ଓଡ଼ିଶାଲାଇଭ୍ ବ୍ୟୁରୋ

ଏକଦା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଅନୁଗତ କୁହାଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦଶା ଏଭଳି କାହିଁକି ହେଲା? ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର ଘଟଣାକୁ ନେଇ ଶାସକ ଦଳରେ ଯେଉଁ ଭୂକମ୍ପ ସୃଷ୍ଟି ହୋଇଛି ତାହା ଯେ ରାତାରାତି ହୋଇଛି ସେ କଥା ନୁହେଁ। ଅନେକ ଦିନ ଧରି ଏହା କୁହୁଳି ଆସୁଥିଲା।

ଦଳ ପାଇଁ ବୋଝ

ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ପ୍ରଦୀପ ବେଶ କିଛି ଦିନ ଧରି ଦଳ ପାଇଁ ଏକ ବୋଝ ହୋଇ ପଡ଼ିଥିଲେ। ଦଳ ଭିତରେ କେବଳ ତାଙ୍କଠାରୁ ହିଁ ଅଧିକରୁ ଅଧିକ ବିରୋଧର ସ୍ୱର ଶୁଣାଯାଉଥିଲା। ଉଭୟ ଦଳ ଓ ସରକାର ଭିତରେ ଯାହା ଚାଲିଛି ତାହାକୁ ନେଇ ପ୍ରଦୀପ ବରାବର ଅସନ୍ତୋଷ ପ୍ରକାଶ କରି ଆସୁଥିଲେ।

ବିବାହ ପ୍ରସଙ୍ଗ

ରବିବାର ଦିନ ପ୍ରଦୀପଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯିବା ସହ ବରିଷ୍ଠ ବନସେବା ଅଧିକାରୀ ଅଭୟ ପାଠକଙ୍କ ଭିଜିଲାନ୍ସ ଚଢ଼ାଉ ସହିତ ଯୋଡ଼ା ଯାଉଛି। ପାଠକଙ୍କ ପୁଅଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ବିବାହ ସ୍ଥିର ହୋଇ ସାରିଥିଲା ଓ ଆସନ୍ତା ୧୧ ତାରିଖରେ ଏହା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି।

କେମିତି ଉଠିଲେ?

ପୂର୍ବତନ ଛାତ୍ର ନେତା ପ୍ରଦୀପ ପାଣିଗ୍ରାହୀ ୨୦୦୪ ବିଧାନସଭା ନିର୍ବାଚନରେ ପ୍ରକୃତରେ ଲୋକଲୋଚନକୁ ଆସିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଦେଖାଶୁଣା ଦାୟିତ୍ୱ ଦେଲେ। ପୁରସ୍କାର ସ୍ୱରୂପ ପରବର୍ତ୍ତୀ ନିର୍ବାଚନରେ ପ୍ରଦୀପ ଗୋପାଳପୁର ଆସନ ପାଇଁ ଟିକେଟ ପାଇଲେ ଓ  ଜିତିଲେ ମଧ୍ୟ। ୨୦୦୯ ପରେ ୨୦୧୪ରେ ପୁଣି ସେ ଗୋପାଳପୁରରୁ ପ୍ରାର୍ଥୀ ଭାବେ ଠିଆ ହେଲେ ଓ ଏଥର ତାଙ୍କୁ ମନ୍ତ୍ରୀ କରାଗଲା। ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ୱ ମଧ୍ୟ ତାଙ୍କୁ ମିଳିଲା।

ଅବାଧ ପ୍ରବେଶ

୨୦୦୯ ଓ ୨୦୧୪ ସରକାର ସମୟରେ ପ୍ରଦୀପ ପାଣିଗ୍ରାହୀ ନବୀନଙ୍କ ଖୁବ ଶୁଭ ଦୃଷ୍ଟିରେ ଥିଲେ ଓ ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଥିଲା। ଏପରିକି ପ୍ରଦୀପ ଯେତେବେଳେ ହଟ୍‌ଲାଇନରେ ମୁଖ୍ୟଙ୍କ ସହ କଥାବାର୍ତ୍ତା ହେବା ପାଇଁ ଚାହୁଁଥିଲେ ତାହା ପୂରଣ ହେଉଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସହଜରେ ଯାଇ ପାରୁଥିବାରୁ ପ୍ରଦୀପଙ୍କ କାଟତି ମଧ୍ୟ ଦଳରେ ଓ ସରକାରରେ ବେଶ ବୃଦ୍ଧି ପାଇଥିଲା।

ସମ୍ପର୍କ ଖରାପ

ନବୀନ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଭିତରେ ସମ୍ପର୍କ ଖରାପ ହେବାର ପ୍ରଥମ ସୂଚନା ମିଳିଲା ଯେତେବେଳେ ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚଳିତ ମେ ମାସରେ ଏକ ଚିଠି ଲେଖିଲେ। କରୋନା ଯୁଦ୍ଧରେ ତାଙ୍କୁ ପ୍ରଶାସନ ଅବହେଳା କରୁଥିବା ପରି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପ୍ରଦୀପ। ଏହି ଚିଠି ଶାସକ ଦଳର ହର୍ତ୍ତାକର୍ତ୍ତାଙ୍କୁ ବେଶ ଅଡ଼ୁଆରେ ପକାଇଥିଲା।

ଭିତିରି ତଥ୍ୟ

ବିଜେଡି ଆଭ୍ୟନ୍ତରୀଣ ସୂତ୍ର ଅନୁସାରେ ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ପ୍ରଦୀପଙ୍କ ଶନି ସପ୍ତା ଆରମ୍ଭ ହେଲା। ଗଜପତି ଜିଲ୍ଲାର ଦୁଇଟି ଆସନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ଯୋଗୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନଥିଲା। ପରେ ପରେ ତାଙ୍କୁ ହିଞ୍ଜିଳି ଦାୟିତ୍ଵରୁ ମଧ୍ୟ ହଟାଇ ଦିଆଗଲା।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିକଟରେ ଅଭୟ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ଓ ତାଙ୍କ ଠାରୁ ୯ କୋଟି ଟଙ୍କା ଜବତ ହେବା, ଅଭୟଙ୍କ ପୁଅ ଆକାଶ ଟାଟା କମ୍ପାନିର ଜଣେ ଅଧିକାରୀ କହି ଲୋକଙ୍କ ଠାରୁ ଅର୍ଥ ଆଦାୟ କରିବା ଆଦି ଅଭିଯୋଗ ଠୁଳ ହେବା ପରେ ପ୍ରଦୀପଙ୍କ ରାଜନୈତିକ ଭାଗ୍ୟ ଲକ୍‌ଡାଉନ୍ ଭିତରକୁ ଆସିଗଲା।

Comment