ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର କୁନି ଝିଅ ‘ପରୀ’ର ମୃତ୍ୟୁ ଘଟଣାକୁ ନେଇ ଏସ୍ଆଇଟି ନିଜର ତଦନ୍ତ ପକ୍ରିୟା ଆରମ୍ଭ କରିଛି। ଏସମ୍ପର୍କିତ ବିଜ୍ଞପ୍ତିକୁ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏହାସତ୍ତ୍ୱେ ମଧ୍ୟ ବିଧାନସଭାରେ ପରୀ ଝଡ଼ ଥମିବାର ନାଁ ନେଇନି। ବିରୋଧୀ ବିଜେପି ଏହି ଘଟଣାକୁ କେନ୍ଦ୍ରକରି ଗୃହରେ ହୋ ହଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଛନ୍ତି।

ଶନିବାର ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏହି ଘଟଣାକୁ ନେଇ ଗୃହରେ ହୋ ହଲ୍ଲା କରିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ସେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବାଚସ୍ପତିଙ୍କ ପୋଡିୟମରେ ଲାଗିଥିବା କାଚକୁ ମଧ୍ୟ ସେ ଭାଙ୍ଗିଦେଇଥିବା ଖବର ମିଳିଛି। ଯାହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅଧଘଣ୍ଟା ପାଇଁ ମୁଲତବି କରିଛନ୍ତି।
ଗତ ଦୁଇ ଦିନ ପରି ଆଜି ମଧ୍ୟ ପରୀ ତାତିରେ ବିଧାନସଭା ହୁଲସ୍ତୁଲ ହୋଇଥିଲା। ବିରୋଧୀ ଦଳର ନେତାମାନେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ସହିତ ସିବିଆଇ ତଦନ୍ତ ଦାବି କରିଥିଲେ।ଏହାକୁ ନେଇ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି,“ପରୀ ଗୋଟେ ଛୋଟ ଝିଅ। ତା’ର କେହି ଶତ୍ରୁ ନାହାନ୍ତି। ତାକୁ କିଏ ମର୍ଡର କରିଛି ତାହା ଜାଣିବା ନିହାତି ଦରକାର। ଏଥିସହ ତାର ବିଭିନ୍ନ ଅଙ୍ଗକୁ କାଢ଼ି କଣ କରାଯାଇଛି, ତା ମଧ୍ୟ ଜାଣିବା ଦରକାର। ମନ୍ତ୍ରୀ ନିଜ ପଦରେ ଥିବା ପର୍ଯ୍ୟନ୍ତ ତଦନ୍ତ ଠିକ୍ ଭାବେ ହେଇପାରିବନି। ତୁରନ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ।”

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ତାଙ୍କର ଦାବି ମୁତାବକ ମୁଖ୍ୟମନ୍ତ୍ରୀ ଏହାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏସମ୍ପର୍କରେ ଯେଉଁ ଦ୍ୱନ୍ଦ୍ୱ ଅଛି ବୋଲି କୁହାଯାଉଛି ତାକୁ ଦୂର କରାଯାଉ ବୋଲି ସେ କହିଛନ୍ତି।

Comment