ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ରବିବାରଠାରୁ ଖୋଲିଛି ଭୁବନେଶ୍ଵରର ଶ୍ରୀଲିଙ୍ଗରାଜ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ସମ୍ପୂର୍ଣ୍ଣ କୋଭିଡ୍ କଟକଣା ସହିତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ପରିବାରର ସଦସ୍ୟମାନଙ୍କୁ ଦର୍ଶନ ସୁଯୋଗ ମିଳିବ। ଏହାପରେ ସାଧାରଣ ଲୋକେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରର ମୁଖ୍ୟ ଦ୍ଵାର ସାମ୍ନାରେ ବ୍ୟାରିକେଡ୍ କରାଯାଇଛି। ସେବାୟତ ଓ ତାଙ୍କ ପରିବାର ସଦସ୍ୟମାନେ ବ୍ୟାରିକେଡ୍ ମଧ୍ୟ ଦେଇ ଆସୁଛନ୍ତି। କୋଭିଡ୍ ନେଗେଟିଭ୍ ରିପୋର୍ଟ ସହିତ ପରିଚୟ ପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।ଆଇନ ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ନିକଟରେ ପୋଲିସ ଫୋର୍ସ ମୁତୟନ ହୋଇଛି। ସେହିପରି ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କ ପ୍ରବେଶକୁ ବାରଣ କରାଯାଇଛି।

ନୂଆବର୍ଷରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରକୁ ୧ ଓ ୨ ତାରିଖ ଦିନ ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜାନୁଆରି ୩ ତାରିଖରୁ ପୁଣି ମନ୍ଦିର ଖୋଲିବା ସହ ଦର୍ଶନ ପ୍ରକ୍ରିୟା ସ୍ଵାଭାବିକ ହେବ ବୋଲି ଜଣାପଡ଼ିଛି। ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ଵରବାସୀ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ। ତା’ ପରେ ୬ ତାରିଖଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ତେବେ ମନ୍ଦିର ପ୍ରବେଶ ପୂର୍ବରୁ ସମସ୍ତଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Comment