ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛି ନା ବିରୋଧ କରୁଛି ବିଜେଡି?

ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ପାଳନ କରିଛନ୍ତି କୃଷକ ସଙ୍ଗଠନ। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ କିଛିଟା ଭାବେ ଦେଖିବାକୁ ମିଳିଛି। ରାଜ୍ୟ କଂଗ୍ରେସ ଓ ନବନିର୍ମାଣ କୃଷକ ସଙ୍ଗଠନ ଏହାକୁ ସମର୍ଥନ କରୁଥିବାରୁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ‘ଭାରତ ବନ୍ଦ’ ନାରା ମଧ୍ୟ ଶୁଣିବାକୁ ମିଳିଛି। ତେବେ ଶାସକ ବିଜେଡି ଏହି ପ୍ରସଙ୍ଗରେ କାହାକୁ ସମର୍ଥନ କରୁଛି? ଦଳ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛି ନା କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରୁଛି ତାକୁ ନେଇ ଏବେ ରାଜନୀତି କରିଡରରେ ଜୋରଦାର ଚର୍ଚ୍ଚା।

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନମାନେ ଏହି ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଦେଶର ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି; ହେଲେ ଓଡ଼ିଶାରେ ଶାସକ ଦଳ ବିଜେଡି ଏହାକୁ ସମର୍ଥନ କରୁଛି କି ନାହିଁ ତା’ ଏଯାଏଁ ସ୍ପଷ୍ଟ କରିନି।

ଅନ୍ୟପଟେ କୃଷି ବିଲ୍ ଯେତେବେଳେ ସଂସଦରେ ଆଗତ ହୋଇଥିଲା ସେତେବେଳେ ମଧ୍ୟ ବିଜେଡିର ଦୋ ମୁହାଁ ନୀତି ଦେଖିବାକୁ ମିଳିଥିଲା। ବିଜେଡି ସାଂସଦ ଲୋକସଭାରେ ଏହି ବିଲକୁ ସମର୍ଥନ କରିଥିବାବେଳେ ରାଜ୍ୟସଭାରେ ବିରୋଧ ପ୍ରଦର୍ଶନ କରିଥିଲେ। ସେତେବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଉଠିଥିଲା ପଡ଼ିଥିଲା। ଏପରି ସ୍ଥିତିରେ ବିଜେଡି ଚାଷୀ ଆନ୍ଦୋଳନକୁ ବିରୋଧ କରୁଛି ନା ସମର୍ଥନ କରୁଛି ଅବା ମୋଦୀ ସରକାରଙ୍କ କୃଷି ଆଇନକୁ ବିରୋଧ କରୁଛି କି ସମର୍ଥନ କରୁଛି ତାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ।ଲୋକସଭାରେ ସମର୍ଥନ, ରାଜ୍ୟସଭାରେ ବିରୋଧ

୨୦୧୪ ମସିହାରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ଏନଡିଏ ସରକାରର ବିଭିନ୍ନ ବିଲ୍ ଓ ପ୍ରସଙ୍ଗରେ ସଂସଦରେ ସମର୍ଥନ ଦେଇ ଆସୁଛି ବିଜେଡି। ଗତ ସେପ୍ଟେମ୍ବର ମାସରେ କୃଷି କ୍ଷେତ୍ରରେ ସଂସ୍କାର ଆଣିବାକୁ ଯାଇ ମୋଦୀ ସରକାର ନୂଆ କୃଷି ବିଲ୍ ଆଣିଥିଲେ; କିନ୍ତୁ ଏହି ବିଲକୁ ବିଜେଡି ସାଂସଦ ଲୋକସଭାରେ ସମର୍ଥନ କରିଥିବାବେଳେ ରାଜ୍ୟସଭାରେ ବିରୋଧ କରିଥିଲେ।

ସେପ୍ଟେମ୍ବର ୧୭ ତାରିଖରେ ଲୋକସଭାରେ ଏହି କୃଷି ବିଲ୍ ଆଗତ ହୋଇଥିଲା। ଏହାକୁ ବିରୋଧ କରି ବିରୋଧୀମାନେ କକ୍ଷ ତ୍ୟାଗ କରିଥିଲେ। ବିଜେଡି ସାଂସଦମାନେ କିନ୍ତୁ ଏହାକୁ ନେଇ ପାଟିଖୋଲିନଥିଲେ। ଶେଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ବିଲକୁ ବାଚନିକ ଭୋଟରେ ପାସ୍ କରାଇ ନେଇଥିଲେ।ସେପ୍ଟେମ୍ବର ୨୦ରେ କିନ୍ତୁ ଯେତେବେଳେ ଏହି ବିଲ୍ ରାଜ୍ୟସଭାରେ ଆଗତ ହେଲା ସେତେବେଳେ ବିଜେଡି ସାଂସଦ ଏହାକୁ ବିରୋଧ କରିଥିଲେ। ନୂଆ ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ସରକାର ଏହି ବିଲକୁ ନେଇ ଆଉ ଥରେ ଚିନ୍ତା କରିବା ସହିତ ଏହାକୁ ଚୟନ କମିଟି ପଠାଇବାକୁ ବିଜେଡି ସାଂସଦ ଅମର ପଟ୍ଟନାୟକ ଦାବି କରିଥିଲେ। ଯେଉଁ ଘଟଣାକୁ ନେଇ ରାଜନୈତିକ ପଣ୍ଡିତମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ବିଜେଡିର ଦୋ ମୁହାଁ ନୀତିକୁ ନେଇ ଚର୍ଚ୍ଚା ହୋଇଥିଲା।

