ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ବିଜେପି ଓ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଘେରିବା ସାଙ୍ଗକୁ ସିବିଆଇ ତଦନ୍ତ ଦାବିରେ ହଲାପଟ୍ଟା ଚଳାଇଛନ୍ତି। ପରୀ ହତ୍ୟା ମାମଲାରେ ରାଜ୍ୟ ସରକାର ଛନ୍ଦି ହୋଇ ପଡ଼ିଥିବା ସମୟରେ ଜିଲ୍ଲାର ରାଜସୁନାଖଳା ନିକଟସ୍ଥ ବଧିପାଟ୍ଟଣା ଗାଁରେ ପୁଣି ଏକ ୩ ବର୍ଷର ଶିଶୁ କନ୍ୟା ନିଖୋଜ ଖବର ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି।

ବଧିପାଟ୍ଟଣା ଗାଁର ସଞ୍ଜୟ ସାହୁଙ୍କ ୩ ବର୍ଷର ଶିଶୁ କନ୍ୟା ସ୍ୱାତୀ ଡିସେମ୍ବର ୧୧ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୨ଟା ସମୟରେ ଦାଣ୍ଡ ଦୁଆରୁ ନିଖୋଜ ହୋଇଯାଇଛି। ବାପା ମାଆଙ୍କ କହିବା ଅନୁଯାୟୀ ଝିଅ ସ୍ୱାତୀ ସେଦିନ ଅପରାହ୍‌ଣ ରେ ଦାଣ୍ଡଦୁଆରେ ଖେଳୁଥିଲା। କିଛି ସମୟ ପରେ ଝିଅକୁ ନପାଇ ଗାଁ ଚାରିପାଖ ଓ କୁଅ ପୋଖରୀ ଆଦି ଖୋଜା ଖୋଜି କରି ଥିଲେ ପରିବାର ଲୋକେ। ହେଲେ କୌଣସି ସନ୍ଧାନ ମିଳି ନଥିଲା। ଶେଷରେ ଝିଅର ନିଖୋଜ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ସ୍ୱାତୀର ବାପା ସଞ୍ଜୟ ସାହୁ। 

ଘଟଣାର ତିନି ଦିନ ମଧ୍ୟରେ ପୋଲିସ୍ ସନ୍ଧାନି କୁକୁର ତଦନ୍ତ କରିଛି। ଓଡ୍ରାଫ ଦଳ ଦ୍ୱାରା ପୋଖରୀ ଓ କୂଅ ଆଦି ଖୋଜା ଖୋଜି କରାଯାଇଛି। ହେଲେ କୌଣସି ସୁଫଳ ମିଳି ନାହିଁ। ସ୍ୱାତୀ ନିଖୋଜ ହେବା ଦିନ ଗାଁକୁ କେତେଜଣ ଫେରି ବିକାଳି ଆସିଥିଲେ। ସ୍ୱାତୀର ଆସ୍ମିକ ନିଖୋଜ ପଛରେ ସେମାନଙ୍କ ହାତ ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ହେଲେ ପୋଲିସ୍ ତଦନ୍ତରେ କୌଣସି ସନ୍ଧାନ ନ ମିଳିବା ଯାଏ କିଛି କୁହାଯାଇ ପାରିବ ନାହିଁ କହିଛନ୍ତି ଜିଲ୍ଲା ଏସ୍ ପି ପ୍ରତ୍ୟୁଷ ଦିୱାକର।

ଗୋଟିଏ ପଟେ ପରୀ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ, ପ୍ରତିବାଦ, ଓ ଜନସ୍ୱାକ୍ଷର ଅଭିଯାନ ରଥ ପରିକ୍ରମା ଭଳି କ୍ରମାଗତ ଆନ୍ଦୋଳନ ଦ୍ୱାରା ସରକାରଙ୍କୁ ଘେରିଛି ଭାଜପା ଓ କଂଗ୍ରେସ।

ସେପଟେ ବଧିପାଟ୍ଟଣା ଗାଁର ସ୍ୱାତୀ ନିଖୋଜ ଘଟଣାରେ ବିଜେପି ଓ କଂଗ୍ରେସ ନେତା ନିଖୋଜ ଶିଶୁ ପରିବାରକୁ ଭେଟିଛନ୍ତି। ପରୀ ମାମଲାରେ ଏସ୍ ଆଇଟି ତଦନ୍ତ ଚାଲିଥିବା ବେଳେ ସ୍ୱାତୀ ନିଖୋଜ ଘଟଣା ଉପରୁ ପରଦା ହଟାଇବା ପୋଲିସ୍ ପ୍ରଶାସନ ପାଇଁ ବଡ଼ ଆହ୍ୱାନ ସାଜିଛି।

Comment