ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଥାୟୀ ନିଯୁକ୍ତି ଦାବିରେ ୧୫ ଦିନ ହେଲା ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ହଜାର ହଜାର ଏଏନ୍‌ଏମ୍‌ ସ୍ଵାସ୍ଥ୍ୟକର୍ମୀ।

“ଆମକୁ ଛଟେଇ କରନାହିଁ। ଆମକୁ ଥଇଥାନ ଦିଅ। ଏତିକି ମାତ୍ର ଅନୁରୋଧ ଆମକୁ ସ୍ଥାୟୀ ନିଯୁକ୍ତି ଦିଅ”, ଆକୁଳ କଣ୍ଠରେ ସରକାରଙ୍କୁ ଏପରି ନିବେଦନ କରୁଛନ୍ତି ହଜାର ହଜାର ଏଏନ୍‌ଏମ୍‌ କର୍ମୀ। ଦିନେ କି ଦୁଇଦିନ ନୁହେଁ ପାଖାପାଖି ୧୫ ଦିନ ହୋଇଗଲାଣି। ସ୍ଥାୟୀ ନିଯୁକ୍ତି ଦାବିରେ ଭୁବନେଶ୍ଵପର ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ରାଜ୍ୟର ପ୍ରାୟ ୨ ହଜାର ଏଏନ୍‌ଏମ୍‌ କର୍ମୀ।

ଆନ୍ଦୋଳନକୁ ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ କିଛି ଉତ୍ତର ମିଳିନି। ତେଣୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଏହି ଆନ୍ଦୋଳନକୁ ଜାରି ରଖିଯିବ। ଏପରିକି ଆବଶ୍ୟ ପଡ଼ିଲେ ଆମରଣ ଅନଶନରେ ମଧ୍ୟ ବସିବାକୁ ପ୍ରସ୍ତୁତ ଥିବା ଏଏନ୍‌ଏମ୍‌ କର୍ମୀମାନେ ପ୍ରତିକ୍ରିୟା ରଖିଛନ୍ତି।

କରୋନା ମହାମାରୀ ବେଳେ କୋଭିଡ ଯୋଦ୍ଧା ସାଜି ହଜାର ହଜାର ଏଏନ୍‌ଏମ୍‌ କର୍ମୀ କୋଭିଡ କେୟାର ହୋମରେ କାମ କଲେ। ୩ ମାସ ଧରି ଏମାନଙ୍କୁ ସ୍ଵାସ୍ଥ୍ୟସେବାରେ ନିୟୋଜିତ କରିଥିଲେ ରାଜ୍ୟ ସରକାର। କାମ ସରିଗଲା ପରେ ନା ରହିଛି ନିଯୁକ୍ତି ନା ମିଳିଲା ଦରମା।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଜୁଲାଇ ମାସରେ କୋଭିଡ କେୟାର ହୋମ ସଂଖ୍ୟା ବଢ଼ାଇଲେ ରାଜ୍ୟ ସରକାର। ରାଜ୍ୟର ପ୍ରାୟ ୬୭୯୮ଟି କୋଭିଡ କେୟାର ହୋମ ପାଇଁ ୭ ହଜାର ଏଏନ୍‌ଏମ୍‌ କର୍ମୀ, ଷ୍ଟାଫ୍‌ ନର୍ସ, ଫାର୍ମାସିଷ୍ଟ ଆଦିଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଗଲା। ତିନି ମାସ ପର୍ଯ୍ୟନ୍ତ ଦୈନିକ ମଜୁରୀ ଆଧାରରେ ସେମାନେ କାମ କରିବେ ବୋଲି କୁହାଯାଇଥିଲା। ଏଏନ୍‌ଏମ୍‌ କର୍ମୀଙ୍କୁ ଦୈନିକ ୮୫୦ ଏବଂ ଫାର୍ମାସିଷ୍ଟଙ୍କୁ ୧୦୦୦ ଟଙ୍କା ଦିଆଯିବ ବୋଲି ଧାର୍ଯ୍ୟ କରାଯାଇଥିଲା।ତିନି ମାସର ଅକ୍ଳାନ୍ତ ପରିଶ୍ରମ ପରେ ବି ସେମାନଙ୍କୁ ଦରମା ମିଳିଲା ନାହିଁ। ତାହା ବାଦ୍ ବି ସେମାନେ କୋଭିଡ ରୋଗୀଙ୍କ ସେବା କରିଥିଲେ। ଆଶା ଥିଲା ସରକାର ସେମାନଙ୍କୁ ଥଇଥାନ କରିବେ, ସ୍ଥାୟୀ ନିଯୁକ୍ତି ଦେବେ। କିନ୍ତୁ ଆଜି ପରିସ୍ଥିତି ଏପରି ହୋଇଛି କି ହଜାର ହଜାର ସଂଖ୍ୟାରେ ସ୍ଵାସ୍ଥ୍ୟକର୍ମୀମାନେ ରାଜଧାନୀରେ ବସି ଆନ୍ଦୋଳନ କରୁଛନ୍ତି। ସ୍ଥାୟୀ ନିଯୁକ୍ତି ପାଇଁ ସରକାରଙ୍କୁ ଦାବି କରୁଛନ୍ତି। ଧାରଣାକୁ ପନ୍ଦର ଦିନ ବିତିଯାଇଥିଲେ ବି ସରକାରଙ୍କ ଦେଖା ମିଳୁନାହିଁ।

ଏଏନ୍‌ଏମ୍‌ କର୍ମୀଙ୍କ ଆନ୍ଦୋଳନକୁ ସମର୍ଥ କରିଛନ୍ତି ବିରୋଧୀ ଦଳ। ଉଭୟ କଂଗ୍ରେସ ଏବଂ ବିଜେପି ନେତାମାନେ ଧାରଣା ସ୍ଥଳକୁ ଯାଇ ସେମାନଙ୍କ ସହ ମିଶି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।“ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରିବା ସହ ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରହିଛି। ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଆସୁଛନ୍ତି। ହେଲେ ସେମାନଙ୍କୁ ରାଜ୍ୟ ସରକାର ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ସେମାନଙ୍କୁ ଚାକିରି ଦେଇ ଏବେ ପ୍ରତାରଣା କରିଛନ୍ତି”, କହିଛନ୍ତି ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା।

Comment