କପିଳାସ ଭୂୟାଁ

ଉଲ୍ଲେଖ ଅନାବଶ୍ୟକ ଯେ ହସ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ତେବେ ହସର ପ୍ରକାର ଓ ଭେଦ ସମ୍ପର୍କରେ କେହି ବିଶେଷ ମନ ଦେଇ ଭାବେ ନାହିଁ। ହସର ସେହି ପ୍ରକାର ଭେଦ ସମ୍ପର୍କରେ ଏହି ଆଲେଖ୍ୟ।

ହସ ହସ:

କଥାବାର୍ତ୍ତା ଭିତରେ କାହାର ମୁହଁ ବର୍ଣ୍ଣନା କରିବାକୁ ଯାଇ ଉଲ୍ଲେଖ କରାଯାଏ ବା ଟିପ୍ପଣୀ ଦିଆଯାଏ କି “ଅମୁକଙ୍କ ମୁହଁଟି ହସ ହସ”। ଏହା ବସ୍ତୁତଃ ମୁହଁର ଗଠନ ପ୍ରଣାଳୀକୁ ହିଁ ବୁଝାଏ, ଯାହା ହସ ହସ ଦିଶୁଥାଏ। ଏଭଳି ହସ ହସ ମୁହଁ ମନ ଭିତରେ ବହୁତ କଥା ଲୁଚାଇ ରଖିବାକୁ ସାହାଯ୍ୟ କରେ। ମୁହଁକୁ ହସ ହସ କରି ରଖିବାକୁ ଅଭ୍ୟାସ କରାଯାଇ ପାରେ। କୂଟନୀତିଜ୍ଞମାନେ ହସ ହସ ମୁହଁକୁ ମୁଖା ପରି ବ୍ୟବହାର କରି ପାରନ୍ତି।

ପ୍ରୀତିଭରା ହସ:

 ଅନ୍ୟକୁ ନିଜ ପ୍ରତି ଆକର୍ଷିତ କରିବାକୁ, ବିଶେଷ କରି ନାରୀମାନେ ପୁରୁଷଙ୍କୁ ଆକର୍ଷିତ କରିବାକୁ ପ୍ରୀତିଭରା ହସ ହସିଥାନ୍ତି। ଏହି ହସରେ ସେହି ମୁହୂର୍ତ୍ତର ବାସନା ରହିଥାଇପାରେ, କିମ୍ବା ଏଭଳି ହସ ହସି ଯୌନୋଦ୍ଦୀପନା ସୃଷ୍ଟି କରି କୌଣସି କାର୍ଯ୍ୟ ହାସଲ ମଧ୍ୟ କରାଯାଇପାରେ। ମହିଳା ଗୁପ୍ତଚରମାନେ ଏହାକୁ ଏକ ଅସ୍ତ୍ର ରୂପେ ମଧ୍ୟ ବ୍ୟବହାର କରି ପାରନ୍ତି।

ସ୍ମିତହାସ୍ୟ:

ଦୁଇ ଓଠ ସାମାନ୍ୟ ପ୍ରସାରିତ ହୋଇ ସ୍ମିତହାସ୍ୟ ସୃଷ୍ଟି ହୁଏ। କୌଣସି ଅବସ୍ଥା ବା ଆଲୋଚନାର ପ୍ରସଙ୍ଗରୁ ନିଜକୁ ଦୂରେଇ ନେବା ପୂର୍ବରୁ ସ୍ମିତହାସ୍ୟ ସୃଷ୍ଟି ହୁଏ ଓ ତା’ର ପର ମୁହୂର୍ତ୍ତରେ ଉଭେଇ ଯାଏ। ଅନ୍ୟକୁ ଆଘାତ ନଦେବା ସ୍ମିତହାସ୍ୟର ଏକ ସୁଗୁଣ।

ମୁରୁକା ହସ:

