ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରୁ ଓଡ଼ିଶାକୁ ଫେରିଥିବା ଯାତ୍ରୀଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏଥିସହ ତାଙ୍କ ପାଇଁ ଏକ ରାପିଡ୍ ରେସପନ୍ସ ଟିମ୍ ମଧ୍ୟ ଗଠନ ହେବ। ଯଦି ସେମାନଙ୍କ ଭିତରୁ କେହି କୋଭିଡ୍ ପଜିଟିଭ୍ ଥିବେ ତେବେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସଙ୍ଗରୋଧରେ ରଖାଯିବ ବୋଲି ରାଜ୍ୟ ସରକାରଙ୍କ ଏସଓପିରେ ଉଲ୍ଲେଖ କରାଯାଇଛି।

ଏହାପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ବ୍ରିଟେନରୁ ବିମାନ ଉଡ଼ାଣକୁ ବାତିଲ କରିବା ସହିତ ବିଦେଶ ଫେରନ୍ତାଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରିସାରିଛନ୍ତି। ଯଦି ସେମାନଙ୍କ ଭିତରୁ କେହି ବି ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ ପ୍ରଟୋକଲ୍ ଅନୁସାରେ ନିୟମ ମାନିବାକୁ କୁହାଯାଇଛି।

ବ୍ରିଟେନରେ ନୂଆ ଭୂତାଣୁ

ବ୍ରିଟେନରେ ଗତ କିଛି ଦିନ ହେବ କରୋନାର ଏକ ନୂଆ ପ୍ରକାର ଭୂତାଣୁ ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ଏହାକୁ  SARS-CoV-2 ନାଁ ଦେଇଛନ୍ତି। ଏହି ନୂଆ ଭୂତାଣୁ ପୂର୍ବାପେକ୍ଷା ଅଧିକ ତୀବ୍ର ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହା ଅଧିକ ଭୟଙ୍କର ବୋଲି ମଧ୍ୟ ବୈଜ୍ଞାନିକମାନେ କହୁଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଭାରତ ସରକାର ଏହି ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି।

ବ୍ରିଟେନରୁ ବିମାନ ଉଡ଼ାଣ ବାତିଲ

ଭାରତରେ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ବ୍ରିଟେନରୁ ବିମାନ ଉଡ଼ାଣକୁ ବାତିଲ କରିଛନ୍ତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନରୁ କୌଣସି ବିମାନ ଭାରତ ଆସିପାରିବ ନାହିଁ ବୋଲି କୁହାଯାଇଛି। ଯେଉଁ ସବୁ ବିମାନ ସେଠାରୁ ଆସିସାରିଛି ସେଥିରେ ଥିବା ସମସ୍ତ ଯାତ୍ରୀଙ୍କ ଆରଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।୮ ବିମାନ ଯାତ୍ରୀ କରୋନା ପଜିଟିଭ୍

ବ୍ରିଟେନରୁ ବିମାନ ଉଡ଼ାଣ ବାତିଲ କରାଯାଇଥିଲେ ମଧ୍ୟ ଏହାରି ଭିତରେ ଭାରତ ଆସିଥିବା ବିମାନଯାତ୍ରୀଙ୍କ ମଧ୍ୟରୁ ୮ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସୋମବାର ଦ୍ୱିପହର ସମୟରେ ରାଜଧାନୀ ଦିଲ୍ଲୀରେ ଏୟାର ଇଣ୍ଡିଆର ଗୋଟିଏ ଫ୍ଲାଇଟ୍ ଆସି ପହଞ୍ଚିଥିଲା। ଏହାପରେ ସେଥିରେ ଥିବା ସବୁ ଯାତ୍ରୀଙ୍କର କରୋନା ଟେଷ୍ଟ ହୋଇଥିଲା। ସେମାନଙ୍କ ଭିତରୁ ୬ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି।

ସେହିପରି ବ୍ରିଟେନରୁ କୋଲକାତା ଆସିଥିବା ଏକ ବିମାନର ୨ ଜଣ ଯାତ୍ରୀଙ୍କର ମଧ୍ୟ କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଅନ୍ୟ ଯାତ୍ରୀମାନଙ୍କର କୋଭିଡ୍ ଟେଷ୍ଟ ଚାଲିଥିବାବେଳେ ଆହୁରି ଅଧିକ ପଜିଟିଭ୍ କେସ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।

Comment