ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ତିନି ସହକାରୀ ଯନ୍ତ୍ରୀ। ଜିଲ୍ଲାର କୋଷାଗୁମୁଡ଼ା, ଡାବୁଗାଁ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟର ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝି ଓ ରାଇଘର, ଉମରକୋଟ ଦାୟିତ୍ୱରେ ଥିବା ବୈକୁଣ୍ଠନାଥ ବେହେରାଙ୍କୁ ଭିଜିଲାନ୍ସ ଅଟକ ରଖିଛି। ବେଆଇନ ଟଙ୍କା କାରବାର ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି।

ଅଭିଯୁକ୍ତମାନେ ଏକ ସରକାରୀ ବୋଲେରୋ ଗାଡ଼ିରେ ୩ ଲକ୍ଷ ୧୧ ହଜାର ଟଙ୍କା ନେଇ ଉମରକୋଟ ଅଭିମୁଖେ ଯାଉଥିବା ନେଇ ଭିଜିଲାନ୍ସକୁ ଖବର ମିଳିଥିଲା। ଏହାପରେ ନବରଙ୍ଗପୁର ଭିଜିଲାନ୍ସ ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଯନ୍ତ୍ରୀମାନଙ୍କୁ ଅଟକାଇ ଗାଡ଼ି ଉପରେ ଚଢ଼ାଉ କରିବା ସହ ସେଥିରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ କରିଥିଲା।

ଏହି ୩ ଜଣ ଯନ୍ତ୍ରୀଙ୍କୁ ନବରଙ୍ଗପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳକୁ ଆଣି ଅଟକ ରଖାଯାଇଛି। ସେମାନେ ଏତେ ଟଙ୍କା କୁଆଡ଼େ ନେଇ ଯାଉଥିଲେ, କେଉଁଠୁ ଟଙ୍କା ଆସିଲା ଏନେଇ ଭିଜିଲାନ୍ସ ତଦନ୍ତ ଜାରିରଖିଛି। ତଦନ୍ତ ପରେ ସବୁ ଘଟଣା ସ୍ପଷ୍ଟ ହୋଇପାରିବ ବୋଲି ନବରଙ୍ଗପୁର ଭିଜିଲାନ୍ସ ଭାରପ୍ରାପ୍ତ ଡିଏସପି କଳାବତୀ ବାଗ ସୂଚନା ଦେଇଛନ୍ତି।

Comment