ଅନ୍ୟର ବ୍ୟବହାର ବା ଟିପ୍ପଣୀକୁ ସହଜରେ ଗ୍ରହଣ କରି ନପାରିଲେ ମୁହଁ ମୁରୁକେଇ ଯେଉଁ ହସ ସୃଷ୍ଟି ହୁଏ ବା ଦୁଇ ଜଣଙ୍କୁ ପରସ୍ପର ସହ ଲଢେଇ ଦେଇ ତାକୁ ଦେଖି ଆମୋଦିତ ହେଲା ବେଳେ ମୁରୁକା ହସ ସୃଷ୍ଟି ହୁଏ। ସ୍ଥଳ ବିଶେଷରେ ଏହି ହସ ବେଶ କିଛି ସମୟ ମୁହଁରେ ଝୁଲି ରହିପାରେ ମଧ୍ୟ।

କୁଟିଳ ହସ:

ଅନ୍ୟକୁ ହଇରାଣ କରିବା, ନଚେତ ଅନ୍ୟଠାରୁ ପ୍ରତିଶୋଧ ନେବା, ନତୁବା ଅନ୍ୟକୁ ଧୋକା ଦେଇ ନିଜର ସ୍ଵାର୍ଥ ହାସଲ କରିବା ପାଇଁ ମନ ଭିତରେ ଚକ୍ରାନ୍ତ କଲାବେଳେ ମୁହଁରେ କୁଟିଳ ହସ ଫୁଟି ଉଠିଥାଏ। ନିଭୃତରେ କିମ୍ବା ବିଶ୍ଵସ୍ତ ସହଯୋଗୀଙ୍କ ଉପସ୍ଥିତିରେ କୁଟିଳ ହସ ହସାଯାଇପାରେ।

କୃତ୍ରିମ ହସ:

ସତ ଘୋଡେଇବା ପାଇଁ କୃତ୍ରିମ ହସ ହସାଯାଇଥାଏ। ଏହା ମଧ୍ୟ ଏକ ମୁଖା ସଦୃଶ ହସ। ନିଜକୁ କୌଣସି ଘଟଣା କିମ୍ବା ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ନକରି କେବଳ କାମ ଚଳେଇବା ପାଇଁ କୃତ୍ରିମ ହସ ସାହାଯ୍ୟ କରେ।

ମନଖୋଲା ହସ:

ଅନ୍ୟ ସହ ନିଜକୁ ଖୋଲିଖାଲି ଘନିଷ୍ଠ ସମ୍ପର୍କରେ ବାନ୍ଧି ହେଲେ ଜଣେ ମନଖୋଲା ହସ ହସିଥାଏ। ଏହି ହସ ଆତ୍ମାରେ ସୃଷ୍ଟି ହୋଇ ମୁହଁରେ ପ୍ରସ୍ଫୁଟିତ ହୁଏ। ହସର ପ୍ରକାର ଭେଦରେ ଏହାକୁ ଶ୍ରେଷ୍ଠ ହସର ମାନ୍ୟତା ଦିଆଯାଇପାରେ।

ଠୋ’ ଠା’ ହସ:

ମଜା କଥା ହେଲା ବେଳେ ବନ୍ଧୁମାନଙ୍କ ଗହଣରେ ଲୋକେ ଠୋ’ ଠା’ ହସନ୍ତି। ଏଭଳି ହସିଲା ବେଳେ ପ୍ରଚୁର ଶବ୍ଦ ସୃଷ୍ଟି ହୁଏ। କିନ୍ତୁ ସେଥି ପ୍ରତି କେହି ସଚେତନ ରହନ୍ତି ନାହିଁ।

ଖିଲ ଖିଲ ହସ:

ମନ ଖୁସି ଥିଲାବେଳେ ପିଲାମାନେ ଖିଲ ଖିଲ ହସ ହସନ୍ତି। ଏଭଳି ହସ ଶୁଣି ମନ ପୁରିଗଲା ପରି ଲାଗେ। ଖିଲ ଖିଲ ହସୁଥିବା ପିଲାଟିକୁ ବଯସ୍କମାନେ କୋଳେଇ ନେଇ ଗେଲ କରିଦେବାକୁ ଇଚ୍ଛା କରନ୍ତି। ଏହି ହସ ଶୁଣି ହଜି ଯାଇଥିବା କିଛି ମିଳିଗଲା ପରି ଲାଗେ।ଦରୋଟି ହସ:

