ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଡିସେମ୍ବର ୨୫, ବଡ଼ଦିନ
  • କରୋନା ପାଇଁ ପଡ଼ିବ ଫିକା
  • ବଜାର ମାନ୍ଦା
  • ଲୋକ କିଣୁନାହାନ୍ତି ସାଜସଜା ସାମଗ୍ରୀ

ବଡ଼ଦିନ ବା ଖ୍ରୀଷ୍ଟମାସକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ଡିସେମ୍ବର ୨୪ ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଡିସେମ୍ବର ୨୫ରେ ପାଳିତ ହେବ ଯୀଶୁଙ୍କ ଜନ୍ମ ଉତ୍ସବ। ଏହି ଦିନଟିକୁ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ଖୁବ୍ ଜାକଜମକରେ ପାଳନ କରୁଥିଲାବେଳେ ଆଜିକାଲି ପ୍ରାୟତଃ ସବୁ ସ୍ଥାନରେ ଏହି ପବିତ୍ର ଦିବସର ଆଦର କରାଯାଉଛି। କିନ୍ତୁ ସବୁ ବର୍ଷ ଭଳି ଏ ବର୍ଷ ସବୁଠି ଚମକିବନି ଚର୍ଚ୍ଚ। କାରଣ ବଡ଼ଦିନକୁ ଦିନ କେଇଟା ବାକି ଥିଲା ବଜାରରେ ବଡ଼ଦିନ ପାଇଁ ସେମିତି କିଛି ଚଞ୍ଚଳତା ଦେଖାଯାଉନି। କରୋନାରେ ଏ ବର୍ଷ ସବୁ ପର୍ବ ଫିକା ପଡ଼ିଥିଲା ବେଳେ ବଡ଼ଦିନ ବି ଫିକା ପଡ଼ିବ ବୋଲି କୁହାଯାଉଛି।

କରୋନା ପାଇଁ ବଜାର ମାନ୍ଦା

ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବଡ଼ଦିନ ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ତାଙ୍କର ଶୁଭକାମନା କରିଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟା କ୍ଲସ। ବଡ଼ଦିନ ଆସିଲେ ଏହି ସବୁ ଜିନିଷ କିଣିବା ପାଇଁ କିଛି ଦିନ ପୂର୍ବରୁ ବଜାରରେ ଖଚାଖଚ ଭିଡ଼ ଦେଖାଯାଏ। ମାସକ ଆଗରୁ ଖ୍ରୀଷ୍ଟମାସ ପାଇଁ ସାଜସଜ୍ଜା ଜିନିଷ କିଣିବାକୁ ଲୋକ ଆସିଥାନ୍ତି। ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ।

ଏଥିପାଇଁ ପିଲାମାନେ ଟୋପି, ସାନ୍ତା କ୍ଲସ ଡ୍ରେସ, ବ୍ୟାଗ, ଜୋତା, ଖ୍ରୀଷ୍ଟମାସ ଟ୍ରି, ଲାଇଟ ଆଦି କିଣିଥାନ୍ତି। ସେଦିନ ସଜେଇ ପିଲାମାନେ ସ୍କୁଲ ଯାଇଥାନ୍ତି। ଏ ବର୍ଷ କିନ୍ତୁ କରୋନା ପାଇଁ ସବୁ ସ୍କୁଲ ବନ୍ଦ ରହିଛି। ତେଣୁ ପିଲାମାନେ ଏହି ସବୁ ଜିନିଷ କିଣିବାକୁ ଇଚ୍ଛା ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି। ଏଯାଏଁ ବଜାରରେ ବି ଖ୍ରୀଷ୍ଟମାସ ପାଇଁ କୌଣସି ସ୍ୱତନ୍ତ୍ର ଦୋକାନ ଖୋଲିନଥିବା ଦେଖାଯାଉଛି। ଅଳ୍ପ କିଛି ଦୋକାନୀ ପୁରୁଣା ବର୍ଷର କିଛି ସାମଗ୍ରୀ ରଖି ବିକ୍ରି କରୁଛନ୍ତି।

