ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବଦଳୀୟ ବୈଠକରେ ରାଜ୍ୟର ପ୍ରତିନିଧିକଙ୍କ ସହ ଆଲୋଚନା କଲେ ମୋଦୀ।

କୋଭିଡ୍ ଟିକାକୁ ନେଇ ଏବେ ବୈଜ୍ଞାନିକମାନେ ଆଗକୁ ବଢୁଛନ୍ତି। ଖୁବଶୀଘ୍ର ଭାରତରେ କୋଭିଡ୍ ଟିକା ଉପଲବ୍ଧ ହେବ। ଟିକା ଆସିବା ପରେ କିପରି ଭାବେ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ମଧ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଶୁକ୍ରବାର ସର୍ବଦଳୀୟ ବୈଠକରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଅନ୍ୟପଟେ ଏହି ବୈଠକରେ ଯୋଗ ଦେଇଥିବା ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଓଡ଼ିଶାକୁ କିଭଳି ଅଗ୍ରାଧିକାର ଭିତ୍ତିରେ ଆଗୁଆ ଟିକା ମିଳିବ ସେନେଇ ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ତା’ସହ ଟିକାକରଣ ପାଇଁ ତୃଣମୂଳ ସ୍ତରରୁ ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ମଧ୍ୟ ବିଜେଡ଼ି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି।ଖୁବଶୀଘ୍ର କୋଭିଡ୍ ଭ୍ୟାକ୍ସିନ୍

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଆଠଟି ଟିକାର ପରୀକ୍ଷଣ ଚାଲିଛି। ବୈଜ୍ଞାନିକମାନେ ଖୁବଶୀଘ୍ର କରୋନା ଟିକା ଉଦ୍ଭାବନ କରିବାରେ ସଫଳ ହେବେ। ଟିକା ଆସିବା ପରେ ଏହା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ସରକାର କାମ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଏକ୍ସପର୍ଟ କମିଟି ଗଠନ କରାଯାଇଛି ବୋଲି ମୋଦୀ କହିଛନ୍ତି।

କୋଭିଡ୍ ଟିକାର ଦାମ କେତେ?

ଦେଶରେ କୋଭିଡ୍ ଟିକା ଆସିଲେ ଏହାର ଦାମ କେତେ ରହିବ ନା ଏହା ମାଗଣାରେ ଉପଲବ୍ଧ ହେବ ବୋଲି ଏବେ ବି ଚର୍ଚ୍ଚା ଚାଲିଛି। ତେବେ ମୋଦୀଙ୍କ କହିବା ମୁତାବକ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ହିଁ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏଥିପାଇଁ ଗଠନ କରାଯାଇଥିବା ଏକ୍ସପର୍ଟ କମିଟିର ମଧ୍ୟ ରାୟ ନିଆଯିବ। ଏହାପରେ ଯାଇ ଟିକାର ଦାମ କେତେ ରହିବ ସେ ନେଇ ସୂଚନା ଦିଆଯିବ। ତା ସହ ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି କୁହାଯାଇଛି।ମହାମାରୀ ଭିତରେ ଦ୍ୱିତୀୟ ସର୍ବଦଳୀୟ ବୈଠକ

କିଛି ଦିନ ତଳେ ମୋଦୀ ଦେଶରେ କୋଭିଡ୍ ଟିକାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଯାଇ ଟିକା ନିର୍ମାତା କମ୍ପାନିକୁ ଗସ୍ତ କରିଥିଲେ। ଏହାପରେ ଆୟୋଜିତ ହୋଇଥିବା ଏହି ସର୍ବଦଳୀୟ ବୈଠକ ତେଣୁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ତା ସହ ମାହମାରୀ ସମୟରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସର୍ବଦଳୀୟ ବୈଠକ ଥିଲା। ଏହାପୂର୍ବରୁ କରୋନା ଭାଇରସ୍ ସ୍ଥିତିକୁ ନେଇ ଥରେ ମୋଦୀ ସର୍ବଦଳୀୟ ବୈଠକ ଆହ୍ୱାନ କରିଥିଲେ।

Comment