ଶୈଶବରେ ହାତ ଗୋଡ ହଲେଇ ଶିଶୁଟିଏ ଯେତେବେଳେ ତା’ର ଓଠ ମେଲେଇ ଦେଇ ଦାନ୍ତ ଉଠି ନଥିବା ମାଢି ଦେଖେଇ ନିଷ୍ପାପ ହସଟିଏ ହସେ ତାହାକୁ ଦରୋଟି ହସ ବୋଲି କୁହାଯାଇ ପାରିବ। ଶିଶୁଟିଏ ନୂଆ ନୂଆ କଥା କହିବା ଶିଖିବାର ପୂର୍ବାବସ୍ଥାରେ ଦରୋଟି ହସ ହସିଥାଏ।

ମନଜିଣା ହସ:

ବିଶେଷ କରି ନାରୀମାନେ ଏଭଳି ହସ ହସିବା ଜାଣନ୍ତି। ମନଜିଣା ହସ ହସିଲା ବେଳେ ଝରଣାର ଝରଝର ଶବ୍ଦ ଶୁଣିଲା ପରି ମନେ ହୁଏ।

ମାଦକ ହସ:

ମୁଣ୍ଡବାଳରେ ଅନ୍ୟର ଆଙ୍ଗୁଠି ପଶି ରହିଥିବା ବେଳେ ଆଖି ଯେତେବେଳେ ନିଷ୍ପଲକ ଭାବେ ଆଗରେ ଥିବା ପୁରୁଷ ବା ନାରୀର ଆଖିକୁ ଚାହିଁ ରହିଥିବ ଓ ଓଠ ସାମାନ୍ୟ ଖୋଲା ରହି ଦନ୍ତପଂକ୍ତି ଇଷତ ଦିଶି ଯାଉଥିବ, ତାହାକୁ ମାଦକ ହସ କୁହା ଯାଇପାରିବ। ପୁରୁଷ ଓ ନାରୀଙ୍କ ଦୈହିକ ମିଳନ ପାଇଁ ମାନସିକ ଆବେଦନ କ୍ରମେ ମାଦକ ହସ ସୃଷ୍ଟି ହୋଇଥାଏ।

ଆଖିଭରା ହସ:

କେବଳ ମୁହଁରେ ନୁହେଁ, ହସ ଯେତେବେଳେ ମନରେ ଭରିଯାଇ ଆଖିର ପିତୁଳାରେ ବି ପରିଦୃଶ୍ୟ ହୁଏ, ତାହାକୁ ଆଖିଭରା ହସ ପର୍ଯ୍ୟାୟଭୁକ୍ତ କରାଯାଇ ପାରିବ।

ମତୁଆଲା ହସ:

ନିଷ୍କପଟ ଭାବେ କୌଣସି ବାଛ ବିଚାର ନକରି, ଜୀବନ ଜୀବିକାର ବାଧ୍ୟବାଧକତାକୁ ଖାତିର ନକରି ମନଖୋଲି ମତୁଆଲା ହସ ହସାଯାଏ। ଶୁଣିବା ଲୋକକୁ ମଧ୍ୟ ମତୁଆଲା ହସ ଏହାର ପ୍ରଭାବରେ ଆଚ୍ଛନ୍ନ କରିଦେଇ ପାରେ।

ହେଁ ହେଁ ହସ:

ସ୍ଥାନ-କାଳ-ପାତ୍ର ବିବେଚନା ନକରି, କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ବା କୌଣସି କଥା କିମ୍ବା ଅବସ୍ଥାର ଗୁରୁତ୍ଵ ନବୁଝି ସାମାନ୍ୟ ଉଦ୍ଦୀପନାରେ ବାରମ୍ବାର ହସି ଉଠୁଥିଲେ ତାହାକୁ ହେଁ ହେଁ ହସ କୁହାଯାଏ। ଏହା ଚରିତ୍ର ବିକୃତି ରୂପେ ପରିଗଣିତ ହୁଏ। ଏଭଳି ହେଁ ହେଁ ହସୁଥିବା ଲୋକଙ୍କୁ ଅଲକ୍ଷଣା ବୋଲି ମଧ୍ୟ କୁହାଯାଏ।

