ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଫାଇନାନ୍ସ ସଂସ୍ଥାରୁ ଲୁଟ୍‌ ଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସମସ୍ତ ବନ୍ଧକ ସଂସ୍ଥା ଉପରେ କଡ଼ା ନଜର ରଖିବ ପୋଲିସ।

କଟକ ଆଇଆଇଏଫ୍‌ଏଲ୍‌ ଶାଖା ସୁନା ଲୁଟ୍‌ରେ ଉକ୍ତ ସଂସ୍ଥାର ଦୁଇ କର୍ମଚାରୀ ଲାଲା ଅମ୍ରିତ ରାଏ ଏବଂ ନିଳିମା ଲେଙ୍କା ହିଁ ମାଷ୍ଟରମାଇଣ୍ଡ ଥିବା ଜଣା ପଡ଼ିଥିଲା। ରାଜ୍ୟରେ ଏହି ଘଟଣାର ଯେପରି ପୁନରାବୃତି ନହୁଏ ସେଥିପ୍ରତି ପୋଲିସ ଚିନ୍ତା କରିଛି। ଏଣିକି ରାଜ୍ୟର ସମସ୍ତ ସୁନା ଋଣ ପ୍ରଦାନକାରୀ ସଂସ୍ଥା ଉପରେ ପୋଲିସ କଡ଼ା ନଜର ରଖିବ। ଶନିବାର ଏବାବଦରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି।

ପୋଲିସ କମିସନର ଆହୁରି ମଧ୍ୟ କହିଛନ୍ତି ଯେ, କଟକ ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ଲୁଟ୍‌ ଘଟଣାରେ ଏଯାବତ୍‌ ୧୦ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି। ଏହି ଗିରଫଦାରୀ ଜାରି ରହିବ, ଆଗକୁ ଆହୁରି ଗିରଫ ହେବେ। ଏଯାଏ ପାଖାପାଖି ୧୦ କିଲୋ ସୁନା ପୋଲିସ ଜବତ କରିଛି। ମନ୍ନାପୁରମ ଗୋଲ୍ଡ ଲୋନ୍‌ ସଂସ୍ଥାର ଚୌଧୁରୀ ବଜାର ଏବଂ ବଜ୍ରକବାଟି ଶାଖାରୁ କେବଳ ୬ କିଲୋ ୭୦୦ ଗ୍ରାମ ସୁନା ମିଳିଛି। ୨୦୧୬ରୁ ଏହି ଲୁଟ୍‌ ଚାଲିଆସୁଛି। ଆଇଆଇଏଫ୍‌ଏଲ୍‌ର ମୁମ୍ଵାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସହିତ ଆମେ ଯୋଗାଯୋଗରେ ଅଛୁ।

ଅନ୍ୟପଟେ ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ର ମ୍ୟାନେଜର ଅୟନ ଶାହା ରାୟ କହିଛନ୍ତି ଯେ, ସୁନା ବନ୍ଧକ ରଖିଥିବା ଗ୍ରହକମାନେ ସେମାନଙ୍କ ସୁନା ପାଇଁ ବ୍ୟସ୍ତ ହୁଅନ୍ତୁନାହିଁ। ଆମର ଇନ୍‌ସୁରାନ୍ସ ପଲିସି ଅଛି। ଗ୍ରାହକମାନେ ସେମାନଙ୍କର ସୁନା ନିଶ୍ଚେ ଫେରିପାଇବେ।ନଭେମ୍ଵର ୧୯ ତାରିଖରେ କଟକ ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌ ନାମକ ଏକ ଫାଇନାନ୍ସ ସଂସ୍ଥାରୁ ଲୁଟ୍‌ ହୋଇଥିଲା। ବନ୍ଧୁକମୁନରେ ପ୍ରାୟ ୨୦ କୋଟି ଟଙ୍କାର ସୁନା ଲୁଟି ନେଇଥିଲେ ୪ଜଣ ଦୁର୍ବୃତ୍ତ। ଘଟଣାର ୬ ଦିନପରେ ଏହି ଲୁଟ୍‌ର ପର୍ଦ୍ଦାଫାସ୍ କରିଥିଲା କମିସନରେଟ ପୋଲିସ। ସଂସ୍ଥାର ଦୁଇଜଣ କର୍ମଚାରୀ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିବା ପରେ ଧିରେ ଧିରେ ଲୁଟ୍‌ର ଗୁମର ଫିଟିଥିଲା।ଏହି ଲୁଟ୍‌ ଘଟଣା ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାଏ ଆଇଆଇଏଫ୍‌ଏଲ୍‌ରୁ ସାଙ୍ଗମାନଙ୍କ ସାହାଯ୍ୟରେ ସୁନା ଲୁଟ୍‌ କରି ତେକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲା। ସେହି ସଂସ୍ଥାର ଅନ୍ୟଜଣେ ମହିଳା କର୍ମାଚାରୀ ନିଳିମା ଲେଙ୍କା ମଧ୍ୟ ଲାଲ ସହ ମିଶି ଏହି ଲୁଟ୍‌ର ମାଷ୍ଟରପ୍ଲାନ କରିଥିବା ପୋଲିସ ଜାଣିବାକୁ ପାଇଥିଲେ। ଏହାପରେ କଟକ ଭଗତପୁରରୁ ପୋଲିସ ନିଳିମାଙ୍କୁ ଗିରଫ କରିଥିଲେ।

ପୁରା ଲୁଟ୍‌ଟି କିପରି ହୋଇଥିଲା ତାହା ଜାଣିବା ପାଇଁ ୨୬ ତାରିଖରେ ଗିରଫ ହୋଇଥିବା ଅଭିଯୁକ୍ତିମାନଙ୍କୁ ନେଇ ଆଇଆଇଏଫ୍ଏଲ୍‌ ନୟାସଡ଼କ ଶାଖାରେ ଏକ ଡେମୋ କରାଇଥିଲା ପୋଲିସ।

Comment