ଓଡ଼ିଶାଲାଇଭ୍ ବ୍ୟୁରୋ
ବଜାରରେ ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ବେଶ ଚିନ୍ତିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ପିଆଜର ଆମଦାନୀ ନିୟମକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସର୍ତ୍ତମୂଳକ ଭାବେ ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ପିଆଜର ଆମଦାନୀ ଅବଧିକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା କମ୍ ଦାମରେ ଓ ସୁବିଧାରେ ପିଆଜ ଦେଶ ଭିତରକୁ ଆସିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଭାରତୀୟ ବଜାରରେ ପିଆଜର ଉପଲବ୍ଧତା ବୃଦ୍ଧି କରିବା ସହ ଦର ହ୍ରାସ କରିବା ଲକ୍ଷ୍ୟରେ ସରକାର ଆମଦାନୀ ନିୟମକୁ କୋହଳ କରିଛନ୍ତି। ତେବେ ଏଥିପାଇଁ କେତେକ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରାଯାଇଛି। ଦେଶ ଭିତରକୁ ଯେଉଁ ପିଆଜ ଆସିବ ତାହାକୁ କ୍ୱାରେଣ୍ଟାଇନ୍ ଅଧିକାରୀ ପ୍ରଥମେ ଯାଞ୍ଚ୍ କରିବେ। ବାହାରୁ ଆସୁଥିବା ପିଆଜ ଭାରତରେ ପହଞ୍ଚିବା ପରେ ତାହାକୁ ସ୍ୱୀକୃତିପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ୱାରା ବିଶୋଧନ କରାଯିବ। ପିଆଜଗୁଡ଼ିକ କୀଟନାଶକ ଓ ଜୀବାଣୁମୁକ୍ତ ବୋଲି ପ୍ରମାଣ ମିଳିବା ପରେ ତାହାକୁ ବଜାରକୁ ଛଡ଼ାଯିବ।
ଯେଉଁ ସଂସ୍ଥା ବା ଆମଦାନୀକାରୀ ପିଆଜ ଆମଦାନୀ କରିବେ ସେମାନଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଲୋକଙ୍କ ବ୍ୟବହାର ପାଇଁ ପିଆଜ ଆମଦାନୀ କରାଯାଉଛି ବୋଲି ସେମାନେ ଏହି ସତ୍ୟପାଠରେ ଘୋଷଣା କରିବେ। ତେବେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଆଜ ବାବଦରେ ଅତିରିକ୍ତ ନିରୀକ୍ଷଣ ବ୍ୟୟ ଦେବାକୁ ପଡ଼ିବ ନାହିଁ ବୋଲି କୃଷି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।