ବିଜେଡିର ବିରୋଧ ସତ୍ତ୍ୱେ କିନ୍ତୁ କେନ୍ଦ୍ର ସରକାର ଏହାକୁ ରାଜ୍ୟସଭାରେ ପାରିତ କରି ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ କରିଥିଲେ।

ଚାଷୀ ଆନ୍ଦୋଳନ ସପକ୍ଷରେ ନା ବିପକ୍ଷରେ ବିଜେଡି?

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏବେ ଦୀର୍ଘ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ଏହି ଆନ୍ଦୋଳନକୁ କଂଗ୍ରେସ ସମେତ ବାମଦଳ, ଟିଆର୍‌ଏସ୍‌, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡ଼ି), ତୃଣମୂଳ କଂଗ୍ରେସ, ଶିବସେନା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ଲୋକଦଳ ଆଦି ସମର୍ଥନ କରୁଛନ୍ତି। ବିଜେଡି କିନ୍ତୁ ଏହାକୁ ସମର୍ଥନ କରୁଛି କି ନାହିଁ ଏଯାଏଁ ସ୍ପଷ୍ଟ କରିନି।

ଅନ୍ୟପଟେ ମଙ୍ଗଳବାର ଭାରତ ବନ୍ଦ ଆଳରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସ୍ ମଙ୍ଗଳବାର ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଏହାପରେ ବିଜେଡି ସରକାର ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି ରାଜନୈତିକ ଆଲୋଚକମାନେ କହିବା ଆରମ୍ଭ କରିଦେଇଛନ୍ତି।

ଏପଟେ କିନ୍ତୁ କେନ୍ଦ୍ର ସହ ସମ୍ପର୍କ ତିକ୍ତ ହେବା ଭୟରେ ବିଜେଡି ନେତାମାନେ ସବୁ ଦାୟିତ୍ୱ ସୁପ୍ରିମୋଙ୍କ ଉପରେ ଛାଡ଼ିଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ସମସ୍ତେ ତାହା ମାନିବେ ବୋଲି ସୋମବାର ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ନିଜ ସ୍ୱାର୍ଥ ଦେଖୁଛି ବିଜେଡି ସରକାର – ବିଜେପି

ବିଜେଡି ଯେତେବେଳେ ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରିଥିଲା ସେତେବେଳେ ବିଜେପି ନେତାମାନେ ଏହାକୁ ନେଇ ବିଜେଡିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ। ସେ ସମୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଥିଲେ ଯେ, ନୂଆ କୃଷି ଆଇନ ଦ୍ୱାରା ମଧ୍ୟସ୍ଥି ବା ଏଜେଣ୍ଟମାନଙ୍କର ଭୂମିକା ହ୍ରାସ ପାଇବ। ରାଜ୍ୟ ସରକାର କିନ୍ତୁ ଧାନକିଣାରେ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ଲଗାଇଛନ୍ତି। ତେଣୁ ଭୋଟ୍ ବ୍ୟାଙ୍କ ଖସି ଯିବା ଭୟରେ ବିଜେଡି କୃଷି ଆଇନକୁ ବିରୋଧ କରୁଛି।

ସେହିପରି ବିଧାନସଭାରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଥିଲେ, “ବିଜେଡି ନିଜର ଭୋଟ ବ୍ୟାଙ୍କ ବଞ୍ଚେଇବାକୁ ଯାଇ କୃଷି ବିଲକୁ ବିରୋଧ କରିଛି। କୃଷି ବିଲ୍ ଲାଗୁ ହୋଇଗଲେ ବିଜେଡିର ସ୍ୱାର୍ଥହାନି ହେବ। ତେଣୁ ନିଜ ସ୍ୱାର୍ଥ ପାଇଁ ବିଜେଡି କୃଷି ବିଲକୁ ବିରୋଧ କରୁଛି।”

ତେବେ ବିଜେଡି ପକ୍ଷରୁ କିନ୍ତୁ ଏହି ବିଲରେ କେତେକ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସଂଶୋଧନ ହେବା ପରେ ଏହି ବିଲକୁ ଗ୍ରହଣ କରିବା ପାଇଁ ବିଜେଡିର କୌଣସି ଅସୁବିଧା ନାହିଁ ବୋଲି ସେ ସମୟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ର କହିଥିଲେ।

Comment