ଓଡ଼ିଶାଲାଇଭ୍ ବ୍ୟୁରୋ

ନିୟନ୍ତ୍ରଣ ହରାଇଲାଣି ପିଆଜ ଦର। ଅକ୍ଟୋବର ପହିଲାରେ କିଲୋଗ୍ରାମ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଏବେ ୮୦ଟଙ୍କା ଟପିଛି। ଆଗକୁ ପିଆଜ ମୂଲ୍ୟ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ମୂଲ୍ୟରେ ବୃଦ୍ଧି ହୋଇଛି। ଦିଲ୍ଲୀରେ ପିଆଜ କିଲୋ ପ୍ରତି ୮୦ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ମଧ୍ୟ ୮୦ ଟଙ୍କାରେ ବିକ୍ରି ହେଉଛି। ଲକ୍ଷ୍ନୌରେ ୭୦ ଟଙ୍କା, ପାଟନାରେ ୭୦ ଟଙ୍କା, କୋଲକାତାରେ ୭୦ ଟଙ୍କା, କାନପୁରରେ ୬୦ ଟଙ୍କା ଏବଂ ଓଡ଼ିଶାରେ ୭୦ରୁ ୮୦ ଟଙ୍କାରେ କେଜିଏ ପିଆଜ ମିଳୁଛି।

ନୂଆ ପିଆଜ ଅମଳ ହେବା ପରେ ମୂଲ୍ୟରେ ହ୍ରାସ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏଣେ ପିଆଜ ମୂଲ୍ୟ ଦିନକୁ ଦିନ ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ସାଧରଣ ଲୋକ। ଘରକୁ ୩ କେଜି ପିଆଜ ନେଉଥିବା ଗ୍ରାହକ ଏବେ ଗୋଟିଏ କେଜି ନେବାକୁ ବାଧ୍ୟ ହେଉଛନ୍ତି।

ଓଡ଼ିଶାରେ ପିଆଜ ଦର ବୃଦ୍ଧିକୁ ନେଇ ମଙ୍ଗଳବାର ଦିନ ଅଭିନବ ଉପାୟରେ ପ୍ରତିବାଦ କରିଥିଲା ରାଜ୍ୟ ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଝୁଡ଼ିରେ ପିଆଜ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବଜାରରେ ପିଆଜ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଛାତ୍ର କଂଗ୍ରେସ ପକ୍ଷରୁ ମାତ୍ର ୨୦ ଟଙ୍କାରେ ପିଆଜ ବିକ୍ରି କରାଯାଇଥିଲା। ପିଆଜ କିଣିବାକୁ ଲୋକଙ୍କ ଭିଡ଼ ଲାଗିଥିଲା।

ରୋଷେଇ ଘରେ ପିଆଜର ଢେର ଚାହିଦା ରହିଥିବାରୁ ଏହାର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଯାଇଛି। କେବେ ଦର ନିୟନ୍ତ୍ରଣକୁ ଆସିବ ତା’ ଉପରେ ସମସ୍ତଙ୍କ ନଜର।

Tags: #Odisha #Onionprice #OnionPriceRising #India

Comment