ପ୍ରତିବର୍ଷ ବଡ଼ ବଡ଼ ହୋଟେଲ ଓ ରେସ୍ତୋରାଁ ମଧ୍ୟ ବଡ଼ଦିନ ଅବସରରେ ସ୍ୱତନ୍ତ୍ର ଭାବେ ସାଜସଜା କରନ୍ତି। ଏ ବର୍ଷ କରୋନା ପାଇଁ ପ୍ରାୟ ସବୁ କିଛି ବନ୍ଦ ରହିଛି। ତେଣୁ ଲୋକଙ୍କ ଭିତରେ ଏତେଟା ଉତ୍ସାହ ନାହିଁ। ବଡ଼ଦିନକୁ କମ୍‌ ଦିନ ଥିଲା ବେଳେ ସରକାରଙ୍କ ପକ୍ଷରୁ ଏଯାଏଁ କିଛି ନିର୍ଦ୍ଦେଶନାମା ବି ଜାରି ହୋଇନି।

ଭୁବନେଶ୍ୱରରେ ସ୍ୱତନ୍ତ୍ର ଅନୁମତି

ଭୁବନେଶ୍ୱର ବଡ଼ଦିନ ପାଳନ ପାଇଁ ଖ୍ରୀଷ୍ଟିଆନମାନଙ୍କୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି। ଡ଼ିସେମ୍ବର ୨୫ରେ ଖ୍ରୀଷ୍ଟମାସ ପାଇଁ ଚର୍ଚ୍ଚ ଯାଇହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ତେବେ ଯେଉଁ ଚର୍ଚ୍ଚ ଖ୍ରୀଷ୍ଟମାସ ପାଳନ ପାଇଁ ଇଛୁକ ସେମାନଙ୍କୁ ଲିଖିତ ଭାବେ ଆବେଦନ କରିବା ପାଇଁ ହେବ ବୋଲି ବିଏମସି କହିଛି। ଏହି ଆବେଦନରେ ଚର୍ଚ୍ଚ କର୍ତ୍ତୃପକ୍ଷ ଉଲ୍ଲେଖ କରିବେ ଚର୍ଚ୍ଚ ପରିସରରେ ସେଦିନ କେତେ ଜଣ ଅତିଥି ରହିବେ।

କନ୍ଧମାଳରେ ବଡ଼ଦିନ ପାଇଁ କଟକଣା

ବଡ଼ଦିନରେ କନ୍ଧମାଳରେ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠେ। ଏଠାରେ ଅଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକ ଥିବାରୁ ଏଠାରେ ବଡ଼ଦିନ ଧୁମଧାମରେ ପାଳନ କରାଯାଏ। ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚଗୁଡ଼ିକ ସୁନ୍ଦର ଭାବେ ସଜା ହୋଇଥାଏ।  ଘରେ ଘରେ ପରିବାରର ସମସ୍ତେ ନୂଆ ଲୁଗା, ଡ୍ରେସ ପିନ୍ଧି ବା ସହ ପିଠା ପଣା କରିଥାନ୍ତି ଓ କେକ କରି ସମ୍ପର୍କୀୟକୁ ବାଣ୍ଟି ଥାଆନ୍ତି। କିନ୍ତୁ ଏ ବର୍ଷ କନ୍ଧମାଳରେ ଡ଼ିସେମ୍ବର ୨୫ରେ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରାଯାଇଛି। ଚର୍ଚ୍ଚରେ ଲାଇଟ ଲାଗିବ ନାହିଁ କି ସାଜସଜା ହେବନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହିତ ମାତୟ ୧୫ ଜଣଙ୍କୁ ଅନୁମତି ମିଳିବ ବୋଲି କୁହାଯାଇଛି।  ଘରେ ରହି ବଡ଼ ଦିନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେଣୁ ସବୁ ପର୍ବ ଭଳି ବଡ଼ଦିନ ବି ଫିକା ପଡ଼ିବ।

Comment