ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି, ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର। ଦୁଇ ଦଳକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିବା ସହ ଅଭିଯୁକ୍ତକୁ କାହିଁକି ଘଣ୍ଟା ଘୋଡ଼ାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ନୟାଗଡ଼ ପରୀ ମୃତ୍ୟୁ ମାମଲାକୁ ନେଇ ରବିବାର କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ କହିଥିଲେ ଯେ, ରାଜ୍ୟ ସରକାର ପରୀ ମୃତ୍ୟୁ ଘଟଣାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେବା କଂଗ୍ରେସର ଐତିହାସିକ ସଫଳତା। କଂଗ୍ରେସ ହିଁ ପ୍ରଥମେ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ଯେଉଁ କାରଣରୁ ସରକାର ଏହାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଜେପି ନେତାମାନେ ଏହାକୁ ଭିନ୍ନ ଧରଣରେ ପ୍ରଚାର କରୁଛନ୍ତି।
ଏଥିସହ ବିଜେପି ଜାଣିଶୁଣି ଏହି ପ୍ରସଙ୍ଗକୁ ଭୁଲେଇବାକୁ ଚେଷ୍ଟା କରୁଛି। ଏହାଦ୍ୱାରା ଶାସକ ଦଳ ହିଁ ଫାଇଦାରେ ରହୁଛି। ଅଭିଯୁକ୍ତଙ୍କୁ କାହିଁକି ଏପର୍ଯ୍ୟନ୍ତ ଘଣ୍ଟ ଘୋଡ଼ାଇ ରଖାଯାଇଛି ବୋଲି ମଧ୍ୟ ଚେଲ୍ଲାକୁମାର ପ୍ରଶ୍ନ କରିଛନ୍ତି।
ଯଦୁପୁର ଯାଇଥିଲା କଂଗ୍ରେସ ପ୍ରତିନିଧି ଦଳ
କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଗତକାଲି କଂଗ୍ରେସ ପ୍ରତିନିଧି ଦଳ ମୃତ ପରୀର ଗାଁ ଯଦୁପୁରକୁ ଯାଇଥିଲା। ସେଠାରେ ସେମାନେ ପରୀ’ର ବାପା ମା’ଙ୍କୁ ଭେଟିବା ସହ ତୁରନ୍ତ ଏହି ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ତାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି, ଭକ୍ତଚରଣ ଦାସ, ପ୍ରଦୀପ ମାଝି ପ୍ରମୁଖ ରହିଥିଲେ।


















