ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିଛି ସମ୍ ହସ୍ପିଟାଲ। ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି) ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନରେ ରବିବାର ଦ୍ୱିତୀୟ ଥର ପାଇଁ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି।

ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା। ଏହାପରେ ରବିବାର ଦ୍ୱିତୀୟ ଥର ପାଇଁ ସମ୍ବଲପୁରର ଉମେଶ କୁମାର ରାଉତଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଛି। ତାଙ୍କ ଭଉଣୀ ଅନୀତା କୁମାରୀ ତାଙ୍କ ଯକୃତର କିଛି ଅଂଶ ନିଜ ଭାଇକୁ ପ୍ରଦାନ କରିଛନ୍ତି।ରମେଶଙ୍କ ଯକୃତ ରୋଗ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲା ବୋଲି ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ କହିଛନ୍ତି। ଏହି ଅପରେସନ ପାଇଁ ଏକ ୪୦ ଜଣିଆ ଟିମ୍ ଗଠନ କରାଯାଇଥିଲା। ସର୍ଜରୀ ପୂର୍ବରୁ ଏଆଇଜି ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟରେ ଏହି ଯକୃତ ପ୍ରତ୍ୟାରୋପଣ ନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି ପ୍ରତ୍ୟାରୋପଣ ସମ୍ବନ୍ଧରେ ସୂଚନା ଦେଇ ପ୍ରଫେସର ମନୋଜ କୁମାର ସାହୁ କହିଛନ୍ତି ଯେ, ଅପରେସନ ଥିଏଟରରେ ଯକୃତ ପ୍ରଦାନ କରିଥିବା ଡୋନରଙ୍କର ୬୦ ପ୍ରତିଶତ ଯକୃତ ପ୍ରଥମେ କଢ଼ାଯାଇଥିବା ବେଳେ ରୋଗୀଙ୍କର ଅସୁସ୍ଥ ଯକୃତଟିକୁ ସମ୍ପୂର୍ଣ୍ଣ ଭାବେ କଢ଼ାଯାଇଥିଲା। ନୂଆ ଯକୃତଟି ସହିତ ସର୍ଜନମାନେ ଆର୍ଟେରୀ, ଭେନ ଏବଂ ବାଇଲ ଡକ୍ଟାଗୁଡିକୁ ରୋପଣ କରିଥିଲେ। ଏକ ନୂଆ ରୋଟମ୍ ପ୍ରକ୍ରିୟା ମାଧ୍ୟମରେ ଏହି ପ୍ରତ୍ୟାରୋପଣ କରାଯାଇଥିଲା। ଉଭୟ ଡୋନର ଏବଂ ଯକୃତ ଗ୍ରହଣ କରିଥିବା ରୋଗୀ ଅପରେସନ ପରେ ସୁସ୍ଥ ଅଛନ୍ତି।ଏହି ସର୍ଜରୀ ନିମନ୍ତେ ଯକୃତ ପ୍ରତ୍ୟାରୋପଣ ନିର୍ଦ୍ଦେଶକ ପ୍ରଫେସର ମେନନ୍‌ଙ୍କ ନେତୃତ୍ୱରେ ଡାକ୍ତର ଜି.ଭି. ପ୍ରେମକୁମାର, ଡାକ୍ତର ଶକ୍ତି ସ୍ୱରୂପ, ଡାକ୍ତର କ୍ରିଷ୍ଣା ଚୈତନ୍ୟ ଓ ସନ୍ତୋଷ କୁମାର ସାହୁଙ୍କ ସମେତ ୧୦ ଜଣ ଏଠାକୁ ଆସିଥିଲେ। ସେହିପରି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ପ୍ରତ୍ୟାରୋପଣ ଟିମ୍‌ରେ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ, ଡାକ୍ତର ସୁମିତ୍ ମହାନ୍ତି, ଡାକ୍ତର ସତ୍ୟ ସୁନ୍ଦର ଗଜେନ୍ଦ୍ର ମହାପାତ୍ର, ଡାକ୍ତର ସନ୍ତୋଷ କୁମାର ସିଂହ, ଡାକ୍ତର ରାଜୀବ ଲୋଚନ ସାମଲ, ଡାକ୍ତର ଦେବକାନ୍ତ ମିଶ୍ର, ଡାକ୍ତର ରାଜେଶ କୁମାର ଭୋଳ, ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ଏବଂ ପ୍ରତ୍ୟାରୋପଣ ସଂଯୋଜକ ସୁଶାନ୍ତ କୁମାର ବିଶ୍ୱାଳ ଏବଂ ସରୋଜ ସେନାପତି ସାମିଲ୍ ଥିଲେ।

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ସର୍ଜରୀ ନିମନ୍ତେ ଉପଲବ୍ଧ ଥିବା ସୁବିଧାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଫେସର ମେନନ୍। “ସମ୍ ହସ୍ପିଟାଲର ସର୍ଜନ, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଅପରେସନରେ ଖୁବ୍ ସହଯୋଗ କରିଥିଲେ ଏବଂ ସେମାନଙ୍କଠାରେ ଉତ୍ସାହ ଭରି ରହିଛି। ଭବିଷ୍ୟତରେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ଏକ କେନ୍ଦ୍ର ହୋଇପାରେ” କହିଛନ୍ତି ପ୍ରଫେସର ମେନନ୍।

Comment