ତେଲିଆ ହସ:

କ୍ଷମତାଶାଳୀ ଅହଂକୁ ଊର୍ଦ୍ଧ୍ଵମୁଖୀ କରି ରଖିବାକୁ ଓ ତତସହିତ ନିଜର ସ୍ଵାର୍ଥ ହାସଲ କରିବାକୁ ଜଣେ ଦୁର୍ବଳ ତଥା ଚତୁର ବ୍ୟକ୍ତି ତେଲିଆ ହସ ହସିଥାଏ। ତେଲିଆ ହସ ମୁଖ୍ୟତଃ ତେଲମାରି କାମ ଆଦାୟ କରି ପାରୁଥିବା ଲୋକର ଆଭୁଷଣ। ଏଭଳି ଲୋକକୁ ଦେଖୁଥିବା ଅନ୍ୟ ଲୋକମାନେ ଚାମଚା ବୋଲି ମଧ୍ୟ କହନ୍ତି।

ଶୀର୍ଣ୍ଣ ହସ:

କିଛି ଲୋକ ହସ ବୋଲି କ’ଣ ଜାଣନ୍ତି ନାହିଁ। ସେମାନଙ୍କ ମୁହଁରେ କଦବା କ୍ଵଚିତ ଯେଉଁ ହସ ଦେଖାଯାଏ, ବା ଯେଉଁ ହସର ସ୍ୱାସ୍ଥ୍ୟ ଅତି ଦୁର୍ବଳ ସେଭଳି ହସକୁ ଆମେ ଶୀର୍ଣ୍ଣ ହସ କହିଲେ କିଛି ଭୁଲ ହେବକି?

ରହସ୍ୟମୟ ହସ:

ଏହି ହସ କେବଳ ଇତିହାସ ପ୍ରସିଦ୍ଧ ପଟ୍ଟଚିତ୍ର ମୋନାଲିସାଙ୍କ ମୁହଁରେ ଦେଖିବାକୁ ମିଳିଛି। ଏହି ହସର ରହସ୍ୟ ଏ ପର୍ଯ୍ୟନ୍ତ ଭେଦ କରାଯାଇ ପାରିନାହିଁ।

ଅଟ୍ଟହାସ୍ୟ:

ଏହି ହସ ଏକ ଅତି-ନାଟକୀୟ ହସ। କେବଳ ଯାତ୍ରା, ନାଟକ କିମ୍ବା ଚଳଚିତ୍ରରେ କେତେକ ନିର୍ଦ୍ଧିଷ୍ଟ ଚରିତ୍ର ଏଭଳି ଅଟ୍ଟହାସ୍ୟ କରିବାର ଦେଖିବାକୁ ମିଳେ। ଏହା ଅତ୍ୟନ୍ତ ଅପ୍ରାକୃତିକ ଲାଗେ। ବାସ୍ତବ ଜୀବନରେ ଅଟ୍ଟହାସ୍ୟକୁ କୌଣସି ଗୁରୁତ୍ଵ ଦିଆଯାଏ ନାହିଁ।

ଏଠାରେ ବର୍ଣ୍ଣିତ ହସର ପ୍ରକାର ଭେଦ ଏହି ଲେଖକ ମତରେ ସଂପୂର୍ଣ୍ଣ ନୁହେଁ। ସ୍ଥଳବିଶେଷରେ ହସର ପ୍ରକୃତି ବର୍ଣ୍ଣନା ମଧ୍ୟ ସଠିକ ହୋଇ ନଥାଇପାରେ। ସେପରି ସ୍ଥଳେ ପ୍ରିୟ ପାଠକବର୍ଗ ଭୁଲ ମାର୍ଜ୍ଜନା କରିବେ ବୋଲି ଆଶା ରଖୁଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment