିଲାନ୍ସ ଡିଏସ୍‌ପି ଶିଶିର ଭୋଇ ସୂଚନା ଦେଇଛନ୍ତି।

ଶରଣକୁଳ ଥାନାର କେସ୍ ନମ୍ଵର ୧୨୮/୨୦ ତଦନ୍ତ କରୁଥିବା ମହିଳା ଏଏସ୍ଆଇ ସଂଯୁକ୍ତା ମହାପାତ୍ର ପୋଲିସ୍ ଚାର୍ଜସିଟ୍ ରିପୋର୍ଟରୁ ଜଣେ ନିର୍ଦୋଷଙ୍କ ନାମ କାଟି ଦେବାକୁ ୧୦ ଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ନୟାଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଶରଣକୁଳ ଥାନା କୁଞ୍ଜବନପଲ୍ଲୀ ଗାଁର ଜଣେ ମହିଳା ରଙ୍କ ବେହେରା ଭିଜିଲାନ୍ସରେ ଏବାବଦରେ ଅଭିଯୋଗ କରିଥିଲେ।

ଏହାପରେ ଏଏସଆଇଙ୍କୁ ଠିକଣା ସମୟରେ ଧରିବା ପାଇଁ ରଙ୍କ ବେହେରାଙ୍କୁ ନେଇ ଭିଜିଲାନ୍ସ ଅଧିକାରୀ ଏକ ଯୋଜନା କରିଥିଲେ। ଯୋଜନା ମୁତାବକ ବୁଧବାର ଅପରାହ୍ନ ୫ଟା ସମୟରେ ରଙ୍କ ବେହେରା ୮ହଜାର ଟଙ୍କା ନେଇ ଏଏସ୍ଆଇ ସଂଯୁକ୍ତାଙ୍କୁ ଦେଇଥିଲେ। ଏହି ଟଙ୍କାକୁ ଧରି ଏଏସ୍ଆଇ ନିଜ ସ୍କୁଟିରେ ବସି ଯାଉଥିବା ସମୟରେ ପୂର୍ବରୁ ଛକି ରହିଥିବା ନୟାଗଡ଼ ଭିଜିଲାନସ୍ ଦଳ ତାଙ୍କୁ ଭିକାରୀପଡ଼ା ଗାଁ ରାସ୍ତାରେ କାବୁ କରିଥିଲା।

ସେଠାରେ ଭିଜିଲାନ୍ସ ଯାଞ୍ଚ ବେଳେ ମହିଳା ଏଏସ୍ଆଇଙ୍କ ଠାରୁ ୮ହଜାର ଟଙ୍କା କେମିକାଲ ପାଉଡର ଗୋଳା ନୋଟ ଜବତ ହୋଇଥିବା କହିଛନ୍ତି ଭିଜିଲାନ୍ସ ଡିଏସ୍‌ପି ଶିଶିର ଭୋଇ। ଏହାପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।

Comment