ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନବୀନ ପଟ୍ଟନାୟକ।
ବିଜେପି,କଂଗ୍ରେସ ଭଳି ଜାତୀୟ ଦଳମାନେ କେବଳ ନିର୍ବାଚନ ଜିତିବାକୁ ଗୁରୁତ୍ୱ ଦିଅନ୍ତି। ସରକାର ଗଢ଼ି ରାଜ୍ୟମାନଙ୍କରେ ନିଜ ପତିଆରା ବଢ଼େଇବାକୁ ଚେଷ୍ଟା କରନ୍ତି। ଆଉ ନିଜ ଦଳକୁ ନିର୍ବାଚନ ଜିତାଇବା ପରେ ନେତାମାନେ ମନ୍ତ୍ରୀପଦ ହାତେଇଥାନ୍ତି; ହେଲେ ବିଜେଡି ଏକମାତ୍ର ଦଳ ଭାବେ ସବୁବେଳେ ଲୋକଙ୍କ ସହ ଓ ଲୋକଙ୍କ ସମସ୍ୟା ସହ ରହିଛି।
ଶୁକ୍ରବାର ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ବିରୋଧୀଙ୍କ ଉପରେ ଏଭଳି ଢଙ୍ଗରେ ବର୍ଷିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ।
ନବୀନଙ୍କ କହିଛନ୍ତି କଂଗ୍ରେସ ଯେତେବେଳେ ଓଡ଼ିଶାରେ ଶାସନ କରୁଥିଲା ସେତେବେଳେ ରାଜ୍ୟରେ ଦିଲ୍ଲୀ କମାଣ୍ଡ କାମ କରୁଥିଲା। ବର୍ତ୍ତମାନ ବିଜେପି ଶାସିତ ରାଜ୍ୟମାନଙ୍କରେ ମଧ୍ୟ ସମାନ ଅବସ୍ଥା। ଦିଲ୍ଲୀ ନିର୍ଦ୍ଦେଶରେ ରାଜ୍ୟ ସରକାରଗୁଡ଼ିକ ଉଠ୍ ବସ୍ ହେଉଛନ୍ତି। ରାଜ୍ୟର ଏକମାତ୍ର ଦଳ ଭାବେ ବିଜେଡିର ଦିଲ୍ଲୀରେ କେହି ବି ବସ୍ ନାହାନ୍ତି। ସାଢ଼େ ଚାରିକୋଟି ଓଡ଼ିଆ ହିଁ ଏହି ଦଳର ବସ୍ ବୋଲି ନବୀନ କହିଛନ୍ତି।
ଏଥିସହ ନିର୍ବାଚନ ଆସିଲେ ହିଁ ଏହି ଦୁଇ ଦଳ ମଇଦାନକୁ ଓହ୍ଲାଇଥାନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ସରିଗଲେ କିନ୍ତୁ ସେମାନେ ତାଙ୍କ ନିଜ କଥା ଭୁଲିଯାଆନ୍ତି। ଜାତୀୟ ଦଳମାନେ କେବଳ ନିର୍ବାଚନ ଜିତିବାକୁ ଚେଷ୍ଟା କରନ୍ତି। ତାଙ୍କ ପାଇଁ ଆଉ କୌଣସି ପ୍ରସଙ୍ଗ ସେତେ ଗୁରୁତ୍ୱ ନୁହେଁ। ବିଜେଡି କିନ୍ତୁ ସବୁବେଳେ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିଛି ବୋଲି ନବୀନ ନିଜ ଆଭିମୁଖ୍ୟରେ ସ୍ପଷ୍ଟ କରିଛନ୍ତି।
ଏହାବାଦ୍ ନବୀନ ଶୁକ୍ରବାର ମହାନଦୀ ଜଳ ବିବାଦ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା, କେନ୍ଦ୍ର ଅବହେଳା ଆଦିଙ୍କୁ କେନ୍ଦ୍ର କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
ଏପଟେ ବିଜେପି ମଧ୍ୟ ନବୀନଙ୍କ କଥାର ଦୃଢ଼ ଜବାବ ଦେଇଛି। ମୋଦୀ ସରକାର ଅମଳରେ ବନ୍ୟା, ବାତ୍ୟା ସମୟରେ ଓଡ଼ିଶାକୁ ଭରପୂର ସାହାଯ୍ୟ ମିଳିଛି। ପୂର୍ବରୁ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କୁ ଦିଲ୍ଲୀ ଯିବାକୁ ପଡୁଥିଲା, ହେଲେ ଏବେ ଦିଲ୍ଲୀରୁ ସିଧା ଅନୁଦାନ ରାଜ୍ୟରେ ପହଞ୍ଚୁଛି। ଏପରି ସ୍ଥିତିରେ ବିଜେଡି ମୁଖିଆ କେବଳ ନିଜର ଯୁବ ନେତାଙ୍କୁ ଖୁସି କରିବାକୁ କେନ୍ଦ୍ର ଅବହେଳା କଥା ଉଠାଉଛନ୍ତି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ସେହିପରି ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ଓ ବିଜେଡି ନିର୍ବାଚନରେ ସାଙ୍ଗ ହୋଇଲଢ଼ିଲେ। ଏକଥା ସବୁଲୋକ ଜାଣିସାରିଲେଣି। ତେଣୁ ଉଭୟ ଦଳ ନିଜ ଭୋଟ୍ ବ୍ୟାଙ୍କ ବଞ୍ଚେଇବାକୁ ଏମିତି ଭେଳିକି କରୁଛନ୍ତି। ନବୀନଙ୍କ ପାଖରେ ଆଉ କିଛି ପ୍ରସଙ୍ଗ ନାହିଁ ତେଣୁ ଜାଣିଶୁଣି ସେ କେନ୍ଦ୍ର ଅବହେଳା କଥା ଉଠାଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି।

















