ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିକାଶ ତଥା କୃଷକମାନଙ୍କ ହିତ ପାଇଁ ନୂଆ କୃଷି ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଦ୍ଵାରା ଚାଷୀମାନଙ୍କର ପ୍ରଗତି ହୋଇପାରିବ। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ନେଇ ଚାଷୀମାନଙ୍କୁ ଭ୍ରମିତ କରାଯାଉଛି। ଫଳରେ କୃଷକମାନେ ନୂଆ କୃଷି ଆଇନକୁ ସମର୍ଥନ କରିବା ପରିବର୍ତ୍ତେ ବିରୋଧ କରୁଛନ୍ତି। ରବିବାର କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ଜୟପୁରଠାରେ ଆୟୋଜିତ କୃଷକ ସମାବେଶରେ ବିଜେପି ନେତୃବୃନ୍ଦ ଏଭଳି ଅଭିଯୋଗ କରିଛନ୍ତି।

ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସାଂସଦ ଜୁଏଲ ଓରାମ କହିଛନ୍ତି, “ନୂତନ କୃଷି ଆଇନ ଯୋଗୁ ଚାଷୀମାନେ ଖୋଲା ବଜାରରେ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରି ଅଧିକ ଲାଭ ପାଇପାରିବେ। ଅତ୍ୟାବଶ୍ୟକ ଖାଦ୍ୟ ଆଇନ ଉଚ୍ଛେଦ କରି କଳାବଜାରୀକୁ ଦୂର କରିବା ଲାଗି ଏହା ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ।”

ସେହିପରି ରାଜ୍ୟର ବିଭିନ୍ନ ମଣ୍ଡିରେ ଦଲାଲି ଓ ଅନିୟମିତତାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ କେବେ ବି ଭୁଲ ଆଇନ ପ୍ରଣୟନ କରିବେନି ବୋଲି ପ୍ରଦୀପ ପୁରୋହିତ କହିଥିଲେ।ଜୟପୁର ବାମୁଣି ଗାଁଠାରେ ଆୟୋଜିତ ଏହି ସମାବେଶରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଜେପି ରାଜ୍ୟ ଉପ ସଭାପତି ବଳଭଦ୍ର ମାଝି, ପୁର୍ବତନ ସାଂସଦ ଜୟରାମ ପାଙ୍ଗି, ମାଲକାନଗିରି ବିଧାୟକ ତଥା ଜିଲ୍ଲା ସଭାପତି ଆଦିତ୍ୟ ମାଢ଼ି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରର ନୂଆ କୃଷି ଆଇନ ମାଧ୍ୟମରେ ଚାଷୀ ନିଜ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ସହ ହକ୍ ମଧ୍ୟ ପାଇବେ। ଦଲାଲର ଶିକାର ହେବେ ନାହିଁ ବୋଲି ଏହି ଅତିଥିମାନେ କୃଷକମାନଙ୍କୁ ସଚେତନ କରାଇଥିଲେ।

କୃଷକ ସମାବେଶରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଶହ ଶହ ଚାଷୀଙ୍କ ସମେତ ବିଜେପି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଖଗେଶ୍ୱର ପୁଜାରି, ତ୍ରିପୁରାରି ଗରଡ଼ା, କୁମୁଦ ସାମନ୍ତା, ରାମ ଚନ୍ଦ୍ର ପାଙ୍ଗି, ପଦୁ ମାଝି, ଗୌରୀ ଶଙ୍କର ମାଝି, ପର୍ଶୁରାମ ମାଝି, ପ୍ରଦ୍ମନ ନାୟକ, ଶିବ ଶଙ୍କର ଉଲ୍ଲକା ପ୍ରମୁଖ ଉପସ୍ଥିତ ଥିଲେ।

Comment